୬୫ତମ ରାଜ୍ୟସ୍ତରୀୟ ସ୍କୁଲ ସନ୍ତରଣ ପ୍ରତିଯୋଗୀତା

ସମ୍ବଲପୁର: ସମ୍ବଲପୁରର ଡା. ଝସକେତନ ସାହୁ ଜିଲା ସନ୍ତରଣାଗାର ଠାରେ ୬୫ତମ ରାଜ୍ୟସ୍ତରୀୟ ସ୍କୁଲ ସନ୍ତରଣ ପ୍ରତିଯୋଗୀତା ୨୦୧୯ ଆୟୋଜିତ ହୋଇଯାଇଛି। ରାଜ୍ୟ ସ୍କୁଲ କ୍ରିଡା ସଙ୍ଗଠନ ଓ ଜିଲା ଶିକ୍ଷାଧିକାରୀ କାର୍ୟ୍ୟାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ସକାଳ ୯ଟାରେ ସମ୍ବଲପୁରର ଅତିରିକ୍ତ ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଉପ ନିର୍ଦ୍ଦେଶକ ସ୍ନେହମୟୀ ସେନାପତି, ବରଗଡ ଜିଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ, ସମଗ୍ର ଶିକ୍ଷାଧିକାରୀ ସମ୍ବଲପୁର କଳ୍ପନା ପଣ୍ଡା ଓ ଜିଲା କ୍ରିଡାଧିକାରୀ ଉପେନ୍ଦ୍ର କୁମାର ଶତପଥି ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରତିଯୋଗୀତାରେ ୧୧ ଟି ଜିଲାରୁ ସମୁଦାୟ ୯୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୭ ବର୍ଷରୁ କମ ବର୍ଗରେ ୩୧ ଜଣ ବାଳକ ଓ ୧୬ ଜଣ ବାଳିକା ଏବଂ ୧୪ ବର୍ଷରୁ କମ ବର୍ଗରେ ୨୯ ଜଣ ବାଳକ ଓ ୨୧ ଜଣ ବାଳିକା ଯୋଗ ଦେଇଥିଲେ। ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ସମ୍ବଲପୁର ଏବଂ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଭୁବନେଶ୍ୱର ଗୃପ ଚାମ୍ପିୟାନ ହୋଇଛନ୍ତି। ସେହିଭଳି ବ୍ୟକ୍ତିଗତ ୧୭ ବର୍ଷରୁ କମ ବାଳକ ବର୍ଗରେ ସମ୍ବଲପୁରର ଅମୀୟ କୁମାର ପ୍ରଧାନ ଓ ଉପେନ୍ଦ୍ର ପୁଜାରୀ ଏବଂ ବାଳିକା ବର୍ଗରେ ସମ୍ବଲପୁରର ଅର୍ପିତା ସାହୁ ଚାମ୍ପିୟାନ ହୋଇଛନ୍ତି। ସେହିଭଳି ୧୪ ବର୍ଷରୁ କମ ବାଳକ ବର୍ଗରେ ସମ୍ବଲପୁରର ଅଂଶୁମାନ ମେରଲୀ, ପ୍ରିୟାଂଶୁ ଠାକୁର, ହିତେଶ ମହାରଣା ଓ ଅମିତା ସାହା ଏବଂ ବାଳିକା ବର୍ଗରେ ଭୁବନେଶ୍ୱରର ମନ୍ନତ ମିଶ୍ର, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଓ କଟକର ଭଦ୍ରା ଶତପଥୀ ଚାମ୍ପିୟନ ହୋଇଛନ୍ତି। ପ୍ରତିଯୋଗୀତାରେ ୫୦, ୧୦୦, ୨୦୦ ମିଟର ଫ୍ରିଷ୍ଟାଇଲ, ବ୍ରେଷ୍ଟ ଷ୍ଟ୍ରୋକ, ବେକ ଷ୍ଟ୍ରୋକ, ବଟରଫ୍ଲାଏ, ୪୦୦ ମିଟର ଫ୍ରି ଷ୍ଟାଇଲ, ୨୦୦ ମିଟିର ଆଇଏମ ଏବଂ ୧୦୦ ଙ୍ଘ ୪ ଫ୍ରି ଷ୍ଟାଇଲ ରିଲେ ବର୍ଗରେ ଆୟୋଜିତ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ, ସମ୍ମାନୀତ ଅତିଥି ଭାବରେ ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥୀ ଓ ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ର କୁମାର ନାଏକ ଯୋଗ ଦେଇ ଚାମ୍ପିୟନ ମାନଙ୍କୁ ପୁରସ୍କୃତ କରିଥିଲେ। ଉଭୟ ଅଧିବେଶନକୁ ସମ୍ବଲପୁର ଜିଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ। କାର୍ୟ୍ୟକ୍ରମକୁ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ରାୟଗୁରୁ ପରିଚାଳନା କରିଥିଲେ।

Comments are closed.