ଏସୀୟ ଟେବୁଲ ଟେନିସ୍ – ସିଙ୍ଗଲ୍‌ସ କ୍ବାର୍ଟରରେ ସତ୍ୟନ୍

0

ଇଣ୍ଡୋନେସିଆ: ଏସୀୟ ଟେବୁଲ ଟେନିସ୍ ଚମ୍ପିଆନ୍‌ସିପ୍‌ରେ ପୁରୁଷ ସିଙ୍ଗଲ୍‌ସର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ୧ ନମ୍ବର ଖେଳାଳି ଜି. ସତ୍ୟନ୍। ଏହି କୃତିତ୍ବ ହାସଲ କରିବାରେ ସତ୍ୟନ୍ ୨ୟ ଭାରତୀୟ। ୧୯୭୬ରେ ଚୀନ୍‌ର ଜଣେ ଖେଳାଳିଙ୍କୁ ପରାସ୍ତକରି ଭାରତର ସୁଧୀର ଫାଡ୍‌କେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲେ। ବିଶ୍ବର ୩୦ନଂ ସିଙ୍ଗଲ୍‌ସ ଖେଳାଳି ସତ୍ୟନ୍ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଉତ୍ତର କୋରିଆର ଆନ୍-ଜି ସଙ୍ଗ୍‌ଙ୍କୁ ସହଜରେ ୧୧-୭, ୧୧-୮, ୧୧-୬ ଗେମ୍‌ରେ ପରାସ୍ତ କରିଛନ୍ତି।

କ୍ବାର୍ଟରଫାଇନାଲରେ ସତ୍ୟନ୍ ବିଶ୍ବର ୪ନଂ ଖେଳାଳି ଚୀନ୍‌ର ଲିନ୍ ଗାଓୟୁଆନ୍‌ଙ୍କ ମୁକାବିଲା କରିବେ। ପ୍ରଥମ ରାଉଣ୍ଡରେ ସତ୍ୟନ୍ ସିଙ୍ଗାପୁରର ଡମିନିକ୍ ସଙ୍ଗ୍‌ଙ୍କୁ ୩-୦ ଗେମ୍‌ରେ ଏବଂ ୨ୟ ରାଉଣ୍ଡରେ ଇରାନ୍‌ର ନୋସାଦ୍ ଆଲାମିୟାଁଙ୍କୁ ୩-୧ ଗେମ୍‌ରେ ପରାସ୍ତ କରିଥିଲେ। ତେବେ ପୁରୁଷ ଡବଲ୍‌ସରେ ଭାରତର ଶରତ କମଲ-ସତ୍ୟନ୍ ଯୋଡ଼ି କ୍ବାର୍ଟରଫାଇନାଲରେ ପରାସ୍ତ ହୋଇ ଯାଇଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ଭାରତର ୩ ଜଣ ଖେଳାଳି ଜି. ସତ୍ୟନ୍, ଆଣ୍ଟୋନି ଅମଲରାଜ ଓ ମାନବ ଠକ୍କର ୨ୟ ରାଉଣ୍ଡରେ ପ୍ରବେଶ କରିଥିଲେ ହେଁ ମାନବ ଓ ଅମଲରାଜ ଆଗକୁ ଯାଇ ପାରିନଥିଲେ। ଉଭୟ ଅମଲରାଜ ଓ ମାନବଙ୍କୁ ଚାଇନିଜ୍ ତାଇପେର ଖେଳାଳି ପରାସ୍ତ କରିଥିଲେ। ଅଚନ୍ତ ଶରତ କମଲ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ମହିଳା ସିଙ୍ଗଲ୍‌ସରେ ଭାରତର ଆୟହିକା ମୁଖାର୍ଜୀ କ୍ବାର୍ଟରଫାଇନାଲରେ ୩ ଥର ବିଶ୍ବ ଚମ୍ପିଆନ୍ ତଥା ଅଲିମ୍ପିକ୍ ଚମ୍ପିଆନ୍ ଚୀନ୍‌ର ଡିଙ୍ଗ୍ ନିଙ୍ଗ୍‌ଙ୍କଠାରୁ ପରାସ୍ତ ହୋଇ ଯାଇଛନ୍ତି। ମାନିକା ବାତ୍ରାଙ୍କୁ ଜାପାନର ହିତୋମି ସାତୋ ଏବଂ ଅର୍ଚ୍ଚନା କାମତ୍‌ଙ୍କୁ ସିଙ୍ଗାପୁରର ଫେଙ୍ଗ୍ ତିଆନ୍‌ୱେଇ ପରାସ୍ତ କରିଛନ୍ତି।

Leave A Reply