ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଶରଧାବାଲିରୁ…

0

ଶ୍ରୀଜଗନ୍ନାଥ ଭାବ ବିନୋଦିଆ ଠାକୁର

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ଭକ୍ତବତ୍ସଳ । ଭାବ ବିନୋଦିଆ ଠାକୁର । ବିପଦରେ ପଡି ଆତ୍ମସମର୍ପଣ କଲେ ମହାପ୍ରଭୁ ଦୁଃଖ ଦୂର କରନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ ତାଙ୍କ ପବିତ୍ର ଜନ୍ମସ୍ଥାନ । ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଶତଜନ୍ମର ପୁଣ୍ୟ ମିଳିଥାଏ ବୋଲି ନୀଳାଦ୍ରି ପକ୍ଷରୁ ବୁଧବାର ଅନୁଷ୍ଠିତ ଉତ୍ସବରେ ବକ୍ତାମାନେ ମତ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ନିର୍ଦେଶକ ମାନସ କୁମାର ମଲିକ, ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳସଚିବ ଡଃ ସୁମନ କୁମାର ଦାସ ଏବଂ ନନ୍ଦକିଶୋର ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ସେମାନେ କହିଲେ ଶ୍ରୀଜଗନ୍ନାଥଙ୍କ ଲୀଳା ଜଗତର ହିତପାଇଁ ଉଦ୍ଦିଷ୍ଟ । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ସମ୍ପର୍କରେ ଅଧିକ ଗବେଷଣା ଓ ପ୍ରଚାର ପ୍ରସାର ଆବଶ୍ୟକ । ଶ୍ରୀଜଗନ୍ନାଥ ବିଶ୍ୱର ସବୁଠାରୁ ବିସ୍ମୟକର ଠାକୁର । ସେ ପରଂବ୍ରହ୍ମ ଓ ଦାରୁବ୍ରହ୍ମ । ତାଙ୍କପାଇଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ରର ମାନ୍ୟତା ପାଇଛି । ମୁଖ୍ୟ ସମ୍ପାଦକ ଡଃ ଭାସ୍କର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ରାମଚନ୍ଦ୍ର ଦାସମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ “ନୀଳାଦ୍ରି’ ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ କରାଯାଇଥିଲା । ମହେଶ ଚୌଧୁରୀ ଓ ପ୍ରସନ୍ନ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । ଅଧ୍ୟାପକ ସୁନିଲ ରଥ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀମନ୍ଦିର ସେବକ ବିଶ୍ୱନାଥ ସାମନ୍ତରା, କବି କୃଷ୍ଣଚନ୍ଦ୍ର ରଥ, ରବି ସାମନ୍ତରା ଓ ରବିନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରାବନ୍ଧିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ହେରାପଞ୍ଚମୀ ଭଜନ ସମାରୋହ

ଶରଧାବାଲି ସାଂସ୍କୃତିକ ପରିଷଦ ତରଫରୁ ୩୦ତମ ହେରାପଞ୍ଚମୀ ଭଜନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ତାହାକୁ ଉଦ୍‍ଘାଟନ କରିଥିଲେ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ, ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ହାଇଟେକ୍‍ ମେଡିକାଲ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ମଞ୍ଚାସୀନ ଥିଲେ । କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ସୌରଭ ନାୟକ, ଶୈଳଭାମା ମହାପାତ୍ର, ଇରା ମହାନ୍ତି, ରବି ମହାପାତ୍ର, ଶରତ ନାୟକ, ଶ୍ରୀଚରଣ ମହାନ୍ତି, ସୁଧାକର ମିଶ୍ର, ଗଗନ ଜେନା, ମାନସୀ ପାତ୍ର, ପ୍ରଭୁପ୍ରସାଦ ନନ୍ଦ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ବରୁଣ କୁମାର, ରଶ୍ମିରଞ୍ଜନ ପଣ୍ଡା, କୃଷ୍ଣପ୍ରିୟା ମିଶ୍ର, ଦିବ୍ୟା ଦାଶ, ପ୍ରଦୀପ ପଲାଇ, ସଞ୍ଜୟ ଦାସ, ଇପ୍ସିତା ପଣ୍ଡା ଓ କୃଷ୍ଣଚନ୍ଦ୍ର ସେଠୀ ଭଜନ ପରିବେଷଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତି ସଂଗୀତ ଗାନ କରି କଣ୍ଠଶିଳ୍ପୀମାନେ ସମବେତ ଶ୍ରଦ୍ଧାଳୁଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲେ । ସାଧାରଣ ସମ୍ପାଦକ ଘନଶ୍ୟାମ ମର୍ଦ୍ଦରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡଃ ପଣ୍ଡିତ ବାଣୀଭୂଷଣ ନିରଞ୍ଜନ ବ୍ରହ୍ମାଙ୍କୁ ପ୍ରାଚ୍ୟ ସଂସ୍କୃତି ବାଚସ୍ପତି ସମ୍ମାନ, ପଶୁ ଚିକିତ୍ସକ ଡାକ୍ତର ପ୍ରସନ୍ନ କୁମାର ପୃଷ୍ଟିଙ୍କୁ ଶ୍ରୀକ୍ଷେତ୍ର ଗୌରବ, ପ୍ରଫେସର ଡାକ୍ତର କାମଦେବ ଦାସଙ୍କୁ ଶ୍ରଦ୍ଧାସମ୍ମାନ, କଣ୍ଠଶିଳ୍ପୀ ଗଗନ ବିହାରୀ ଜେନାଙ୍କୁ ମାଖନଲାଲ ହାଲଦାର ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି ।

 

ବିଜୁ ଯୁବ ବାହିନୀ ସେବାଶିବିର

ବିଜୁ ଯୁବ ବାହିନୀ ପକ୍ଷରୁ ଶରଧାବାଲିରେ ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନ ସହାୟତା ଦିଆଯାଉଛି । କାର୍ଯ୍ୟକ୍ରମର ନାମ ରଖାଯାଇଛି “ମୁଁ ବି ସକ୍ଷମ’ । ଶ୍ରଦ୍ଧାଳୁଙ୍କୁ ପାନୀୟଜଳ ଯୋଗାଯିବା ସହ ଯାନବାହନ ଚଳାଚଳରେ ସହାୟତା କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୫୦ରୁ ଊଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀ ସେବାକାର୍ଯ୍ୟ କରୁଛନ୍ତି । ଯୁବ ବିଶେଷଜ୍ଞ ଡଃ ପ୍ରବୀର ମିଶ୍ରଙ୍କ ନେତୃତ୍ୱରେ କେଦାରନାଥ ହୋତା, ସୌମ୍ୟରଞ୍ଜନ ପୂଜାରୀ ଓ ସୁଜିତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

 

କିଶୋର ସନ୍ନ୍ୟାସୀ ଈଶ୍ୱର ବିଶ୍ୱାସୀ

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀ ଧାମକୁ ଶ୍ରଦ୍ଧାଳୁ ଯେତିକି ସାଧୁ ସନ୍ନ୍ୟାସୀ ସେତିକି ଆସିଥାନ୍ତି । ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଜଣେ କିଶୋର ସନ୍ନ୍ୟାସୀ ଗୁଣ୍ଡିଚା ମନ୍ଦିର ଆଡକୁ ଚାଲିଥିଲେ । ଏତେ ଛୋଟ ବୟସରୁ ସନ୍ନ୍ୟାସ ଧର୍ମ କାହିଁକି ନେଲ ବୋଲି ପଚାରିବାରେ ସେ କହିଲେ ଯେତେ ବେଳେ ଖେଳିବା ବୟସ ବାପା ମା ସନ୍ନ୍ୟାସ ଧର୍ମ ଗ୍ରହଣ ପାଇଁ ଟେକି ଦେଇଥିଲେ ଭୁତନାଥ ଉଦାସୀ ଆଶ୍ରମର ସନ୍ନ୍ୟାସୀଙ୍କୁ ।
ପଶ୍ଚିମବଙ୍ଗର ଦୁର୍ଗାପୁର ଭୁତନାଥ ଉଦାସୀ ଆଶ୍ରମରେ ସନ୍ନ୍ୟାସ ଧର୍ମ ଗ୍ରହଣ କଲାପରେ ପିଲାଦିନର ନାମ ପରିବର୍ତ୍ତନ କରାଯାଇ ନିର୍ମାଣ ଗଙ୍ଗାମୁନି ଉଦାସୀ ରଖାଯାଇଛି । ପାଞ୍ଚବର୍ଷ ବୟସରୁ ଇଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯୋଗ ପ୍ରାଣାୟମ ଓ ଭାଗବତ ଗୀତା ପାଠ କରିବା ହେଉଛି ତାଙ୍କ ନିତିଦିନର କାର୍ଯ୍ୟ । ଏବେ ସନ୍ନ୍ୟାସୀ ଉଦାସୀପନ୍ଥୀ ଭାବରେ ସଂସାରରେ ପରିଚୟ । ସନ୍ନ୍ୟାସ ଧର୍ମଗ୍ରହଣ କରିବାପରେ ୧୪ ବର୍ଷରେ ପଦାର୍ପଣ କରିଛନ୍ତି ଗଙ୍ଗାମୁନି ଉଦାସୀ । ସନ୍ନ୍ୟାସବ୍ରତ ଗ୍ରହଣ କରିଥିଲେ ମଧ୍ୟ ଶିକ୍ଷା ଲାଭକରିବାର ମୋହ ତୁଟିନି । ସେଥିପାଇଁ ସେ ବୋର୍ଡ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସନ୍ନ୍ୟାସ ବ୍ରତ ଗ୍ରହଣ କରି ଈଶ୍ୱର ପ୍ରାପ୍ତି ହେଉଛି ଜୀବନର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଦେଶର ୪ ଧାମରୁ ଶ୍ରୀକ୍ଷେତ୍ର ପୁରୀଧାମର ମହିମା ଅନନ୍ୟ । ଗତ ୭ ବର୍ଷଧରି ଜଗନ୍ନାଥଙ୍କୁ ରଥଯାତ୍ରା ସମୟରେ ପୁରୀକୁ ଆସି ଠାକୁରଙ୍କ ଦର୍ଶନ କରୁଛୁ । ଶ୍ରୀମନ୍ଦିର ନିକଟରେ ରହିଥିବା ମଙ୍ଗୁମଠକୁ ଆସି ସେଠାରେ ଆଶ୍ରୟ ନେଇଛୁ । ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ସୁଯୋଗ ଦିଅନ୍ତୁ ବୋଲି ପ୍ରଭୁଙ୍କ ନିକଟରେ କାମନା କରିଛି ।

ଶ୍ୟାମାକାଳୀ ପୀଠରେ ମହାଯଜ୍ଞ

ଶ୍ୟାମାକାଳୀ ପୀଠରେ ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଆରମ୍ଭ ହୋଇଛି ୩ଦିନବ୍ୟାପୀ ମହାଯଜ୍ଞ । ଆଷାଢ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଅଙ୍କୁରାରୋପଣ ଓ କଳସ ଯାତ୍ରା କରାଯାଇଥିଲା । ହେରାପଞ୍ଚମୀରେ ସାଲପୂଜା, ଗୋପୂଜା ଓ ସୂର୍ଯ୍ୟପୂଜା ସମ୍ପନ୍ନ ହୋଇଛି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଧ୍ୱନି ମଧ୍ୟରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଛି। ମୁଖ୍ୟ ପୂଜକ ଭବାନୀ ଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଣ୍ଡିତ ଶ୍ୟାମସୁନ୍ଦର ମିଶ୍ର ଓ ରାମଚନ୍ଦ୍ର ମିଶ୍ର ଏବଂ ସହଯୋଗୀ ଯଜ୍ଞ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଶୁକ୍ରବାର ପୂର୍ଣ୍ଣାହୁତି ପ୍ରଦାନ କରାଯିବ ।

ପ୍ରଭୁଙ୍କୁ ଦେଖିଲେ ବାଳାଶ୍ରମ ଅନ୍ତେବାସୀ

ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ବାଳାଶ୍ରମ ଅନ୍ତେବାସୀ । ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ଜିଲାପାଳଙ୍କ ସହ ଏକାଠି ବସି ମହାପ୍ରସାଦ ଖାଇଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ଭୁବନେଶ୍ୱର ଜୀବନଜ୍ୟୋତି ବାଳାଶ୍ରମର ୭୦ଜଣ ଅନ୍ତେବାସୀଙ୍କ ଆନନ୍ଦ କହିଲେ ନସରେ । ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦର୍ଶନ ସହାୟତା ପ୍ରଦାନ କରାଯାଇଛି । ଶ୍ରୀଜୀଉଙ୍କୁ ଦର୍ଶନ ପରେ ସହପାଠୀଙ୍କୁ ଅନୁଭୂତି ବାଣ୍ଟିଛନ୍ତି ବାଳାଶ୍ରମ ଅନ୍ତେବାସୀ । ପ୍ରଥମଥର ପାଇଁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି ।

ରଥଯାତ୍ରାରେ ସେବା ଶିବିର

ରଥଯାତ୍ରା ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବା ଶିବିର ଅନୁଷ୍ଠିତ ହୋଇଛି । ବିଶ୍ୱକର୍ମା ଟ୍ୟାକ୍ସି କର୍ମଚାରୀ ସଂଘ ବଡଦାଣ୍ଡରେ ଅବଢା ତୋରାଣି ଏବଂ ତାଳବଣିଆରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ପବିତ୍ର କୁମାର ମାଝି, ଗଣେଶ ସେଠୀ, ଭଗବାନ ସେଠୀ, ବୁଲୁ ନାୟକ, ଭବାନୀ ଶଙ୍କର ବାରିକ, ରବିନ୍ଦ୍ର ମୁଦୁଲି ଓ ବସନ୍ତ ମହାକୁଡ ତାହାକୁ ପରିଚାଳନା କରିଥିଲେ । ବାୟୋକେମିକି ଏବଂ କମ୍ପେସ ହୋମିଓ ପାଥିକ ଚିକିତ୍ସକ ସଂଘ ପକ୍ଷରୁ ଦାତବ୍ୟ ଚିକିତ୍ସା ଶିବିର ଖୋଲାଯାଇଛି । ସଭାପତି ଡାକ୍ତର ଶରତ କୁମାର ପଟ୍ଟନାୟକ, ସମ୍ପାଦକ ଡାକ୍ତର ପ୍ରଫୁଲ୍ଲକୁମାର ମିଶ୍ର, ଡାକ୍ତର ଦୁର୍ଗାମାଧବ ମିଶ୍ର ଓ ଡାକ୍ତର ଦେବୀପ୍ରସାଦ ଚହଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଶ୍ରୀଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟ ପକ୍ଷରୁ ସେବାଶିବିର ଆୟୋଜନ କରାଯାଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଧାମାଧବ ଦାଶ ତାହାକୁ ଉଦ୍‍ଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ଡଃ ଜଗବନ୍ଧୁ ମିଶ୍ର, ପ୍ରଫେସର ମାଧବ ଚନ୍ଦ୍ର ପଣ୍ଡା ଓ ଶିବନାରାୟଣ ସେନାପତି ସେଥିରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପାନୀୟ ଜଳ ବଣ୍ଟନ କରାଯାଇଥିଲା।

ସେବାୟତ ସମାଜ ପକ୍ଷରୁ ବିକ୍ଷୋଭ


କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଶ୍ରୀମନ୍ଦିର ସେବାୟତ ସମାଜ ପକ୍ଷରୁ ବୁଧବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଝାଡୁଦାରଙ୍କ ସହ ପୁରୀ ଗଜପତିଙ୍କୁ ଧର୍ମେନ୍ଦ୍ର ତୁଳନା କରିବା ନିନ୍ଦନୀୟ ବୋଲି ନାରାୟଣ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।

ଭଜନ ସମାରୋହ

ଲିଙ୍ଗରାଜ କଳାନିକେତନ ପକ୍ଷରୁ ଭଜନ ସମାରୋହ ଜଗନାଥବଲ୍ଲଭ ମଠରେ ଅନୁଷ୍ଠିତ ହୋଇଛି। ଗୁରୁ ପ୍ରକାଶ କୁମାର ରଥଙ୍କ ନିର୍ଦେଶନାରେ କଣ୍ଠଶିଳ୍ପୀ ସିପୁନ ନାୟକ, ଈପ୍ସିତା ମିଶ୍ର, ସଂଗୀତା ରାଉତ, ସ୍ୱାଗତିକା ସ୍ୱାଇଁ, ଲିପିକା ସିଂ, ଲୋପାମୁଦ୍ରା ଷଡଙ୍ଗୀ, ଆଦ୍ୟାଶ୍ରୀ ଦାଶ, ସିପ୍ରା ମିଶ୍ର, ଜିତେନ୍ଦ୍ର ଦାଶ, ପ୍ରତ୍ୟୁଷା ମହାପାତ୍ର, ମନୀଷା ମିଶ୍ର, ଦିପ୍ତିମୟୀ ସେଠୀ, ବସନ୍ତ କୁମାର ଦଳେଇ, ଶୁଭସ୍ମିତା ପ୍ରଧାନ, ଅର୍ଚ୍ଚିତା ପ୍ରିୟଦର୍ଶନୀ ମହାପାତ୍ର, ଆଶୁତୋଷ ପ୍ରିୟଦର୍ଶନ ମହାପାତ୍ର, ଲୋପାମୁଦ୍ରା ମିଶ୍ର, ନନ୍ଦିନୀ ତମନ୍ନା ମିଶ୍ରଙ୍କ ସଂଗୀତ ଦର୍ଶକଙ୍କୁ ବିମୋହିତ କରିଛି । ଅନୁଷ୍ଠାନ ସମ୍ପାଦକ ଜଗନ୍ନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅଧା ତୋର,ଅଧା ମୋର

ଶ୍ରୀକ୍ଷେତ୍ର ପୁରୀକୁ ସୁନ୍ଦର କ୍ଷେତ୍ର କରିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ଶତାଧିକ କୋଟି ଟଙ୍କା ଦେଇଥିଲେ । ନବ କଳେବର ପୂର୍ବରୁ କେତେ ଖର୍ଚ୍ଚ ହେଲା କେତେ ରହିଲା ତାହା ହିସାବ ସରକାରଙ୍କୁ ଜଣା । ପୁରୀ ସହରର ଯେଉଁସବୁ ଗଳି ରାସ୍ତା ଚଳିତ ବର୍ଷ ହୋଇଛି ସେଗୁଡିକ ମରାମତି ହେବାକୁ ଅପେକ୍ଷା କରିଛି। ପୁରୀ ବଡଦାଣ୍ଡରେ ଦୁଇପାଖ ନାଳ ବର୍ଷା ସମୟରେ ଯାତ୍ରୀଙ୍କ ପାଇଁ କାଳ ହୋଇଛି । ନାଳରେ କମ୍‍ ପାଣି ବଡଦାଣ୍ଡରେ ଅଧିକ ଯାଉଛି । ସେହିଭଳି ଦୈତାପଡା ସାହିରେ କଂକ୍ରିଟ କାମ ହେବାର ୪ ମାସ ବିତିଛି ଏବେ କିନ୍ତୁ ସିମେଣ୍ଟ ଛାଡିଯିବା ପରେ ଗୋଡି ଗୁଡିକ ଦାନ୍ତ ଦେଖାଇଲେଣି । ବୃନ୍ଦାବନ ସାହୁଙ୍କ ଜଳଖିଆ ଦୋକନରେ ଦୁଇଜଣ ସାହିଭାଇ କୁହାକୁହି ହେଉଥିଲେ ଏଠି ଯେତେକାମ ସବୁ ଅଧା ଅଧା ଲୋକଙ୍କର କିଭଳି ହେବ ସୁବିଧା । ରେଳ ଷ୍ଟେସନରୁ ପୁରୁଣା ବସ୍‍ଷ୍ଟାଣ୍ଡ ଅଧା କି:ମି ରାସ୍ତା କାମ ସରିଛି କି ଆରମ୍ଭ ହୋଇଛି ତାହା କାଳିଆ ଠାକୁର ଓ ଠିକାଦାରଙ୍କୁ ଜଣା । ଏହି ରାସ୍ତାରେ ଗାଡି ଗଲା ବେଳେ ଜଗନ୍ନାଥଙ୍କ ରଥ ଯାଉଛି ପହଣ୍ଡେ ରହୁଛି ଭଳି ଅବସ୍ଥା ଦେଖିବାକୁ ମିଳୁଛି।

ପଲ୍ଲିଶ୍ରୀ ମେଳା; କୋଟିଏ ଛୁଇଁଲା ବେପାର

ରଥଯାତ୍ରା ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ୟାପୀଠରେ ଜାତୀୟ ପଲ୍ଲିଶ୍ରୀମେଳା ଅନୁଷ୍ଠିତ ହୋଇଛି । ବୁଧବାର ବେପାର ୧କୋଟିରେ ପହଁଞ୍ôଚଛି । ୨ଦିନ ହେବ ପାଗ ଭଲଥିବାରୁ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ଜମ୍ମୁକାଶ୍ମୀର, ହରିଆଣା, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ତାମିଲନାଡୁ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ପ୍ରଭୃତି ୧୫ଟି ରାଜ୍ୟର ହସ୍ତଶିଳ୍ପ ପସରା ପଡିଛି ମେଳା ପଡିଆରେ । ଗୃହ ଉପକରଣ, ପାରମ୍ପରିକ ପୋଷାକ, ଖାଦ୍ୟପେୟ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁକିଛି ଉପଲବ୍ଧ ହେଉଛି ସେଠାରେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାସହ ମେଳା ପଡିଆରେ ବିଭିନ୍ନ ସାମଗ୍ରୀ କିଣୁଛନ୍ତି ହଜାର ହଜାର ଲୋକ । ସକାଳୁ ରାତିଯାଏଁ ମେଳା ପଡିଆରେ ଗହଳି ଲାଗିରହିଛି । ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ମେଳା । ଓରମାସ ପକ୍ଷରୁ ପଲ୍ଲିଶ୍ରୀମେଳା ଆୟୋଜନ କରାଯାଇଛି । ବିହାରର ବଧୁବନୀ, ଭାଗଲପୁରୀ ଶାଢି, ଦୋପଟ୍ଟା, ଆନ୍ଧ୍ରପ୍ରଦେଶର ସାଉଥ କଟନଶାଢି, ଛତିଶଗଡର ବେଲମେଟାଲ, ଟପ୍‍ସ, ଗୁଜରାଟର ବ୍ୟାଗ, ଝାଲେରୀ, ଅରୁଣାଚଳପ୍ରଦେଶର ଶୁଖିଲାଫୁଲ, ମଣିପୁରର ପାରମ୍ପରିକ ପୋଷାକ, କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ ପ୍ରଜାତିର କାଗଜ ଫୁଲ ସମସ୍ତଙ୍କ ମନ ମୋହିଛି । ଘରକରଣା ନିତିଦିନିଆ ଆଉ ମନପସନ୍ଦର ଜିନିଷ ସବୁ ଗ୍ରାହକ ଓ ଦର୍ଶକଙ୍କୁ ବିମୋହିତ କରୁଛି । ଓଡିଶାର କନ୍ଧମାଳ ହଳଦି, ଲଙ୍କାଗୁଣ୍ଡ, କେନ୍ଦୁଝର ଫୁଲବଡି, ପିପିଲି ଚାନ୍ଦୁଆ, ସାକ୍ଷିଗୋପାଳର ନଡିଆ ତେଲ, ଗଞ୍ଜାମ ସିଙ୍ଗକାମ, ଆଚାର ଓ ପାମ୍ପଡ, ବ୍ରହ୍ମଗିରିର ହସ୍ତଶିଳ୍ପ, କୋରାପୁଟର ଜଙ୍ଗଲଯାତ ଦ୍ରବ୍ୟ ହରିଡା, ବାହାଡା, ଲାଖ,ଝୁଣା ଓ ମହୁ ଉପଲବ୍ଧ ହୋଇଛି । ଏହାଛଡା ସ୍ୱୟଂସହାୟକ ମହିଳା ଗୋଷ୍ଠୀଙ୍କ ପକ୍ଷରୁ କତା ପାଆପୋଛ, ମୁଗଡାଲି, କୋଳଥଡାଲି, ବିରିଡାଲି, ପାମ୍ପଡ, ଝାଡୁ, ରାଶିତେଲ ସାଙ୍ଗକୁ ବିଭିନ୍ନ ଘର ଉପକରଣ ଜିନିଷମାନ ବିକ୍ରି କରାଯାଉଛି । ସେହିପରି ମେଳାରେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି କରାଉଛି । ଗ୍ରାହାକଙ୍କ ପସନ୍ଦ ମୁତାବକ ଖାଦ୍ୟ ସେଠାରେ ମିଳୁଛି । ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଖେଳନା ସାମଗ୍ରୀ ସାଙ୍ଗକୁ ଦୋଳି ଗୁଡିକରେ ଭିଡ ଲାଗିଛି ।

Leave A Reply