ବହୁ ବର୍ଷ ହେବ ଗାଦି ମାଡି ବସିଛନ୍ତି ବହୁ ଅଧିକାରୀ ଓ କର୍ମଚାରୀ

ସମ୍ବଲପୁର :  ପଶ୍ଚିମ ଓଡିଶାର ପ୍ରମୁଖ ଜିଲା ହେବା ସହିତ ରାଜ୍ୟରେ ସମ୍ବଲପୁର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଜିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗଡିବାରେ ଲାଗିଛି। ଏଭଳି ସ୍ଥଳରେ ଜିଲାରେ ହୁଗୁଳା ପଡିଯାଇଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବାର ଗୁରୁଦାୟିତ୍ୱ ପୁଲିସ ବିଭାଗ ଉପରେ ରହିଥିବା ବେଳେ ବହୁ ସମୟରେ ନିଜର ପରିଚାଳନାଗତ ତ୍ରୃଟି ଯୋଗୁଁ ଅପରାଧିକ ଗତିବିଧି ଉପରେ ଅଙ୍କୁଶ ଲଗାଇବାରେ ପୁଲିସ ଅସଫଳ ରହୁଛି।

ଜିଲା ପୁଲିସ ମୁଖ୍ୟାଳୟ ସହିତ ଜିଲାରେ ଥିବା ବିଭିନ୍ନ ଥାନା ଗୁଡିକ ଉପରେ ସିଧାସଳଖ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ ରଖିବାର ଦାୟିତ୍ୱ ଥିଲେ ସୁଦ୍ଧା ଅପରାଧିକ ଗତିବିଧି ଓ ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଆହୁରୀ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଦଳ ମାନ ରହିଛି। ଏହି ସ୍ୱତନ୍ତ୍ର ଦଳ ଗୁଡିକର ଦାୟିତ୍ୱ ହେଉଛି କୌଣସି ଅଘଟଣ ଅଥବା ଅପରାଧିକ ଗତିବିଧି ଘଟିବା ପୂର୍ବରୁ ତାକୁ ସୁନିୟୋଜିତ ଭାବରେ ଏଡାଇ ଯାଇ ଅପରାଧି ମାନଙ୍କୁ ମୂଳ ସ୍ତରରୁ ନିପାତ କରିବା ହେଉଛି ସେମାନଙ୍କର ପ୍ରମୁଖ ଦାୟିତ୍ୱ। କିନ୍ତୁ ସମ୍ବଲପୁର ଜିଲା ପୁଲିସ ଏହି ସ୍ଥାନରେ ବାରମ୍ବାର ବିଫଳ ହେଉଥିବାରୁ ଜିଲାରେ ଅପରାଧିକ ଗତିବିଧି ଦିନକୁ ଦିନ ବଢ଼ିବାରେ ଲାଗିଛି।

ପୁଲିସର ବିଭିନ୍ନ ପ୍ରକାରର ସାଧା ପୋଷାକଧାରୀ ସ୍ୱତନ୍ତ୍ର ଦଳ ଗୁଡିକରେ ବର୍ଷ ବର୍ଷ ହେବ ବହୁ ପୁଲିସ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ କୁଣ୍ଡଳି ମାରି ବସି ରହିଛନ୍ତି। ନିୟମିତ ବ୍ୟବଧାନରେ ଜିଲା ପୁଲିସ ମୁଖିଆ ଙ୍କ ସମେତ ଅନ୍ୟ ବଡ ଅଧିକାରୀ ମାନେ ବଦଳ ହେଉଥିବା ବେଳେ କିନ୍ତୁ ଏହି ଅଧିକାରୀ ଓ କର୍ମଚାରୀ ମାନେ ସେମାନଙ୍କର ଆସ୍ଥାନ ଜମାଇ ରହୁଛନ୍ତି। ଯାହା ଫଳରେ ଜିଲାକୁ ଆସୁଥିବା ନୂତନ ମୁଖିଆ ମାନେ ସେମାନଙ୍କ ଉପରେ ଭରସା କରିବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ଏହି ବିଶ୍ୱାସର ଭୂଲ ଫାଇଦା ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ ଅଧିଷ୍ଠିତ ସେହି ଅଧିକାରୀ ଓ କର୍ମଚାରୀ ମାନେ ଉଠାଉଛନ୍ତି। ଯାହା ଫଳରେ ବହୁ ସମୟରେ ସେମାନେ ପ୍ରାୟତଃ ବହୁ ଅପରାଧିକ ଗତିବିଧି ସର୍ମ୍ପକରେ ଜାଣୁଥିବା ବେଳେ କିନ୍ତୁ ତାଙ୍କର ସର୍ମ୍ପକରେ ଥିବା ଅପରାଧି ମାନଙ୍କ ଉପରୁ ବଡ ଅଧିକାରୀ ମାନଙ୍କ ଧ୍ୟାନ ହଟାଇବା ପାଇଁ ସେମାନେ ମୁଖିଆଙ୍କୁ ଭୁଲ ଦିଗରେ ସୂଚନା ପ୍ରଦାନ କରୁଛନ୍ତି। ଯାହା ଫଳରେ ଜିଲା ପୁଲିସ ତାର ମୂଳ ଲକ୍ଷ୍ୟରୁ ବିଭ୍ରାନ୍ତ ହୋଇଯାଉଛି।

ଏପରିକି ବର୍ଷ ବର୍ଷ ଧରି ଅସ୍ଥାନ ଜମାଇଥିବା ସେହି କର୍ମଚାରୀ ମାନଙ୍କ ଯୋଗୁଁ ବହୁ ବର୍ଷ ହେବ ଅପରାଧର ଦୁନିଆ ଛାଡି ମୁଖ ସ୍ରେତକୁ ଫେରିଥିବା ପୁରୁଣା ଅପରାଧି ମାନଙ୍କୁ ମଧ୍ୟ ପୁଲିସ ଧରି କାର୍ଯ୍ୟାନୁଷ୍ଠାନ କରୁଥିବାର କୁହାଯାଉଛି। ଜିଲାର ଅପରାଧ ଦୁନିଆରେ ନାମକରା ଅପରାଧୀମାନଙ୍କ ସହିତ ସେମାନଙ୍କର ସୁସର୍ମ୍ପକ ଥିବାରୁ ସେହି ଅପରାଧୀ ମାନେ ପୁଲିସର ସ୍ୱତନ୍ତ୍ର ଅଭିଯାନ ସର୍ମ୍ପକରେ ପୂର୍ବରୁ ସୂଚନା ପାଇପାରୁଛନ୍ତି। ଯାହା ଫଳରେ ବହୁ ସମୟରେ ପୁଲିସ ଜିଲା ଅପରାଧ ଦୁନିଆର ବଡ ମାଛ ମାନଙ୍କୁ ଧରିବା ପରିବର୍ତ୍ତେ ଛୋଟ ଅଥବା ଚୂନା ମାଛକୁ ଧରି ସନ୍ତୁଷ୍ଟ ହେଉଛି।

ଏହାର ଉଦାହରଣ ସ୍ୱରୂପ, ଜିଲାରେ ବେଆଇନ କଫ୍ ସିରଫ ପ୍ରସଙ୍ଗକୁ ନିଆଯାଇପାରେ। ପୁଲିସ ଜିଲାରେ ବାରମ୍ବାର ଚଢ଼ଉ ଅଭିଯାନ ମାନ କରି ବିପୁଳ ମାତ୍ରାରେ ବେଆଇନ କଫ୍ ସିରଫ ଧରୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରାକେଟର କୌଣସି ବଡ କିଙ୍ଗପିନକୁ ପୁଲିସ ଧରିବାରେ ଅସଫଳ ହେଉଛି। ଏହି ସବୁ ପଛରେ ଜିଲା ପୁଲିସ

ପ୍ରତୀକାତ୍ମକ ଫଟୋ

ବିଭାଗ ମଧ୍ୟରେ ଦ୍ୱିତୀୟ ଧାଡିରୁ ନେଇ ଶେଷ ଧାଡି ପର୍ଯ୍ୟନ୍ତ ବସି ରହିଥିବା କେତେକ ଅଧିକାରୀ ଓ କର୍ମଚାରୀ ମାନେ ଦାୟୀ ବୋଲି କୁହାଯାଉଛି। ଏଣୁ ଜିଲାରେ ଜନତାଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ ସହିତ ଅପରାଧ ଉପରେ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ବିଭାଗ ନିଜ ବିଭାଗ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.