ଶଶୀ ଥରୁରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

0

ତିରୁଅନନ୍ତପୁରମ୍‍ : କଂଗ୍ରେସ ସାଂସଦ ଶଶୀ ଥରୁର୍‍ଙ୍କ ସ୍ଥାନୀୟ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏହି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଉପରେ ଆକ୍ରମଣ ସମୟରେ ଥରୁର୍‍ ସେଠାରେ ନ ଥିଲେ। ତେବେ ସ୍ଥାନୀୟ କେତେକ ଲୋକ ସେମାନଙ୍କ ଅଭିଯୋଗ ସାଂସଦଙ୍କୁ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ। ଏହି ଲୋକମାନଙ୍କୁ ଆକ୍ରମଣକାରୀମାନେ ଘଉଡାଇଦେଇଥିଲେ। ସେମାନେ ଥରୁରଙ୍କ କାର୍ଯ୍ୟାଳୟରେ ‘ହିନ୍ଦୁ ପାକିସ୍ତାନ’ କାର୍ଯ୍ୟାଳୟର ବ୍ୟାନର ମାରିଥିଲେ। ୨୦୧୯ରେ ବିଜେପି କ୍ଷମତାକୁ ଫେରିଲେ ଭାରତ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ ହେବ ବୋଲି ନିକଟରେ ଥରୁର୍‍ ମନ୍ତବ୍ୟ ଦେଇଥିଲେ। ଥରୁର୍‍ଙ୍କ ଏହି ମନ୍ତବ୍ୟର କିଛି ଦିନ ପରେ ତାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ତିରୁଅନନ୍ତପୁରମ୍‍ ଜିଲା ବିଜେପି ସଭାପତି ଏସ୍‍ ସୁରେଶ କହିଛନ୍ତି ଯେ ଥରୁର୍‍ଙ୍କ ଭୁଲ୍‍ ମନ୍ତବ୍ୟକୁ ବିରୋଧ ପୂର୍ବକ ଏପରି କରାଯାଇଛି। ବିଜେପିର ଏପରି ବିରୋଧକୁ ଥରୁର୍‍ ନାପସନ୍ଦ କରିଛନ୍ତି। ଥରୁର୍‍ କହିଛନ୍ତି ଯେ ଏହା କ’ଣ ଭାରତର ଲୋକେ ଚାହାନ୍ତି। ଲୋକେ ସେମାନଙ୍କ ଅଭିଯୋଗ ଜଣାଇବାକୁ ଆସିଥିଲେ; ମାତ୍ର ସେମାନଙ୍କୁ ଭୟଭୀତ କରି ତଡି ଦିଆଗଲା। ସେହିପରି ରାଜ୍ୟ କଂଗ୍ରେସ ସଭାପତି ଏମ୍‍ଏମ୍‍ ହସନ ଓ ବିରୋଧୀ ଦଳ ନେତା ରମେଶ ଛେନିଥାଲା ଏହି ଘଟଣାକୁ ନିନ୍ଦା କରିଛନ୍ତି।

Leave A Reply