ସର୍ଦ୍ଦାର ରାଜାସ୍‍ ମେଡିକାଲ୍‍ କଲେଜ୍‍ ଆର୍ଥକ ଅନିୟମିତତାର ତଦନ୍ତ କରିବ ଇଡି

0

ଭୁବନେଶ୍ମର: କଳାହାଣ୍ଡି ଜାରିଙ୍ଗସ୍ଥିିତ ବହୁ ଚର୍ଚ୍ଚିତ ସର୍ଦ୍ଦାର ରାଜାସ୍‍ ମେଡିକାଲ୍‍ କଲେଜ୍‍ର ଆର୍ଥିକ ଅନିୟମିତତା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)।
ସୂଚନାଯୋଗ୍ୟ, ସେଲ୍‍ଭାମ୍‍ ଏଜୁକେସନାଲ୍‍ ଆଣ୍ଡ ଚାରିଟେବଲ୍‍ ଟ୍ରଷ୍ଟର ପରିଚାଳନା ସଦସ୍ୟ ଏ ଜେ ରାଜା କଳାହାଣ୍ଡିର ଜାରିଙ୍ଗଠାରେ ସର୍ଦ୍ଦାର ରାଜାସ୍‍ ମେଡିକାଲ୍‍ କଲେଜ୍‍ ନାମରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନା କରିଥିଲେ। ଏଥିପାଇଁ ୨୦୦୪ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହିତ ରାଜା ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଚୁକ୍ତିନାମା ଅନୁଯାୟୀ ପରିଷଦ ପକ୍ଷରୁ ୨୫ ଡିସିମିଲ୍‍ ସରକାରୀ ଜମି ସହିତ ୧୦ କୋଟି ଟଙ୍କା ଟ୍ରଷ୍ଟକୁ ଯୋଗାଇ ଦିଆଯାଇଥିଲା। ଏ ସବୁ ସତ୍ତେ୍ୱ ରାଜା ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରି ନ ଥିଲେ। ଅପରପକ୍ଷରେ ଭ୍ରମାତ୍ମକ ତଥ୍ୟ ସମ୍ବଳିତ କାଗଜପତ୍ର ଦାଖଲ କରି ୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏମ୍‍ସିଆଇଠାରୁ ଅନୁମତି ଆଣିଥିଲେ। ଏ ସମ୍ପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଟ୍ରଷ୍ଟ ଅନ୍ଧାରରେ ରଖିଥିଲା। ଏ ବିଷୟରେ ଜଣା ପଡ଼ିବା ପରେ ୨୦୧୫-୧୬ ଶିକ୍ଷାବର୍ଷରେ ନାମ ଲେଖା ଓ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମ୍‍ସିଆଇ ଅନୁମତି ଦେଇ ନଥିଲେ। ଏହା ଜାଣି ମଧ୍ୟ ରାଜା ପାଠ୍ୟକ୍ରମ ଫି’ ଆକାରରେ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଅସନ୍ତୋଷ ତେଜିବାରୁ ରାଜା ମେଡିକାଲ୍‍ କଲେଜକୁ ଅଧାରୁ ବନ୍ଦ କରି ଫେରାର ହୋଇଯାଇଥିଲେ। କଲେଜ ବନ୍ଦ ହୋଇଯିବାରୁ ୧୨୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ସରକାରଙ୍କ ହସ୍ତକ୍ଷେପ ଦାବି କରି ସର୍ଦ୍ଦାର ରାଜାସ୍‍୍‍ ମେଡିକାଲ୍‍ କଲେଜ ଛାତ୍ରଛାତ୍ରୀ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦେଇଥିଲେ। କିନ୍ତୁ ସରକାର ସମସ୍ୟା ସମାଧାନ କରିବାରେ ବିଫଳ ହେବାରୁ ଏମ୍‍ସିଆଇଙ୍କ ହସ୍ତକ୍ଷେପ ଲୋଡ଼ି ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରୁ ମଧ୍ୟ ନିରାଶ ହେବା ପରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟର ଅନ୍ୟାନ୍ୟ ମେଡିକାଲ୍‍ କଲେଜ୍‍ରେ ସର୍ଦ୍ଦାର ରାଜାସ୍‍ ମେଡିକାଲ୍‍ କଲେଜ୍‍ର ଛାତ୍ରଛାତ୍ରୀଙ୍କୁ ପଢ଼ିବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଆଧାରରେ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ମେଡିକାଲ୍‍ କଲେଜ୍‍ରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‍ ଛାତ୍ରଛାତ୍ରୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବହୁ ବାଦବିବାଦ ପରେ ଶେଷରେ ସେମାନଙ୍କୁ ପଢ଼ିବାର ସୁଯୋଗ ମିଳିଲା।
ଏହି ଘଟଣା ପରେ ରାଜାଙ୍କ ବିରୋଧରେ ଓଡ଼ିଶା କ୍ରାଇମ୍‍ବ୍ରାଞ୍ଚ ମାମଲା ରୁଜୁ କରି ତାଙ୍କୁ ଖୋଜୁଥିଲା। ତାମିଲନାଡ଼ୁରେ ସେ ଥିବା ଖବର ପାଇ ସେଠାରୁ କ୍ରାଇମ୍‍ବ୍ରାଞ୍ଚର ଭୁବନେଶ୍ୱର ସ୍ଥିତ ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ୨୦୧୮, ମାର୍ଚ୍ଚ ୨୬ ତାରିଖ ଦିନ ଗିରଫ କରି ଅଗଷ୍ଟ ୩ ତାରିଖ ଦିନ ଓଡ଼ିଶା ଆଣିଥିଲେ।

Leave A Reply