ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖରରେ ସମ୍ବଲପୁରର ଝିଅ ତ୍ରିଶା

0

ସମ୍ବଲପୁର: ଆଫ୍ରିକା ମହାଦେଶର ତାଞ୍ଜାନିଆ ଦେଶରେ ସ୍ଥିତ ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖର ‘ମାଉନ୍ଟ କିଲିମଞ୍ଜାରୀ’ ରେ ପାଦ ଥାପିଛନ୍ତି ସମ୍ବଲପୁରର ଝିଅ ତ୍ରିଶା ଅଗ୍ରୱାଲ। ଏହା ପୂର୍ବରୁ ଏହି ପର୍ବତ ଶିଖରରେ ୨୦୧୧ ମସିହାରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାର ନର୍ଲା ନିବାସୀ ଅଧ୍ୟାପକ ଯୋଗବ୍ୟାସ ଭୋଇ ପହଞ୍ଚି ଜାତୀୟ ପତାକା ଉଡାଇଥିଲେ। ମାତ୍ର ୧୬ ବର୍ଷର ତ୍ରିଶା ପୁର୍ନବାର ଏହି ଇତିହାସକୁ ଦୋହାରାଇବା ସହିତ ସମ୍ବଲପୁର ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଭାରତୀୟ ସମୟାନୁସାର ୧୨ ସେପ୍ଟେମ୍ବର ଦିନ ମାଉନ୍ଟ କିଲିମଞ୍ଜାରୀର ଶିଖରରେ ପହଞ୍ଚି ନିଜର ସ୍ୱପ୍ନକୁ ସାକାର କରିଛନ୍ତି। ଏହି ପର୍ବତର ଉଚ୍ଚତା ୫୮୯୫ ମିଟର (୧୯୩୪୧ ଫୁଟ) ଅଟେ। ଏହି ପର୍ବତର ଶିଖରକୁ ପହଞ୍ଚିବା ପାଇଁ ଘନ ଜଙ୍ଗଲ, ନଦୀ, ପଥରିଲା ରାସ୍ତା ଦେଇ ବହୁ କଠିନ ପରିଶ୍ରମ ଓ ବିପରିତ ପରିସ୍ଥିତିରେ ପର୍ବତର ଚଢ଼ାଇ କରିବାକୁ ପଡିଥାଏ। ତ୍ରିଶାଙ୍କୁ ଶେଷ ଚଢ଼ାଇ କରିବା ପାଇଁ ୧୨ ଘଣ୍ଟାର ସମୟ ଲାଗିଥିଲା ବୋଲି ସେ କହିଛନ୍ତି। ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ଗ୍ରିନ ପାର୍କ ରେସିଡେନ୍ସିରେ ରହୁଥିବା ସିଦେ୍ଧଶ ଅଗ୍ରୱାଲ ଓ ନିତୁ ଅଗ୍ରୱାଲ ଙ୍କର ଝିଅ ତ୍ରିଶା ଛୋଟ ସମୟରୁ ହିଁ ଦୁଃସାହାସିକ କାର୍ୟ୍ୟ ପ୍ରତି ବିଶେଷ ଆଗ୍ରହ ରହିଆସିଛି। ପାହାଡ, ପର୍ବତରେ ଟ୍ରାକିଂ କରିବାର ତାଙ୍କର ବିଶେଷ ସଉକ ରହିଛି। ଏହି ସଉକ ଯୋଗୁଁ ଆଜି ସେ ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତକୁ ବିଜୟ କରିବାରେ ସଫଳ ହୋଇଛନ୍ତି ବୋଲି ପରିବାରଲୋକେ କହିଛନ୍ତି।

ସ୍ଥାନୀୟ ସେନ୍ଟ ଯୋଶେଫ କନଭେନ୍ଟ ସ୍କୁଲରେ ପଢ଼ିଥିବା ତ୍ରିଶା ଏବେ ଗୋଆଲିୟର ସ୍ଥିତ ସିନ୍ଧିଆ କନ୍ୟା ବିଦ୍ୟାଳୟର ଛାତ୍ରୀ ଅଟନ୍ତି। ତ୍ରିଶାଙ୍କର ବାପା ସିଦେ୍ଧଶଙ୍କ କହିବାନୁଯାୟୀ, ଏହି ପର୍ବତ ଆରୋହଣ ଅଭିଯାନ ପାଇଁ ତ୍ରିଶା ଗତ ୫ ତାରିଖରେ ଗୋଆଲିଅରରୁ ନୁଆଦିଲ୍ଲୀ ଦେଇ ଆଫ୍ରିକାର ତାଞ୍ଜାନିଆ ଦେଶର କିଲିମଞ୍ଜାରୀ ଠାରେ ୬ ତାରିଖରେ ପହଞ୍ଚିଥିଲେ। ୭ ତାରିଖ ଦିନ ଏହି ଅଭିଯାନ ତ୍ରିଶା ତାଙ୍କର ଦଳ ସହିତ ଆରମ୍ଭ କରିଥିବା ବେଳେ ଗତ ୧୧ ତାରିଖ ରାତ୍ରିରେ ଅନ୍ତିମ ବେସ କ୍ୟାମ୍ପରୁ ଶେଷ ଚଢ଼ାଇ ଆରମ୍ଭ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଅନବରତ ଚଢ଼ାଇ ପରେ ସେ ଓ ତାଙ୍କର ଦଳ ବିଶ୍ୱର ଚତୁର୍ଥ ଉଚ୍ଚତମ ପର୍ବତଶୃଙ୍ଗରେ ପାଦ ଥାପିବାର କୃତୀତ୍ୱ ଅର୍ଜନ କରିଥିଲେ। ତ୍ରିଶାଙ୍କର ଏହି ସଫଳତା ତାଙ୍କୁ ଏକ ନୂତନ ପରିଚୟ ପ୍ରଦାନ କରିଥିବା ବେଳେ ଏହା ଅନ୍ୟ ଯୁବତୀ ମାନଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାରକୁ ଏବେ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

Leave A Reply