୧୪ ବର୍ଷ ପରେ ଆରମ୍ଭ ହେଲା ଡିଲେଶ୍ୱରୀଙ୍କର ଆଧାର କାର୍ଡ ନିର୍ମାଣ ପ୍ରକ୍ରିୟା

ସମ୍ବଲପୁର : ଶତବାର୍ଷିକୀ ପୂରଣ କରିସାରିଥିବା ଦୈନିକ ଓଡିଆ ଖବର କାଗଜ ‘ସମାଜ’ରେ ଗତ ୩ ତାରିଖରେ ପ୍ରକାଶିତ ଖବର ‘ଆଧାର ନାହିଁ ବୋଲି ମିଳୁନି ସହାୟତା ’ ଶୀର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ସମ୍ବଲପୁର ମହାନଗର ଅଧିନସ୍ଥ ବୁଢ଼ାରଜାର ରାମଗଡପଡା ନିବାସୀ ଜନ୍ମରୁ ଦିବ୍ୟାଙ୍ଗ ଡିଲେଶ୍ୱରୀଙ୍କ ଆଧାର କାର୍ଡ ନିର୍ମାଣ ହେଉ ନ ଥିବାରୁ ତାଙ୍କୁ ସରକାରୀ ଯୋଜନାର ଲାଭ ମିଳି ପାରୁ ନ ଥିବା ସର୍ମ୍ପକିତ ଖବର ‘ସମାଜ’ ରେ ବାହାରିଥିଲା। ଏହି ଖବରର ପ୍ରଭାବ ଯୋଗୁଁ ପ୍ରଶାସନ ଏବେ ସକ୍ରିୟ ହୋଇଯାଇଛି। ଏହି କ୍ରମରେ ଦିବ୍ୟାଙ୍ଗ ଡିଲେଶ୍ୱରୀଙ୍କର ଆଧାର କାର୍ଡ ନିର୍ମାଣ ପାଇଁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଲିଲି ସେନାପତି ଙ୍କର ଦ୍ୱାରା ପ୍ରତ୍ୟକ୍ଷ ହସ୍ତକ୍ଷେପ କରାଯାଇ ପ୍ରାଧିକରଣର ଦୁଇ ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ରାଜେଶ ଭରମାଲ ଓ ମିନକେତନ ମେହେରଙ୍କୁ ତୁରନ୍ତ ରାମଗଡପଡା ସ୍ଥିତ ଡିଲେଶ୍ୱରୀଙ୍କ ଘରକୁ ପଠାଯାଇଥିଲା। ସ୍ୱେଚ୍ଛାସେବୀ ମାନେ ଡିଲେଶ୍ୱରୀଙ୍କୁ ତାଙ୍କର ମାଁ ଆରତୀଙ୍କ ସହିତ ଆଣି ମୁଖ୍ୟ ଡାକଘର ରେ ରହିଥିବା ଆଧାର କେନ୍ଦ୍ରରେ ଆଧାର କାର୍ଡ ନିର୍ମାଣ ପାଇଁ ପଞ୍ଜିକରଣ କରାଇଥିଲେ। ଏହା ପରେ ପୁଣି ଥରେ ଡିଲେଶ୍ୱରୀଙ୍କୁ ତାଙ୍କର ଘରେ ଛାଡିବା ସହିତ ଆସନ୍ତା ଏକ ମାସରେ ଆଧାର କାର୍ଡ ହୋଇଯିବ ବୋଲି ଡିଲେଶ୍ୱରୀଙ୍କର ମାଁ ଆରତୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାମଗଡପଡାର ନିବାସୀ ତଥା ପେଶାରେ ମେକାନିକ ପ୍ରବୀଣ ସାହୁ ଓ ଆରତୀଙ୍କର ଦୁଇଟି ସନ୍ତାନ ମଧ୍ୟରେ ଡିଲେଶ୍ୱରୀ ବଡ ସନ୍ତାନ। ଡିଲେଶ୍ୱରୀ ଜନ୍ମରୁ ଦିବ୍ୟାଙ୍ଗ ଥିବାରୁ ସେ ଉଠି ବସି ପାରୁ ନ ଥିବାରୁ ସେ ସବୁ ସମୟରେ ଶୋଇ ରହିଥାନ୍ତି। ତେବେ ତାଙ୍କର ଆଧାର କାର୍ଡ ନ ଥିବାରୁ ତାଙ୍କୁ କୌଣସି ସରକାରୀ ଯୋଜନାର ଲାଭ ମିଳି ପାରି ନାହିଁ। ତେବେ ଦୈନିକ ଖବର କାଗଜ ‘ସମାଜ’ ତାର ଦାୟିତ୍ୱ ସଫଳ ଭାବରେ ନିର୍ବାହ କରିଥିବାରୁ ଡିଲେଶ୍ୱରୀ ଙ୍କ ପରିବାର ତରଫରୁ ଧନ୍ୟବାଦ ଦିଆଯିବା ସହିତ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଉଛି।

Comments are closed.