ଆଜି ‘ସମାଜ’ର ଶତବାର୍ଷିକୀ

-ଉପରାଷ୍ଟ୍ରପତି କରିବେ ଶୁଭ ଉଦ୍‌ଘାଟନ,-ସୁରକ୍ଷା କଡ଼ାକଡ଼ି, ରିହରସାଲ୍ ଶେଷ

କଟକ/ଭୁବନେଶ୍ବର : ଆସନ୍ତାକାଲି (ରବିବାର) ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହ। ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ ଭାରତର ମହାମହିମ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ। ଉପରାଷ୍ଟ୍ରପତି ଶ୍ରୀ ନାଇଡୁଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ରବିବାର ଅପରାହ୍ଣରେ ଆରମ୍ଭ ହେବ। ଲୋକସେବକ ମଣ୍ଡଳର ଟ୍ରଷ୍ଟି ତଥା ଜାତୀୟ ଯୁବପ୍ରକଳ୍ପର ନିର୍ଦେଶକ ଡ. ଏସ୍‌.ଏନ. ସୁବାରାଓ, ଲୋକସେବକ ମଣ୍ଡଳର ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଓ ଡାକ ବିଭାଗ ଅଧ୍ୟକ୍ଷ, ଡାକସେବା ବୋର୍ଡର ସଚିବ ଅନନ୍ତ ନାରାୟଣ ନନ୍ଦଙ୍କ ଗରିମାମୟ ଉପସ୍ଥିତିରେ ହେବାକୁ ଥିବା ଏହି ‘ସମାଜ’ ଶତକ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ ପହଞ୍ଚିଥିବା ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀ ଓ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତିଙ୍କଠାରୁ ପ୍ରକାଶ।
ଏହାବ୍ୟତୀତ ଉପରାଷ୍ଟ୍ରପତି ଭୁବନେଶ୍ବରରେ କିଟ୍‌ ଓ କିସ୍‌ ଦ୍ବାରା ଆୟୋଜିତ ୩୯ତମ ‘ବିଶ୍ବ କବି ସମ୍ମିଳନୀ’ରେ ଯୋଗଦେବେ। ଦଶହରା ପୂଜା ସହିତ ଦୁଇ ସହରରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ
ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେବଳ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଲାଗି ୨୭ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ଶନିବାର କମିସନରେଟ୍‌ ପୁଲିସ ପକ୍ଷରୁ କାରକେଡ୍‌ ରିହରସାଲ୍ କରାଯାଇଥିଲା। ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥାରେ ଯେପରି କୌଣସି ବ୍ୟତିକ୍ରମ ଦେଖାନ ଦେବ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।
ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ବାୟୁସେନାର ସ୍ବତନ୍ତ୍ର ବିମାନ ବିବିଜେରେ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟ୍‌ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିବେ। ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ, ପୁଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ଓ ​ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ। ୧୦ଟା ୨୫ ମିନିଟ୍‌ରେ ଉପରାଷ୍ଟ୍ରପତି ବିମାନବନ୍ଦରରୁ ସିଧା କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଶ୍ବ କବି ସମ୍ମିଳନୀକୁ ଯିବେ। ପୂର୍ବାହ୍ନ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ସେଠାରେ ରହିବେ। ଏହା ପରେ ଉପରାଷ୍ଟ୍ରପତି କିଟ୍‌ ବିଶ୍ବବିଦ୍ୟାଳୟ ପରିସରରୁ ରାଜଭବନକୁ ଫେରିବେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ପ୍ରାୟ ୩ଟା ୧୦ ମିନିଟ୍‌ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ଜବାହାରଲାଲ୍ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌କୁ ଯିବେ। ଅପରାହ୍ଣ ୩ଟା ୫୦ ମିନିଟ୍‌ରେ ସେଠାରେ ପହଞ୍ଚିବା ପରେ ୪ଟା ବେଳେ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଅପରାହ୍ଣ ୫ଟା କାର୍ଯ୍ୟକ୍ରମ ଶେଷ ହେବା ପରେ ଉପରାଷ୍ଟ୍ରପତି ସେଠାରୁ ସଡ଼କ ପଥରେ ସିଧାସଳଖ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଫେରିବେ। ସଂଧ୍ୟା ୫ଟା ୪୫ ମିନିଟ୍‌ରେ ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୫୦ ମିନିଟ୍‌ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ଆଜି ‘ସମାଜ’

Comments are closed.