ଜିଲାପାଳଙ୍କ କାର୍ଯ୍ୟାଳୟରେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଜନତା

ସମ୍ବଲପୁର : ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟରେ ଜନତା ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ସର୍ବ ନିମ୍ନ ପାନୀୟ ଓ ଶୌଚାଳୟ ଭଳି ସୁବିଧା ଜନତାଙ୍କୁ ଯୋଗାଇ ଦିଆଯାଉ ନାହିଁ ବୋଲି ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟହ ଶହ ଶହ ଲୋକ ଜିଲାର କୋଣ ଅଣୁକୋଣରୁ ବିଭିନ୍ନ ସମସ୍ୟାର ସମାଧାନ ଓ କାର୍ଯ୍ୟ ପାଇଁ ଆସିଥାନ୍ତି। କିନ୍ତୁ ଜନତାଙ୍କ ସୁବିଧା ପାଇଁ ଜିଲାପାଳ କାର୍ଯ୍ୟାଳୟରେ କୌଣସି ପ୍ରକାରର ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଇ ନାହିଁ କି ପ୍ରଶାସନର ଏଥିପ୍ରତି କୌଣସି ଆନ୍ତରିକତା ମଧ୍ୟ ନାହିଁ। ଯାହା ଫଳରେ ଜିଲାର ନିରୀହ ଜନତା ପ୍ରତ୍ୟହ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଥିବାର ପରିଲକ୍ଷିତ ହେଉଛି।

ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଇଁ ଆସୁଥିବା ବେଳେ ପ୍ରତୀକ୍ଷା କରିବା ପାଇଁ ଗୃହର ଅଭାବ ଯୋଗୁଁ ପୁରୁଷ, ମହିଳା, ଶିଶୁ, ଦିବ୍ୟାଙ୍ଗ ଓ ରୋଗୀ ମାନେ ଏଣେ ତେଣେ ତଳେ ବସୁଛନ୍ତି। ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଲୋକେ ପାଣି ମୁନ୍ଦିଏ ପାଇଁ ଏଣେ ତେଣେ ଧାଉଁଛନ୍ତି। ସେହିଭଳି ପୁରୁଷ ଶୌଚାଳୟର ଅବସ୍ଥା ଭାଙ୍ଗିରୁଜି ପଡିଥିବା ବେଳେ ତାହା ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହେଉଛି। ମହିଳା ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ଶୌଚାଳୟରେ ତାଲା ପଡିଛି। କାହିଁ କେଉଁ କାଳରୁ କାର୍ଯ୍ୟାଳୟ ପରିସରରେ ଏକ ବ୍ୟାଙ୍କର ପାରିପାରଶ୍ୱିକ ପାଣ୍ଠିରୁ ଏକ ୱାଟର କୁଲର ଲଗାଯାଇଥିବା ବେଳେ ତାହା ପ୍ରାୟତଃ ବନ୍ଦ ହୋଇ ପଡିରହୁଛି। କାଁଭାଁ କେତେବେଳେ କେମିତି ଏହା ଚାଲିଥାଏ। ଏଣୁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଜିଲା ପ୍ରଶାସନ କିଭଳି ଭାବରେ ଜନତାଙ୍କୁ ସ୍ୱାର୍ଥ ପ୍ରତି ସଚେତନ ରହିଛନ୍ତି, ତାହା ଖୋଦ ଜିଲା ମୁଖ୍ୟାଳୟର ଅବସ୍ଥାରୁ ହିଁ ଜଣାପଡୁଛି। ଏଣୁ ଜନତାଙ୍କ ସୁବିଧା ସୁଯୋଗର ବ୍ୟବସ୍ଥା କରୁଥିବାର ଡିଣ୍ଡିମ ପିଟୁଥିବା ପ୍ରଶାସନ ପ୍ରକୃତ କ୍ଷେତ୍ରରେ ଜନତାଙ୍କ ପାଇଁ ନିଜ ଘରୁ କାର୍ଯ୍ୟ ଆରମ୍ଭ କରୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.