ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ : ରୋଗୀକୁ ଷ୍ଟ୍ରେଚରରେ ଦେଢକିଲୋମିଟର ବୋହିଲେ

ସମ୍ବଲପୁର: ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଟାମ୍ପରଗଡ ଗ୍ରାମପଞ୍ଚାୟତର ଟିରପିଟକାନି ଗ୍ରାମର ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଟିରପିଟକାନି ଗ୍ରାମର ଏଲାରୋସ ସୋରେନ (୬୦) ଙ୍କର ବେକ ଫୁଲିଯିବା ସହିତ ତଳି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶୁକ୍ରବାର ଦିନ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଅଞ୍ଜଲୁସ ସୋରେନ ସକାଳ ପ୍ରାୟ ୮ଟାରେ ତାଙ୍କର ମୋବାଇଲ ଯୋଗେ ୧୦୮ ଆମ୍ବଲାନ୍ସର ସହଯୋଗ ଲୋଡିଥିଲେ। ଏଣୁ ସେହି ଅଞ୍ଚଳରେ କାର୍ୟ୍ୟରତ ଆମ୍ବୁଲାନ୍ସ କର୍ମଚାରୀ ବେଦବ୍ୟାସ ପ୍ରଧାନ, କେଶବ ସାହୁ ଓ ଜଗଦିଶ ସୁନାନୀ ତୁରନ୍ତ ଆମ୍ବୁଲାନ୍ସ ନେଇ ସେହି ଅଞ୍ଚଳକୁ ଯାଇଥିଲେ। ବଣଜଙ୍ଗଲ ଘେରା ସେହି ଗ୍ରାମକୁ କୌଣସି ପକ୍କା ରାସ୍ତା ନଥିବାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଆମ୍ବଲାନ୍ସ ଅଟକି ଯାଇଥିଲା। ଏଣୁ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗ୍ରାମକୁ ଷ୍ଟ୍ରେଚର ନେଇ ଚାଲି ଚାଲି ଯାଇଥିଲେ। କର୍ମଚାରୀ ମାନେ ଏଲାରୋସଙ୍କର ଘରକୁ ଯାଇ ତାଙ୍କର ପରିବାରବର୍ଗଙ୍କ ସହଯୋଗରେ ଷ୍ଟ୍ରେଚର ସାହାର୍ୟ୍ୟରେ ପ୍ରାୟ ଦେଢ଼ କିଲୋମିଟରରୁ ଉର୍ଦ୍ଧ ଦୂରରେ ଛିଡା ହୋଇଥିବା ଆମ୍ବୁଲାନ୍ସକୁ ତାଙ୍କୁ ବୋହି କରି ଆଣିଥିଲେ। ଏହା ପରେ ଯାଇ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇ ଦିନ ପ୍ରାୟ ୧୧ଟା ସମୟରେ ଭେଷଜ ୱାର୍ଡର ବେଡ ନଂ ୧୩୯ରେ ଭର୍ତ୍ତି କରାଯାଇଥିଲା। ଏବେ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅବସ୍ଥା ସ୍ଥିର ରହିଛି। ପ୍ରାପ୍ତସୂଚନାନୁଯାୟୀ, ବଣ ପର୍ବତ ଘେରା ଏହି ଗ୍ରାମରେ ୨୮ଟି ପରିବାରର ଶତାଧିକ ଲୋକ ବସବାସ କରୁଛନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟରୁ ହୋଇଥିବା ବେଳେ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମ ପଞ୍ଚାୟତ ଠାରୁ ନେଇ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପର୍ୟ୍ୟନ୍ତ ବାରମ୍ବାର ନେହୁରା କରି ଆସୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏ ପର୍ୟ୍ୟନ୍ତ ସେମାନଙ୍କର ଦାବୀ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ସ୍ୱାଧିନତାର ୭୨ ବର୍ଷ ପରେ ସୁଦ୍ଧା ସମ୍ବଲପୁର ଜିଲାରେ ଏଭଳି ବହୁ ଅଞ୍ଚଳ ଏବେ ମଧ୍ୟ ଅଗମ୍ୟ ହୋଇ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି ବୋଲି ଡିମଡିମ ପିଟୁଥିବା ବେଳେ ଏହି ଘଟଣା ସରକାର ଓ ପ୍ରଶାସନର ଫମ୍ପା ଦାବିର ପୋଲ ଖୋଲି ଦେଉଛି। ୧୦୮ କର୍ମଚାରୀ ମାନେ ସେମାନଙ୍କର ମାନବିକତା ପରିଚୟ ନ ଦେଇ ଯଦି ଆମ୍ବୁଲାନ୍ସ ଯାଇ ପାରୁ ନ ଥିବା କହି ଫେରିଆସିଥାନ୍ତେ ତାହା ହେଲେ ବୋଧହୁଏ ଗୋଟିଏ ଅମୂଲ୍ୟ ଜୀବନ ଚାଲିଯାଇଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

Comments are closed.