‘ସମାଜ’ କେବଳ ଖବର କାଗଜ ନୁହେଁ ବରଂ ଏକ ଜନ ଆନ୍ଦୋଳନ

‘ସମାଜ’ର ଶତବାର୍ଷିକୀ ଅବସରରେ ଭୁବନେଶ୍ବରରେ ପଦଯାତ୍ରା

ଭୁବନେଶ୍ବର : ସତ୍ୟ, ସେବା ଏବଂ ସ୍ବାଭିମାନ ସହିତ ‘ସମାଜ’ ଶହେ ବର୍ଷ ପୂରଣ କରିଛି । ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’  କେବଳ ଏକ ଖବର କାଗଜ ନୁହେଁ ବରଂ ଏକ ଜନ ଆନ୍ଦୋଳନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ‘ସମାଜ’ର ଶତବାର୍ଷିକୀ ଅବସରରେ ଶୁକ୍ରବାର ଭୁବନେଶ୍ବରରେ ଆୟୋଜିତ ପଦଯାତ୍ରାରେ ଯୋଗ ଦେଇ ‘ସମାଜ’ର ବିଶ୍ବସନୀୟତା ଏବଂ ଓଡ଼ିଶାର ଜନ ଜୀବନ ସହିତ ଏହାର ନିବିଡ଼ ସଂପର୍କ ବିଷୟରେ ଅତିଥିମାନେ ଏହି ମତ ଦେଇଛନ୍ତି।

ଶୁକ୍ରବାର ସକାଳୁ ଏଜିଛକ(ଭୁବନେଶ୍ବର କ୍ଲବ) ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କିଟ୍ ଓ କିସ୍ ର ପ୍ରତିଷ୍ଠାତା ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ,  ଶଶୀଭୂଷଣ ବେହେରା, ଅନନ୍ତ ଚରଣ ଜେନା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମାଜସେବୀ ଅରୁନ୍ଧତୀ ଦେବୀ, ସମାଜର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିଲେ। ଏହି ଅବସରରେ ‘ସମାଜ’ର ଶହେ ବର୍ଷର ଇତିହାସ ଏବଂ ଓଡ଼ିଶାର ଜନ ଜୀବନ ସହିତ ଏହାର ସଂପର୍କ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ।

   

ପରେ ଅତିଥିମାନେ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ବିଜୁ ପଟ୍ଟନାୟକ ଛକ ଦେଇ ଶିଶୁ ଭବନ ଛକ ନିକଟରେ ଶେଷ ହୋଇଥିଲା। ଏଥିରେ କିସର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ ଓ ଗାଇଡ ଏବଂ ଭୁବନେଶ୍ବରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ।

Comments are closed.