ବ୍ରହ୍ମପୁରାରେ ‘ସମାଜ’ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପାଲ ବଣ୍ଟନ

କଟକ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫଣି’ରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ର ବ୍ରହ୍ମପୁର ପଞ୍ଚାୟତସ୍ଥିତ ବ୍ରହ୍ମପୁରାରେ ‘ସମାଜ ରିଲିଫ୍‌ କମିଟି ତରଫରୁ ରବିବାର ବିପନ୍ନ ତଥା ପ୍ରଭାବିତ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି।
ବାତ୍ୟାରେ ଘରର ଚାଳ, ଆଜ୍‌ବେଷ୍ଟସ୍‌ ଓ ଟିଣ ଛପର ସବୁ ଉଡିଯାଇଥିବାରୁ ବିପନ୍ନମାନେ ସେହି ଭଙ୍ଗା ଘରେ ରହୁଛନ୍ତି। ଏକାଠାର ୫୦ଟି କ୍ଷତିଗ୍ରସ୍ତ ପରିବାରକୁ ‘ସମାଜ’ ତରଫରୁ ଆଜି ପ୍ଲାଷ୍ଟିକ୍‌ ପାଲ ଯୋଗାଇ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମତାପ ଓ କାଳବୈଶାଖୀ ଯୋଗୁଁ ଲୋକମାନେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ଆଗକୁ ବର୍ଷା ଆସୁଥିବାବେଳେ ଏବେ ବି ଅସ୍ଥାୟୀ ଆଶ୍ରୟସ୍ଥଳରେ ଅନେକ ବିପନ୍ନ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ବାତ୍ୟାର ୨୩ ଦିନ ପରେ ମଧ୍ୟ ଏକାଠାର ଲୋକଙ୍କ ଅବସ୍ଥା ସୁଧୁରିନି। ‘ସମାଜ’ର ଏହି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଆଜିର ରିଲିଫ ବଣ୍ଟନ କାର୍ଯ୍ୟରେ ‘ଲୋକସେବକ ମଣ୍ଡଳ’ର ରିଲିଫ କମିଟି ସଦସ୍ୟ ଭବାନୀପ୍ରସାଦ ମିଶ୍ର, ସୁଲେଖକ ଦେବାଶିଷ ସାମନ୍ତରାୟ, ବ୍ରହ୍ମପୁରାର ପହଲି ଜେନା ଓ ଅନ୍ୟମାନେ ସହାୟତା କରିଥିଲେ।

Comments are closed.