ଗାଙ୍ଗୁଲି ବିସିସିଆଇ ସଭାପତି ହେବା କ୍ରିକେଟ୍‌ ପାଇଁ ଶୁଭଙ୍କର ଟ୍ବିଟ୍ କରି ଶୁଭେଚ୍ଛା ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ନିଶ୍ଚିତ ହୋଇଯାଇଛି। ସଭାପତି ପଦ ନିମନ୍ତେ ଏକମାତ୍ର ପ୍ରାର୍ଥୀ ଅଛନ୍ତି ଗାଙ୍ଗୁଲି। ଗାଙ୍ଗୁଲି ସଭାପତି ହେବାକୁ ଯାଉଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ପୂର୍ବତନ ବ୍ୟାଟସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଟ୍ବିଟର୍‌ରେ ବାର୍ତ୍ତା ଛାଡ଼ି ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ଭାରତୀୟ କ୍ରିକେଟ୍ ପାଇଁ ଶୁଭଙ୍କର ବୋଲି ଦର୍ଶାଇଛନ୍ତି। ଏଥିସହ ବିସିସିଆଇ ପୁନର୍ବାର ନିଜ ଗୌରବ ଫେରି ପାଇବ ବୋଲି ସେହ୍ବାଗ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଦଳର ଅଧିନାୟକ ଭାବେ ଗାଙ୍ଗୁଲି ଯେତିକି ସୁନାମ ଅର୍ଜନ କରିଥିଲେ ବିସିସିଆଇ ସଭାପତି ଭାବେ ସମପରିମାଣର ଖ୍ୟାତି ଅର୍ଜିବେ ବୋଲି ସେହ୍ବାଗ ମତ ଦେଇଛନ୍ତି।

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ ଟ୍ବିଟ୍‌ କରି ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗାଙ୍ଗୁଲିଙ୍କ ଅଧୀନରେ ବିସିସିଆଇ ନୂଆ ଦିଗନ୍ତକୁ ଛୁଇଁବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ପୂର୍ବତନ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ ଟ୍ବିଟର୍‌ରେ ବାର୍ତ୍ତା ଦେଇ ଗାଙ୍ଗୁଲିଙ୍କୁ ସଭାପତି ପଦ ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ବିସିସିଆଇ ଓ ଭାରତୀୟ କ୍ରିକେଟ୍‌ ଆହୁରି ଅଧିକ ସମୃଦ୍ଧଶାଳୀ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଲକ୍ଷ୍ମଣଙ୍କ ଟ୍ବିଟ୍‌ର ଜବାବରେ ଗାଙ୍ଗୁଲି ଶୁଭେଚ୍ଛା ବାର୍ତ୍ତା ପାଇଁ ଲକ୍ଷ୍ମଣଙ୍କୁ ଧନ୍ୟବାଦ ଜଣାଇବା ସହ ବିସିସିଆଇ ତଥା ଭାରତୀୟ କ୍ରିକେଟ୍‌ର ସାମଗ୍ରିକ ବିକାଶ ପାଇଁ ତାଙ୍କ (ଲକ୍ଷ୍ମଣ) ସହଯୋଗ ଆଶା କରିଛନ୍ତି।
ବିସିସିଆଇ ସଭାପତି ପଦ ନିମନ୍ତେ ଗାଙ୍ଗୁଲି ନାମାଙ୍କନ ପତ୍ର ଦାଖଲ କରିବା ପରେ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ ଖୁସିବ୍ୟକ୍ତ କରିଛନ୍ତି। ଗାଙ୍ଗୁଲିଙ୍କ ପରି ଜଣେ ଅଭିଜ୍ଞ କ୍ରିକେଟର୍‌ ତଥା କ୍ରିକେଟ୍‌ ପ୍ରଶାସକ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ବିସିସିଆଇ ପାଇଁ ଶୁଭଙ୍କର ହେବ ବୋଲି ସେ ମତ ଦେଇଛନ୍ତି। ବେଙ୍ଗଲ୍‌ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଭାବେ କାମ କରିବାର ଅଭିଜ୍ଞତା ଗାଙ୍ଗୁଲିଙ୍କ ନିକଟରେ ଥିବାରୁ ସେ ବିସିସିଆଇକୁ ସଠିକ ମାର୍ଗରେ ପରିଚାଳନା କରିପାରିବେ ବୋଲି ବିନୋଦ ଆଶାବ୍ୟକ୍ତ କରିଛନ୍ତି। ଅତୀତରେ କ’ଣ ଘଟି ଯାଇଛି ତାହା ସେ ମନେ ପକାଇବାକୁ ଚାହାନ୍ତି ନାହିଁ। ଭବିଷ୍ୟତରେ ବିସିସିଆଇ କିପରି ଅଧିକରୁ ଅଧିକ ମଜଭୁତ୍‌ ହେବ ତାହା ତାଙ୍କର ସ୍ବପ୍ନ ବୋଲି ବିନୋଦ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.