ବାଲିଯାତ୍ରାକୁ ମାନ୍ୟତା ପାଇଁ ‘ସମାଜ’କୁ ସମ୍ବର୍ଦ୍ଧନା

କଟକ : ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିଛି। ଏଥିପାଇଁ ‘ସମାଜ’ ନିରନ୍ତର ଲେଖନୀ ଚାଳନା କରି ଏହାକୁ ଏକ ଗଣ ଆନ୍ଦୋଳନର ରୂପ ଦେଇଥିଲା। ‘ସମାଜ’ର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ରାଜ୍ୟ ସରକାର ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଥିଲେ। ଏହା କେବଳ କଟକବାସୀଙ୍କ ପାଇଁ ନୁହେଁ, ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ‘ସମାଜ’କୁ ସମ୍ବର୍ଦ୍ଧନା ପ୍ରଦାନ କରି କଟକ ମହାନଗର ଶାନ୍ତି କମିଟିର କର୍ମକର୍ତ୍ତା ପ୍ରକାଶ କରିଥିଲେ।
ଶୁକ୍ରବାର ‘ଗୋପବନ୍ଧୁ ଜ୍ୟୋତି’ ଯାତ୍ରା କଟକ ସହର ପରିକ୍ରମା କରିବା ପରେ ପୂର୍ବାହ୍ଣରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଦେବାଶିଷ ରାୟ, ସୁଦୀପ୍ତ ସ୍ୱାଇଁ, କେଦାର ବେହେରା, ରବି ବେହେରା, ଦେବେନ୍ଦ୍ର କାହାଳୀ, ଦ୍ୱୀପାୟନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥଙ୍କ ସମେତ ‘ସମାଜ’ର ବରିଷ୍ଠ ଅଧିକାରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବାଲିଯାତ୍ରାକୁ କିପରି ଜାତୀୟ ମାନ୍ୟତା ମିଳିବ ସେ ଦିଗରେ ‘ସମାଜ’ ନେତୃତ୍ୱ ଦେବାକୁ ଶାନ୍ତି କମିଟିର କର୍ମକର୍ତ୍ତା ମତ ଦେଇଥିଲେ।

Comments are closed.