ଇଡିରେ ୭ଘଣ୍ଟା

0

କେନ୍ଦୁଝରଗଡ଼ : ଆର୍ଥିକ ଅନିୟମିତତା ଓ ଟିକସଫାଙ୍କି ଅଭିଯୋଗରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଗୁରୁବାର ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦେଶାଳୟ ଶାଖା ପକ୍ଷରୁ ପଚରାଉଚରା କରାଯାଇଛି। ପ୍ରାୟ ୭ଘଣ୍ଟା ଜେରାର ସମ୍ମୁଖୀନ ହେବା ପରେ ବିଧାୟକ ଶ୍ରୀ ମହାକୁଡ଼ ସନ୍ଧ୍ୟା ପ୍ରାୟ ୭.୩୦ରେ ଇଡି କାର୍ଯ୍ୟାଳୟରୁ ବାହାରିଥିବା ଜଣାପଡ଼ିଛି।
ଖଣିଜ ସମ୍ପଦ ପରିବହନ ବ୍ୟବସାୟରେ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଅଭିଯୋଗରେ ୯ ଜୁଲାଇ ୨୦୧୫ରେ ଯୋଡା ବ୍ଲକ ବଳଦାସ୍ଥିତ ସିରାଜୁଦ୍ଦିନ ଓ ଉଚ୍ଚାବାଲିସ୍ଥିତ ଇନ୍ଦ୍ରାଣୀ ଖଣି କାର୍ଯ୍ୟାଳୟ, ଉଚ୍ଚବାଲିସ୍ଥିତ ଖଣି ଠିକାଦାର ସଂସ୍ଥା ତ୍ରିବେଣୀ ଆର୍ଥ ମୁଭର୍ସ କାର୍ଯ୍ୟାଳୟ, ଭଦ୍ରାସାହିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ପରିଚାଳନା ନିର୍ଦେଶକଙ୍କ ବାସଭବନ, ନମ୍ବିରାସ୍ଥ୍‍ିତ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ବାସଭବନ ଏବଂ ବିଧାୟକଙ୍କ ଦ୍ୱାରା ପରିଚାଳିତ ମା’ କୁଆଁରୀ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ଓ ମା ଜଗଜ୍ଜନନୀ ସେବା ଟ୍ରଷ୍ଟ କାର୍ଯାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଥିଲା। ଦୀର୍ଘ ୩ ବର୍ଷ ପରେ ଗୁରୁବାର ଏହି ମାମଲାରେ ବିଧାୟକ ଶ୍ରୀ ମହାକୁଡ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ପ୍ରବର୍ତ୍ତନ ନିର୍ଦେଶାଳୟ ଭୁବନେଶ୍ୱର କାର୍ଯ୍ୟାଳୟରେ ହାଜର ହୋଇ ନିଜର ପକ୍ଷ ରଖିଥିବା ଜଣାପଡିଛି। ବିଶେଷକରି ଇନ୍ଦ୍ରାଣୀ ପଟ୍ଟନାୟକ ଓ ସିରାଜୁଦ୍ଦିନ ଲୌହ ଖଣିରୁ ଶ୍ରୀ ମହାକୁଡଙ୍କ ପରିଚାଳିତ ମା କୁଆଁରୀ ଟ୍ରାନ୍ସପୋର୍ଟ ପକ୍ଷରୁ ପରିବହନ ବ୍ୟବସାୟରେ କୋଟି କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗରେ ବିଧାୟକ ଶ୍ରୀ ମହାକୁଡଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ ପରେ ଜେରା ଆରମ୍ଭ ହୋଇଛି। ସ୍ୱାଧୀନ ବିଧାୟକ ଶ୍ରୀ ମହାକୁଡ ନିଜ ନିର୍ବଚନମଣ୍ଡଳୀ ସମେତ ସମଗ୍ର କେନ୍ଦୁଝର ଜିଲାରେ ଜଣେ ଲୋକପ୍ରିୟ ନେତା ଭାବେ ବେଶ୍‍ ପରିଚିତି ହାସଲ ସହ ନିକଟରେ ‘ଜନ ସମୃଦ୍ଧି ପାର୍ଟି’ ଗଠନ ମାଧ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ରାଜନୈତିକ ପତିଆରା କ୍ଷୁର୍ଣ୍ଣ ଲକ୍ଷ୍ୟରେ ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ଠକେଇ ଆଳରେ ଚଢ଼ଉ କରାଯାଇ ମାନସିକସ୍ତରରେ ଭଣ୍ଡୁର କରିବା ପାଇଁ ଅପଚେଷ୍ଟା କରାଯାଉଥିବା ବିଧାୟକ ଶ୍ରୀ ମହାକୁଡଙ୍କ ସମର୍ଥକଙ୍କ ପକ୍ଷରୁ ଖୋଲାଖୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ, ଖଣି ଠିକାଦାର ସଂସ୍ଥା ତ୍ରିବେଣୀ ଆର୍ଥ ମୁଭର୍ସ ପରିଚାଳିତ ସିରାଜୁଦ୍ଦିନ ଓ ଇନ୍ଦ୍ରାଣୀ ପଟ୍ଟନାୟକ ଲୁହା ଖଣିରେ ଧାର୍ଯ୍ୟ ଠାରୁ ଅଧିକ ପରିମାଣର ଖଣିଜସମ୍ପଦ ଉତ୍ତୋଳନ ପରେ ବିଧାୟକ ଶ୍ରୀ ମହାକୁଡଙ୍କ ପରିଚାଳିତ ମା’ କୁଆଁରୀ ଟ୍ରାନ୍ସପୋର୍ଟ ମାଧ୍ୟମରେ ଧାର୍ଯ୍ୟ ଠାରୁ ଅଧିକ ଖଣିଜସମ୍ପଦ ପରିବହନ କରି କୋଟି କୋଟି ଟଙ୍କାର ଟିକସ ଫାଙ୍କି ନେଇ ସେତେବେଳେ ଏହି ଚଢ଼ଉ କରାଯାଇଥିଲା। ମିନେରାଲ କନ୍‍ସେସନାଲ ରୁଲ ୧୯୬୦ ଧାରା ୩୭ ଅନୁଯାୟୀ ଖଣି ଲିଜଧାରୀ ଅନ୍ୟ କାହାରିକୁ ସବ୍‍ଲିଜ, ହସ୍ତାନ୍ତର, ବନ୍ଧକ, ଟାଇଟଲ ସ୍ୱତ୍ୱ କିମ୍ବା ଅନ୍ୟ କୌଣସି କ୍ଷମତା ପ୍ରଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ନିୟମ ଦ୍ୱାରା କୌଣସି ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିଜ ନାମରେ ଲିଜ ସ୍ୱତ୍ୱ ନଥିବା ଖଣିରେ କାର୍ଯ୍ୟ କରିପାରିବେ ନାହିଁ ବୋଲି କଟକଣା ଥିବା ସତ୍ତ୍ବେ ସରକାରଙ୍କ ଆଇନରେ ଥିବା ଫାଙ୍କ ଯୋଗୁଁ ଜିଲାର ଯୋଡା ଖଣିକ୍ଷେତ୍ର ଅଞ୍ଚଳରେ ଥିବା ଇନ୍ଦ୍ରାଣୀ ପଟ୍ଟନାୟକ ଓ ସିରାଜୁଦ୍ଦିନ ଲୌହଖଣିରୁ ରାଜ୍ୟ ବାହାରର ଖଣି ଠିକାଦାର ସଂସ୍ଥା ତ୍ରିବେଣୀ ଆର୍ଥ ମୁଭର୍ସ ପକ୍ଷରୁ ଖଣିଜ ପଦାର୍ଥ ଉତ୍ତୋଳନ ଓ ପ୍ରକ୍ରିୟାକରଣ ପରେ ମା କୁଆଁରୀ ଟ୍ରାନ୍ସପୋର୍ଟ ସଂସ୍ଥା ପକ୍ଷରୁ ପରିବହନ ବ୍ୟବସାୟ ମାଧ୍ୟମରେ ଖଣି ଦୁର୍ନୀତି ସାଙ୍ଗକୁ ପରିବହନ ଆଳରେ ବ୍ୟାପକ ଆର୍ଥିକ ଅନିୟମିତତା ମଧ୍ୟ ହୋଇ ଆସୁଥିବା ନେଇ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‍ ଏମ୍‍.ବି. ଶାହା କମିସନ ଓ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ସିଇସିଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା।

Leave A Reply