ଶନିବାର ୩୧ ବ୍ରହ୍ମାକୁମାରୀଙ୍କ ଦିବ୍ୟ ସମର୍ପଣ ସମାରୋହ : ଆଜି ଆସୁଛନ୍ତି ଦାଦୀ ଜାନକୀ

ଫୁଲନଖରା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶନିବାର ୩୧ ଜଣ ବ୍ରହ୍ମାକୁମାରୀ ତପସ୍ୱିନୀମାନଙ୍କର ଦିବ୍ୟ ସମର୍ପଣ ସମାରୋହ ଜଗନ୍ନାଥପୁର, ଫୁଲନଖରାସ୍ଥ କଲ୍ୟାଣୀ ଗାଦି ପଡିଆରେ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଶତାୟୁ ରାଜଯୋଗିନୀ ଦାଦୀ ଜାନକୀଙ୍କ ଉପସ୍ଥିତରେ ସମ୍ପନ୍ନ ହେବ। ଦାଦୀ ଜାନକୀ ଆଜି ଅପରାହ୍ନରେ ଓଡ଼ିଶା ଆସୁଛନ୍ତି।

ଦିବ୍ୟ ସମର୍ପଣ ସମାରୋହ ସଂପର୍କରେ କୁହାଯାଇଛି ଯେ, କଥିତ ଅଛି ପାର୍ବତୀ ଶିବଙ୍କୁ ପତି ରୂପେ ବରଣ କରିବା ପାଇଁ କଠୋର ତପସ୍ୟା କରିଥିଲେ। ପାର୍ବତୀଙ୍କ କଠୋର ତପସ୍ୟାରେ ଶିବ ପ୍ରସନ୍ନ ହୋଇଥିଲେ। ଏତାଦୃଶ ୧୯୩୭ ମସିହାରୁ ନିରାକାର ପରମପିତା ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣ ଦ୍ୱାରା ପରମାତ୍ମାଙ୍କ ଆହ୍ୱାନରେ ହଜାର ହଜାର ବ୍ରହ୍ମାକୁମାରୀମାନେ ସେମାନଙ୍କ ତପସ୍ୟା ଦ୍ୱାରା ଶିବଙ୍କୁ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପଣ କରି ବିଶ୍ୱ କଲ୍ୟାଣ ସେବାରେ ବ୍ରତୀ ହୁଅନ୍ତିି। ଏମାନଙ୍କର ଏହି ତ୍ୟାଗପୁତ ଜୀବନକୁ ଉତ୍ସାହିତ କରିବା ପାଇଁ ଭବ୍ୟ ସମର୍ପଣ ସମାରୋହମାନ ପାଳନ କରାଯାଇଥାଏ। ଏହି ଉତ୍ସବରେ ବ୍ରହ୍ମାକୁମାରୀମାନଙ୍କର ମାତାପିତା ଏବଂ ବନ୍ଧୁପରିଜନ ତାଙ୍କ କନ୍ୟା ସନ୍ତାନମାନଙ୍କୁ ଈଶ୍ୱରୀୟ ମହାଯଜ୍ଞରେ ବିଧିବଦ୍ଧ ସମର୍ପିତ କରିଥା’ନ୍ତି । ଡିସେମ୍ବର ୭ ତାରିଖ ଏହିଭଳି ୩୧ ଜଣ ବ୍ରହ୍ମାକୁମାରୀ ତପସ୍ୱିନୀମାନଙ୍କର ଦିବ୍ୟ ସମର୍ପଣ ସମାରୋହ ଜଗନ୍ନାଥପୁର, ଫୁଲନଖରାସ୍ଥ କଲ୍ୟାଣୀ ଗାଦି ପଡିଆରେ ଦାଦୀଜୀଙ୍କ ଉପସ୍ଥିତରେ ସମ୍ପନ୍ନ ହେବ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଶତାୟୁ ରାଜଯୋଗିନୀ ଦାଦୀ ଜାନକୀ  ଶୁକ୍ରବାର  ଅପରାହ୍ନ ୫.୩୦ ଘଟିକା ସମୟରେ  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।  ଅପରାହ୍ନ ୬ ଘଟିକାରେ ଫୁଲନଖରା ଛକରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଫୁଲନଖରା ଛକଠାରୁ ଶତାଧିକ ବାଳ ବ୍ରହ୍ମଚାରୀ କୁମାରଙ୍କ ଦ୍ୱାରା ମଟର ସାଇକେଲ୍‍ ଶୋଭାଯାତ୍ରାରେ ସଂସ୍ଥାର ଅନନ୍ତପୁର ସ୍ଥିତ ବିଶ୍ୱ ଶାନ୍ତି ସରୋବରକୁ ଦାଦୀଜୀଙ୍କୁ ନିଆଯିବ। ସନ୍ଧ୍ୟାରେ ଓଡିଶା ଏବଂ ଓଡିଶା ବାହାରୁ ଆସିଥିବା ଆମନ୍ତ୍ରିତ ଅତିଥି ତଥା ୩୧ ଜଣ ବ୍ରହ୍ମାକୁମାରୀଙ୍କର ମାତା ପିତା, ବନ୍ଧୁ ପରିଜନଙ୍କ ଉଦ୍ଦେଶ୍ୟରେ ଆର୍ଶୀବଚନ ପ୍ରଦାନ କରିବେ।

ଶନିବାର ଦିନ ଫୁଲନଖରା, ଜଗନ୍ନାଥପୁର ସ୍ଥିତ ଓମ୍‍ଫେଡ୍‍ କଲ୍ୟାଣୀ ଗାଦି ପଡିଆରେ ଅପରାହ୍ନ ୩.୩୦ରୁ ୫ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ୫ଟାରୁ ୬ଟା ସମର୍ପଣ ସମାରୋହ ଏବଂ ୬ଟାରୁ ୭.୩୦ ପର୍ଯ୍ୟନ୍ତ ଏକ ବିଶାଳ ଆଧ୍ୟାତ୍ମିକ ସମାବେଶରେ ଦାଦୀଜୀ ଆଶୀର୍ବଚନ ପ୍ରଦାନ କରିବେ। ଏହି ବିଶାଳ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ ଆନ୍ଧ୍ର ପ୍ରଦେଶର ମାନ୍ୟବର ରାଜ୍ୟପାଳ  ବିଶ୍ୱ ଭୂଷଣ ହରିଚନ୍ଦନ ଏବଂ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସମ୍ମାନୀୟ ଅତିଥି ରୂପେ  ବିଧାୟକ ଡଃ ଅରବିନ୍ଦ ଢାଲି, ଓଡିଶା ଲୋକାୟୁକ୍ତର ସଦସ୍ୟ ଡଃ ଦେବବ୍ରତ ସ୍ୱାଇଁ, ମାଉଣ୍ଟଆବୁର ପ୍ରଖ୍ୟାତ ବାଗ୍ମୀ ବ୍ରହ୍ମାକୁମାରୀ ଉଷା, ବ୍ର.କୁ ହଂସା, ପ୍ରୟାଗରାଜର ବ୍ର.କୁ. ମନୋରମା, ଲଣ୍ଡନର ବ୍ର.କୁ. ଜେମିନି ପ୍ରମୁଖ ବରିଷ୍ଠ ରାଜଯୋଗିନୀ ମଞ୍ଜ ଉପରେ ଉପସ୍ଥିତ ରହିବେ। ଏହି ସଭାର ଅଧ୍ୟକ୍ଷତା କରିବେ କଟକ ସବଜୋନ୍‍ର ମୁଖ୍ୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ର.କୁ. କମଲେଶ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଭାଗ ନେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

ରବିବାର ସକାଳେ ପ୍ରାତଃ ୧୦.୩୦ ଘଟିକାରେ ଦାଦୀଜୀଙ୍କ କର କମଳରେ ଝାଞ୍ଜିରୀମଙ୍ଗଳା ସ୍ଥିତ “ପ୍ରଭୁ ସମର୍ପଣ ଭବନ” ଉଦ୍‍ଘାଟନ ହେବ।

 

Comments are closed.