ପାକିସ୍ତାନ ଏସିଆ କପ୍‍ ଜିତିବା ସମ୍ଭାବନା ଅଧିକ: ମଞ୍ଜରେକର

0

ମୁମ୍ବଇ : ୟୁଏଇରେ ଚାଲିଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଚମ୍ପିଆନ୍‍ ହେବା ସମ୍ଭାବନା ଅଧିକ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‍ ସଞ୍ଜୟ ମଞ୍ଜରେକର। ପାକିସ୍ତାନ ଏସିଆ କପ୍‍ରେ ନିଜର ପ୍ରଥମ ମ୍ୟାଚ୍‍ରେ ହଂକଂକୁ ସହଜରେ ପରାସ୍ତ କରିଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ବୁଧବାର ମ୍ୟାଚ୍‍ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‍ ଉପରେ କ୍ରିକେଟ୍‍ପ୍ରେମୀଙ୍କ ଦୃଷ୍ଟି ରହିଛି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମଞ୍ଜରେକର କହିଥିଲେ ଚଳିତ ଏସିଆ କପ୍‍ରେ ପାକିସ୍ତାନ ଦଳ ଚମ୍ପିଆନ୍‍ ହେବା ସମ୍ଭାବନା ଅଧିକ। ପାକିସ୍ତାନ ଦଳ ୟୁଏଇରେ ବହୁ ମ୍ୟାଚ୍‍ ଖେଳିଥିବାରୁ ଏଠାରେ ପିଚ୍‍ ଓ ପରିବେଶ ସହ ବେଶ୍‍ ଭଲ ଭାବେ ପରିଚିତ। ସେହିପରି ଏହି ଦଳ ବର୍ତ୍ତମାନ ଭଲ ଫର୍ମରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ଦଳରେ ବିରାଟ କୋହଲି ନ ଥିବାରୁ ଦଳର ଶକ୍ତିହ୍ରାସ ଘଟିଛି। ଭାରତୀୟ ଦଳ ଚମ୍ପିଆନ୍‍ ହେବା ଦୌଡ଼ରେ ରହିଥିଲେ ମଧ୍ୟ ପାକିିସ୍ତାନ ଦଳ ମଜବୁତ୍‍ ସ୍ଥିତିରେ ରହିଛି। ୟୁଜବେନ୍ଦ୍ର ଚହଲ୍‍ ଓ କୁଲଦୀପ ଯାଦବ ସାମିଲ ଥିବାରୁ ଭାରତୀୟ ଦଳର ଭାରସାମ୍ୟ ଠିକ୍‍ ହୋଇପାରିଛି ବୋଲି ମଞ୍ଜରେକର କହିଛନ୍ତି। ଦିନିକିଆରେ ଭାରତୀୟ ଦଳର ପ୍ରଦର୍ଶନ ଠିକ୍‍ଠାକ ଥିବାରୁ ଏସିଆ କପ୍‍ରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମଞ୍ଜରେକର ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ମଧ୍ୟଭାଗ ବ୍ୟାଟିଂ ନେଇ ଚର୍ଚ୍ଚା ଜୋର୍‍ ଧରିଥିବା ବେଳେ ନିଜ ପ୍ରତିକ୍ରିୟାରେ ମଞ୍ଜରେକର କହିଛନ୍ତି ଅମ୍ବତି ରାୟୁଡୁ, ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ, କେଦାର ଯାଦବ ପ୍ରମୁଖ ଖେଳିବା ଆଶା ଅଧିକ। ତେବେ ଆଗାମୀ ବିଶ୍ୱକପ୍‍କୁ ଦୃଷ୍ଟିରେ ରଖି ଶ୍ରେୟାସ ଆୟାରଙ୍କୁ ଏସିଆ କପ୍‍ରେ କିଛିଟା ମ୍ୟାଚ୍‍ ଖେଳାଯିବା ଉଚିତ୍‍। ବିଶ୍ୱକପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳିଙ୍କ ଦକ୍ଷତା ପରଖିବାକୁ ଏସିଆ କପ୍‍ ସୁଯୋଗ ଦେଇଛି ବୋଲି ସେ ମତ ଦେଇଛନ୍ତି।

Leave A Reply