ଏଣିକି ଆପ୍‍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରିବେ ଜିଲାପାଳ

ସମ୍ବଲପୁର: ଜନତାଙ୍କ ସୁବିଧା ପାଇଁ ସମ୍ବଲପୁର ଜିଲା ପ୍ରଶାସନ ଦ୍ୱାରା ଜନ ଅଭିଯୋଗ ଗୁଡିକୁ ଅନଲାଇନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ ଜିଲାର ସମସ୍ତ ଜନତାଙ୍କ ପାଇଁ ମୋବାଇଲ ଆପ ଲଞ୍ଚ କରାଯାଇ ଅଭିଯୋଗ ଗ୍ରହଣ ଆରମ୍ଭ କରାଯାଇଥିଲା। ଏହାର ପରବର୍ତ୍ତୀ କ୍ରମରେ ସୋମବାର ଦିନ ଜିଲା ପ୍ରଶାସନ ପକ୍ଷରୁ ଅନଲାଇନ ସିଟିଜେନ ପୋର୍ଟାଲ (http://collectorsambalpur.in) ଆରମ୍ଭ କରାଯାଇଛି। ଏହି ପୋର୍ଟାଲକୁ ଯାଇ ଜିଲାର କୌଣସି ବ୍ୟକ୍ତି ସିଧାସଳଖ ତାଙ୍କର ସମସ୍ୟା ସର୍ମ୍ପକରେ ଅଭିଯୋଗ କରି ପାରିବ। ଏବେ ଜନତା ସେମାନଙ୍କର ସମସ୍ୟାର ଅଭିଯୋଗ କରିବା ବାରମ୍ବାର ଜିଲାପାଳ ଙ୍କ କାର୍ୟ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଏବେ ଜିଲାର ଏହି ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଗ୍ରହଣ ଓ ତାହାର ସୁବିଧା କରାଯିବ ବୋଲି ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୬ ତାରିଖରେ ସମ୍ବଲପୁର ଜିଲାରେ ପ୍ରଥମ ଥର ପାଇଁ ଜନତାଙ୍କର ସୁବିଧା ପାଇଁ ଜନଅଭିଯୋଗ ପୋର୍ଟାଲର ଶୁଭାରମ୍ଭ ଜିଲା ଅର୍ନ୍ତଗତ ମାନେଶ୍ୱର ବ୍ଲକ ଠାରେ ଜିଲାପାଳଙ୍କ ଜନଶୁଣାଣି କାର୍ୟ୍ୟକ୍ରମ କରାଯାଇଥିଲା। ଜିଲାରେ ଜନତା କରୁଥିବା ସମସ୍ତ ଅଭିଯୋଗ ଗୁଡିକ ପ୍ରାପ୍ତ ହେବା ପରେ ଅନଲାଇନ ପୋର୍ଟାଲରେ ଅପଲୋଡ କରାଯାଇ ଅଭିଯୋଗ ସହିତ ସମ୍ବନ୍ଧିତ ବିଭାଗକୁ ପଠାଯାଉଛି। ଏହା ପରେ ସେହି ବିଭାଗ ଅଭିଯୋଗକୁ ସମାଧାନ କରିବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି। ଅଭିଯୋଗ ଅପଲୋଡ ହେବା ପରେ ତାହାର ସମାଧାନ ସ୍ଥିତି ଜିଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଜିଲାସ୍ତରୀୟ ଅଧିକାରୀ ମାନଙ୍କ ପର୍ୟ୍ୟନ୍ତ ଯିଏ ଯେତେବେଳେ ଚାହିଁବ ଦେଖିପାରୁଛନ୍ତି। ଏହା ସହିତ ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ଧାର୍ୟ୍ୟ କରାଯାଇଛି। ତେବେ ସେ ସମୟରେ ଏହି ପୋର୍ଟାଲରେ କେବଳ ଅପଲାଇନରେ ଦରଖାସ୍ତ ଦେଇଥିବା ଅଭିଯୋକାରୀ ମାନଙ୍କର ଦରଖାସ୍ତକୁ ସେହି ଦିନ ଅପଲୋଡ କରାଯାଇ ସମ୍ବନ୍ଧୀୟ ବିଭାଗକୁ ପଠାଯାଉଥିଲା। ସାଧାରଣ ଜନତାଙ୍କ ପାଇଁ ଏହି ପୋର୍ଟାଲକୁ ଏକ ମାସ ମଧ୍ୟରେ ଖୋଲାଯିବ ବୋଲି କୁହାଯାଇଥିବା ବେଳେ ଏହା ପ୍ରାୟ ଦୁଇ ମାସ ପରେ ଯାଇ ଖୋଲାଯାଇଛି।

ପୂର୍ବରୁ ଅଭିଯୋଗକାରୀ ଜିଲାପାଳଙ୍କ ଜନଶୁଣାଣୀ ସମୟରେ ଅଭିଯୋଗ ଦାଖଲ କଲା ପରେ ସେହି ଅଭିଯୋଗ ସମ୍ବନ୍ଧୀୟ ବିଭାଗ ନିକଟରୁ ଅଭିଯୋଗକାରୀର ଦରଖାସ୍ତ ପହୁଞ୍ଚିବାରେ ଦୁଇ ରୁ ତିନି ଦିନ ଲାଗି ଯାଉଥିଲା। କିନ୍ତୁ ଏବେ ଅନଲାଇନ କାର୍ୟ୍ୟାରମ୍ଭ ହୋଇଥିବାରୁ ଏହା ସେହି ଦିନ ସନ୍ଧ୍ୟା ପର୍ୟ୍ୟନ୍ତ ସମ୍ବନ୍ଧୀୟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପହଞ୍ଚି ଯାଉଛି। ଯାହାଦ୍ୱାରା ସମୟ, କାଗଜ ଓ ମାନବ ସମ୍ବଳର କମ ଉପଯୋଗରେ ଶିଘ୍ର କାର୍ୟ୍ୟ ହେଉଛି ବୋଲି ଜିଲା ପ୍ରଶାସନ ଜଣାଇଛି। ଏବେ ଜନସାଧାରଣଙ୍କୁ ସେମାନଙ୍କୁ ଅଭିଯୋଗ କରିବା ପାଇଁ ବାରମ୍ବାର ଜିଲାପାଳ କାର୍ୟ୍ୟାଳୟକୁ ଧାଇଁବାକୁ ପଡିବ ନାହିଁ। ତେବେ ସମୟ ହିଁ କହିବ ଯେ ଏହି ପ୍ରକ୍ରିୟାରେ ଜନତା କେତେ ଦୂର ଲାଭବାନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments are closed.