ଆଜିଠାରୁ ‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିର

ସାର୍କ ଦେଶ ସମେତ ସାରା ଭାରତରୁ ୧୦୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ସାମିଲ, ୬ରେ ଶତବାର୍ଷିକୀ ସମାରୋହ

କଟକ : ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଲୋକସେବକ ମଣ୍ଡଳ, ‘ସମାଜ’ ଏବଂ ଜାତୀୟ ଯୁବ ପ୍ରକଳ୍ପ ସହଯୋଗରେ ଶୁକ୍ରବାରଠାରୁ ‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିର ଆୟୋଜିତ ହେଉଛି। ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଏହି ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଊର୍ଦ୍ଧ୍ବ ଯୁବକଯୁବତୀଙ୍କ ସମେତ ସାର୍କ ଦେଶଗୁଡିକରୁ ୧୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦେଇଛନ୍ତି। ଜାତୀୟ ଯୁବ ପ୍ରକଳ୍ପର ନିର୍ଦେଶକ ତଥା ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ.ଏନ ସୁବାରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଆସନ୍ତାକାଲି ଅପରାହ୍ଣରେ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦ୍‍ଘାଟନ କରିବେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଜଳସେଚନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଇଂ ମହମ୍ମଦ ମୋକିମ ଅତିଥିଭାବେ ଯୋଗଦେବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିସହିତ ଲୋକସେବକ ମଣ୍ଡଳର ବରିଷ୍ଠ କର୍ମକର୍ତ୍ତା ଓ ‘ସମାଜ’ର ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଶିବିର ୯ତାରିଖ ପର୍ଯ୍ୟନ୍ତ ଚାଲିବ।
ଆସନ୍ତା ୬ତାରିଖ ଅପରାହ୍ଣ ୩ଟାରେ ‘ସମାଜ’ର ଶତବାର୍ଷିକୀ ସମାରୋହ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ। ଏହି ସମାରୋହରେ ଭାରତର ମହାମହିମ ଉପରାଷ୍ଟ୍ରପତି ଏସ. ଭେଙ୍କୟା ନାଇଡୁ ମୁଖ୍ୟଅତିଥି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡଃ ଏସ.ଏନ. ସୁବାରାଓ, ଡାକ ବିଭାଗ ସଚିବ ଅନନ୍ତନାରାୟଣ ନନ୍ଦ ଏବଂ ସାଂସଦ ତଥା କିସ ଓ କିଟ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମରେ ସବୁବର୍ଗର ଜନସାଧାରଣ ସାମିଲ ହେବାକୁ ଲୋକସେବକ ମଣ୍ଡଳ ଓ ‘ସମାଜ’ପକ୍ଷରୁ ନିବେଦନ କରାଯାଇଛି।

‘ସମାଜ’ ଖବର କାଗଜର ପ୍ରତିଷ୍ଠାତା ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଏହି ଖବର କାଗଜ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ସହ ‘ସମାଜ’ ଓଡ଼ିଶାରେ ଖବରକାଗଜର ପ୍ରତିଶବ୍ଦ ପାଲଟିଛି। ଏହାକୁ ପରିଚାଳିତ କରୁଥିବା ସଂସ୍ଥା ‘ଲୋକ ସେବକ ମଣ୍ଡଳ’ ୧୯୨୮ ମସିହାରୁ ଏହାର ପରିଚାଳନା ଭାର ବହନ କରିଆସୁଛି। ଏହି ସଂସ୍ଥାର ଅଧ୍ୟକ୍ଷମାନଙ୍କ ମଧ୍ୟରେ ଲାଲା ଲଜପତରାୟ, ରାଜର୍ଷି ପୁରୁଷୋତ୍ତମ ଦାସ ଟଣ୍ଡନ, ଲାଲ ବାହାଦୁର ଶାସ୍ତ୍ରୀ, ବିଶ୍ୱନାଥ ଦାସ, ପଦ୍ମଭୂଷଣ ରାଧାନାଥ ରଥ, ପୂର୍ବ ଉପରାଷ୍ଟ୍ରପତି କୃଷ୍ଣକାନ୍ତ, ମନୁଭାଇ ପଟେଲ ପ୍ରମୁଖ ମହାନ୍‍ ବ୍ୟକ୍ତିତ୍ୱ ସାମିଲ ଥିଲେ। ବର୍ତ୍ତମାନ ସମାଜସେବୀ ଦୀପକ ମାଲବ୍ୟ ଏହାର ଅଧ୍ୟକ୍ଷ ଅଛନ୍ତି।

 

Comments are closed.