କୁମାର ପୂର୍ଣ୍ଣିମାରେ ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କର ଧ୍ୱଜାରୋହଣ

ରାଜରାଜେଶ୍ୱରୀ ବେଶରେ ମାଁ ସମଲେଶ୍ୱରୀ

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱୀ ମନ୍ଦିରରେ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଧ୍ୱଜାରୋହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରବିବାର ଦିନ ମାଁ ସମଲେଶ୍ୱରୀ ରାଜରାଜେଶ୍ୱରୀ (ମହାରାଣୀ) ବେଶରେ ଦର୍ଶନ ଦେଇଛନ୍ତି। ପ୍ରାୟ ୪୦୦ ବର୍ଷରୁ ଊର୍ଦ୍ଧ୍ବ ସମୟରୁ ମନ୍ଦିରରେ ଦେବୀ ସମଲେଇ ଏହି ଦିନ ରାଜରାଜେଶ୍ୱରୀ ବେଶରେ ପୂଜା ପାଇ ଆସୁଛନ୍ତି। ହର୍ଷଗ୍ରୀବ ଓ ଭଣ୍ଡାସୁର ଭଳି ଅସୁରଙ୍କ ନିପାତ କରିବା ପାଇଁ ମାଁ ଏହି ବେଶ ଧାରଣ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ବର୍ଷରେ ଗୋଟିଏ ଥର ମାତ୍ର କୁମାରପୂର୍ଣ୍ଣିମା ଦିନ ସମଲେଶ୍ୱରୀ ଏହି ବେଶ ଧାରଣ କରୁଥିବା ବେଳେ ବର୍ଷକୁ ଥରୁଟିଏ ହିଁ ଧ୍ୱଜାରୋହଣ କରାଯାଇଥାଏ। ଏହି ଧ୍ୱଜାଟି ସମ୍ପୁର୍ଣ୍ଣ ଲାଲ ପାଟବସ୍ତ୍ରରେ ନିର୍ମିତ ହୋଇଥାଏ। ଏଣୁ ଏହି ଅବସରରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଅପରାହ୍ନ ସାଢେ ୩ଟାରେ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ପ୍ରଶାନ୍ତ ରାୟ, ଅମୀୟ ରାୟ, ବୃନ୍ଦାବନ ରାୟ, ସୁଧାଂଶୁ ରାୟ ଓ ପ୍ରକାଶ ରାୟ ପ୍ରମୁଖ ମନ୍ଦିରର ଭଣ୍ଡାରରେ ଥିବା ସୁନା, ରୂପା ଓ ବିଭିନ୍ନ ଆଭୂଷଣ ଆଣି ମାଁ ସମଲେଶ୍ୱରୀଙ୍କୁ ସଜ୍ଜିତ କରିଥିଲେ।

ଏହା ପରେ ସ୍ୱତନ୍ତ୍ର ଆଳତୀ କରାଯାଇ ଅପରାହ୍ନ ୫ଟା ପରେ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିରକୁ ଖୋଲା ଯାଇଥିଲା। ସନ୍ଧ୍ୟାରେ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ରାତ୍ର ପ୍ରାୟ ୮ଟା ସମୟରେ ଆଳତୀ ପରେ ମନ୍ଦିର ପୂଜକ ମାନେ ଅଗ୍ନିକୁ ସାକ୍ଷୀ ରଖି ୭ଟି ଦୀପ ଧରି ମନ୍ଦିର ଚର୍ତୁପାଶ୍ୱରେ ପରିଭ୍ରମଣ କରିବା ପରେ ମନ୍ଦିର ଚୂଡ଼ାରେ ନୂତନ ଧ୍ୱଜାରୋହଣ କରାଯାଇଥିଲା। ମନ୍ଦିର ଦଧିନଉତିରେ ମହାଆଳତୀ କରାଯିବା ପରେ ନୂଆ ଧ୍ୱଜା ଲଗାଯାଇଥିଲା। ପିଢ଼ି ପରେ ପିଢ଼ି ଧ୍ୱଜାରୋହଣ କାର୍ୟ୍ୟ କରିଆସୁଥିବା ମହେଶ ସ୍ୱାଇଁ ଓ ତାଙ୍କ ପୁତ୍ର ଏହି ଧ୍ୱଜାରୋହଣ କାର୍ୟ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ। ଏହା ପରେ ମାଁ ପାଟଣେଶ୍ୱରୀ ଓ ଅନ୍ୟ ଦେବୀ ପୀଠ ମାନଙ୍କରେ ଧ୍ୱଜାରୋହଣ କାର୍ୟ୍ୟ ସମ୍ପନ୍ନ ରିତିନିତି ଅନୁଯାୟୀ ହୋଇଥିଲା।

Comments are closed.