ମସଜିଦ ପାଇଁ ୫ ଏକର ଜମି ଦେବା ନିଷ୍ପତ୍ତିକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

- କହିଲେ, ଆଉ ଏକ ପାକିସ୍ତାନ ମୁଣ୍ଡ ଟେକିବ ଦେଶରେ

ଭୁବନେଶ୍ୱର: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ମୁସଲମାନ ସମ୍ପ୍ରଦାୟକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ ନିଷ୍ପତ୍ତି ଆଦୌ ଉଚିତ ନୁହେଁ। ଏହା ଫଳରେ ଦେଶରେ ଆଉ ଏକ ପାକିସ୍ତାନ ମୁଣ୍ଡ ଟେକିବାର ରାସ୍ତା ଖୋଲିଯିବ ବୋଲି ସେ କହିଛନ୍ତି। ମୁସଲିମ ବହୁଳ ଦେଶଗୁଡିକରୁ ମିଳୁଥିବା ଅର୍ଥ ଅଯୋଧ୍ୟାରେ ମକ୍କା ଭଳି ତୀର୍ଥ ସ୍ଥଳ ନିର୍ମାଣ କରିବାରେ ସାହାଯ୍ୟ କରିବ ଓ ସ୍ତିତି ଅସମ୍ଭାଳ ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସେ କହିଛନ୍ତି, ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ମଧ୍ୟ ଏଭଳି କରାଯାଇ ପାରିଥାନ୍ତା। ନରସିଂହ ରାଓ ଏହା ଚାହୁଁଥିଲେ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ କୋର୍ଟରେ ସୁନ୍ନି ୱାକଫ ବୋର୍ଡର ଦାବି ଖାରଜ ହେବା ପରେ ସେମାନଙ୍କୁ ୫ ଏକର ଜମି ଆବଣ୍ଟନ କରିବାର କଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ସମୟରେ କୋର୍ଟ ସମସ୍ତ ପକ୍ଷଙ୍କ ଦଲିଲ ଶୁଣିଛନ୍ତି, କେବଳ ହିନ୍ଦୁ ସଂସ୍ଥାମାନଙ୍କର ନୁହେଁ। ସେ କହିଛନ୍ତି, ଅଯୋଧ୍ୟା ଗୋବର୍ଦ୍ଧନ ପୀଠ ଅଧିକାର କ୍ଷେତ୍ରରେ ଆସୁଥିଲେ ମଧ୍ୟ ପୀଠକୁ କାହିଁକି ଉପେକ୍ଷା କରାଯାଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସବୁ ପକ୍ଷ ଏକ ପ୍ରକାର ସନ୍ତୁଷ୍ଟ ଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

Comments are closed.