‘ସମାଜ’: ସମୟର ପଞ୍ଜିକାର

‘ସମାଜ’ ଏହାର ସ୍ରଷ୍ଟା ଗୋପବନ୍ଧୁ ଦାସଙ୍କର ଥିଲା ଏକ ପରିକଳ୍ପନା ବା ଆଇଡିଆ। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସେ ଉଲ୍ଲେଖ କରିଥିଲେ ‘ସାପ୍ତାହିକ ସମାଜ’ର ପ୍ରଥମ ସଂଖ୍ୟାରେ ୧୯୧୯ ଅକ୍ଟୋବର ୪ ତାରିଖରେ। ସେ ଯେ ପର୍ଯ୍ୟନ୍ତ ବଞ୍ଚିଥିଲେ ତାଙ୍କ ପରିକଳ୍ପନାରେ ସେ ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ସବୁମନ୍ତେ ଚେଷ୍ଟା କରିଥିଲେ। ସେଥିପାଇଁ ତାଙ୍କୁ ବହୁ ମୂଲ୍ୟଦେବାକୁ ଅବଶ୍ୟ ପଡ଼ିଥିଲା। ସବୁ ଯୁଗରେ ସବୁ ବିଚାରଧାରା, ପରିକଳ୍ପନାକୁ ସମସ୍ତେ ସହଜରେ ଗ୍ରହଣ କରନ୍ତି ନାହିଁ। ତର୍କପ୍ରିୟ ପ୍ରବୁଦ୍ଧ ମଣିଷ କୌଣସି ଏକ ନୂଆ ବିଚାର ବା ପରିକଳ୍ପନାର ଯଥାର୍ଥତାକୁ ସର୍ବଦା ପ୍ରଶ୍ନ କରିଥାଏ। ଯେତେବେଳେ କୌଣସି ଏକ ବିଚାର ବା ପରିକଳ୍ପନା ବିନା ପ୍ରତିବାଦରେ ପ୍ରମାଣ କରିଛି ଯେ ଏହା ନ୍ୟସ୍ତସ୍ୱାର୍ଥ ବା ସ୍ରଷ୍ଟାକୈନ୍ଦ୍ରିକ ନୁହେଁ, ଜନତା ଓ ଜଗତର କଲ୍ୟାଣ ପାଇଁ ଅଭିପ୍ରେତ, ସେତେବେଳେ ଲୋକେ ତାକୁ ଆଦରରେ ଗ୍ରହଣ କରିନିଅନ୍ତି। ଏହାପରେ ସେ ପରିକଳ୍ପନା ବା ବିଚାର ‘ଜଣ’ରୁ ‘ଗଣ’କୁ ଉନ୍ନିତ ହୁଏ। ସେଇଭଳି ଏକ ପୃଷ୍ଠଭୂମିରେ ସମୟର ଆବଶ୍ୟକତାରୁ ‘ସମାଜ’ର ଜନ୍ମ। ଗୋପବନ୍ଧୁ ଦୈନିକ ‘ସମାଜ’ର ଜନ୍ମ ଦେଖିବା ପୂର୍ବରୁ ଆଖି ବୁଜିଥିଲେ। ତାଙ୍କର ଯେଉଁ କେତେକ ଏକାନ୍ତ ଅନୁଗାମୀ ଓ ଶୁଭଚିନ୍ତକ ଥିଲେ ସେମାନେ ଅଣ୍ଟାଭିଡ଼ି ଥିଲେ ଗୁରୁଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ। ସେମାନେ ନିଜର ସାଧ୍ୟମତେ ଯେ ଯାହାର ସହଯୋଗ ଯୋଗାଇଥିଲେ ‘ସମାଜ’କୁ ପୁଷ୍କଳ କରିବାରେ। ‘ସମାଜ’ ଏକ କ୍ଷୁଦ୍ର ଝରଣାରୁ ନଈଟିଏ ହୋଇଯିବା ପରେ କାଳର କୁଟିଳଗତିରେ ଆପଣା ଢଙ୍ଗରେ ବହିଚାଲିଛି। ତା’ର ଏହି ଦୀର୍ଘ ୧୦୦ବର୍ଷର ଯାତ୍ରା ପଥରେ ଯେଉଁମାନେ ତାକୁ ଦିଗ୍‍ଦର୍ଶନ ଦେଇଛନ୍ତି ତାହାର ଇତିହାସ ଓଡ଼ିଶାବାସୀଙ୍କୁ ଜଣା। ବିଚାରର ଚାରା ଗଛଟିଏ ତା’ର ସ୍ରଷ୍ଟାକୁ ହରାଇଲେ ମରିଯିବା ସ୍ୱାଭାବିକ। ମାତ୍ର ଯେଉଁ କେତେଜଣ ତା’ ମୂଳରେ ପରିଶ୍ରମର ପାଣିଢାଳି, ଚତୁଃପାର୍ଶ୍ବରେ ବ୍ୟକ୍ତିଗତଭାବେ ଛିଡ଼ାହୋଇ ସୁରକ୍ଷାର ବାଡ଼ ଦେଇଥିଲେ ସେମାନଙ୍କ ତ୍ୟାଗ ଭୁଲିବାର ନୁହେଁ। ‘ସମାଜ’ର ପିଲାବୃକ୍ଷ ସୁରକ୍ଷାର ଗୁରୁଡ଼ି ଅତିକ୍ରମ କରି ଆଜି ମହାଦ୍ରୁମରେ ପରିଣତ ହେବା ପଛରେ ଯେଉଁ ବ୍ୟକ୍ତିବିଶେଷଙ୍କର ବଳିଷ୍ଠ ଅବଦାନ ଅଛି ତାହା ମଧ୍ୟ ସର୍ବଜନବିଦିତ। ସେ ନାମ ‘ସମାଜ’ର ଚଳନ୍ତି ଇତିହାସର ଏକ ଅବିଚ୍ଛେଦ୍ୟ ଅଧ୍ୟାୟ। ଗୋପବନ୍ଧୁଙ୍କ ବିଚାର ଓ ପରିକଳ୍ପନାର ରୂପାୟନ ଯଦି ସମ୍ଭବ ହୋଇଥାଏ, ତେବେ ତା’ର ଶ୍ରେୟ ମୁଖ୍ୟତଃ ଯିବ ରାଧାନାଥ ରଥଙ୍କୁ। ଗୁରୁଙ୍କ ପଦାଙ୍କ ଅନୁସରଣ କରି ସେ ନିଜକୁ ନିଜେ ଯୋଗ୍ୟ କରି ଏହି ଅନୁଷ୍ଠାନକୁ ଗଢ଼ିବାରେ ମୁଖ୍ୟ ବିନ୍ଧାଣି ସାଜିଥିଲେ।

ଆଇଡିଆ ବା ବିଚାର ଗତିଶୀଳ। ବିଚାର ପ୍ରଗତିବାଦୀ ନ’ ହେଲେ ତା’ର ମୃତ୍ୟୁ ଘଟିଥାଏ। ତେଣୁ ଏହାର ପରିବର୍ତ୍ତନ ଅପରିହାର୍ଯ୍ୟ। ସେ ଦୃଷ୍ଟିରୁ ଯୁଗର ଆବଶ୍ୟକତା ସହ ତାଳ ମିଳାଇ ‘ସମାଜ’ ନିଜକୁ ନିଜେ ବଦଳାଇଛି। ତେବେ ଏହାର ମୌଳିକ ଦର୍ଶନରେ ସେପରି କୌଣସି ଖାସ୍‍ ପରିବର୍ତ୍ତନ ଘଟିନାହିଁ। ଅନୁଷ୍ଠାନକୁ ବା ସମ୍ବାଦପତ୍ରକୁ ମଣିଷ ଚଳାଏ। ତେଣୁ ଚାଳକର ବ୍ୟକ୍ତିତ୍ୱର ପ୍ରତିଫଳନ ତା’ ଉପରେ ପଡ଼େ। ଚାଳକର ଆଚାରରୁ ‘କାଗଜ’ର ସ୍ୱରୂପ ବାରି ହୋଇଯାଏ। ଅତଏବ ‘ସମାଜ’କୁ ଏକ ଆଦର୍ଶ ଖବରକାଗଜରେ ପରିଣତ କରିବା ପାଇଁ ଏହାର ମୁଖିଆ ଯେଉଁ ପଥ ନିର୍ଦ୍ଧାରଣ କରିଥିଲେ ତାହା ଥିଲା ସ୍ପଷ୍ଟ ଏବଂ ଅଭ୍ରାନ୍ତ। ସେଇପଥ ଓ ଦିଗଦର୍ଶନ ତିଆରି କରିଥିଲା ‘ସମାଜ’ ପାଇଁ ଏକ ‘ଗୁଡ୍‌ଉଇଲ’ (ସୁନାମ ବା ସଦ୍ଦିଚ୍ଛା) ଯାହା ଏଯାବତ୍‍ ଅକ୍ଷୁଣ୍ଣ ରହିଛି ଓ ଏହାର ବିକାଶ ତଥା ସମୃଦ୍ଧିର ଗୁପ୍ତଧନର ଉତ୍ସ ପାଲିଟିଛି। ସୁନାମ ବା ଗୁଡ୍‌ଉଇଲ ରାତାରାତି ଆସେନାହିଁ। ଏହା ସମୟର କଷଟି ପଥରରେ ପରଖି ହୋଇଆସେ। ଏହା ପଛରେ ଥାଏ ଶ୍ରମ, ତ୍ୟାଗ, ନିଷ୍ଠା, ସାଧନା, ପ୍ରେରଣା ଓ ଦାୟିତ୍ୱବୋଧ। ‘ସମାଜ’ର ନିର୍ମାତାଗଣ କଠୋର ପରିଶ୍ରମ କରି ତାହା ହାସଲ କରିଛନ୍ତି।
ପ୍ରାକ୍‍ ସ୍ୱାଧୀନତା କାଳର ଦାୟିତ୍ୱ ଓ କର୍ତ୍ତବ୍ୟ ଥିଲା ଭିନ୍ନ। ସ୍ୱାଧୀନତା ପରେ ରାଷ୍ଟ୍ର ନିର୍ମାଣରେ ଆହ୍ୱାନ ଆସିଛି ‘ସମାଜ’ ପାଇଁ। ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ ଇଟାଖଣ୍ଡରେ ରହିଛି ‘ସମାଜ’ର ସ୍ୱାକ୍ଷର। ଏହା ସହିତ ପ୍ରତିଷ୍ଠାତାଙ୍କ ମୌଳିକ ଲକ୍ଷ୍ୟ ପୂରଣ ପାଇଁ ‘ସମାଜ’ ତା’ର ଅନ୍ୟାନ୍ୟ ସେବା କାର୍ଯ୍ୟ ଅବ୍ୟାହତ ରଖିଛି।
‘ସମାଜ’ର କଳେବର ବଢ଼ିବା ସହିତ ଏହାର କାର୍ଯ୍ୟ ପରିସର ସଂପ୍ରସାରିତ ହୋଇଛି। ନୂଆନୂଆ ସଂସ୍କରଣ ଖୋଲିଛି। ସ୍ୱାସ୍ଥ୍ୟସେବା, ରିଲିଫ, ମେଧାବୀ ଦରିଦ୍ର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ, ଦୁଃସ୍ଥ ଓ ଆର୍ତ୍ତଜନତାଙ୍କୁ ସହାୟତା ଭଳି କାର୍ଯ୍ୟ ଯଥେଷ୍ଟ ବଢ଼ିଛି। ସବୁଠି ସ୍ୱଚ୍ଛତା ରକ୍ଷା କରି ନିଜର ପ୍ରତିଷ୍ଠା ଓ ମର୍ଯ୍ୟାଦା ରକ୍ଷା କଲା ଭଳି କାମ କରିବାର ପ୍ରୟାସ କରାଯାଇଛି। ତେଣୁ ଏହା ‘ସମାଜ’ର ‘ଗୁଡ୍‌ଉଇଲ’କୁ ବଢ଼ାଇବା ସହ ଏହାର ଦାୟିତ୍ୱକୁ ମଧ୍ୟ ବୃଦ୍ଧି କରୁଛି। ‘ସମାଜ’ ତାର କର୍ମଚାରୀଙ୍କୁ ପ୍ରାୟତଃ ଭଲରେ ରଖିଆସିଛି। ନ୍ୟାୟୋଚିତ ପ୍ରାପ୍ୟ ପ୍ରଦାନରେ ଅବହେଳା କରିନି। ସେଥିପାଇଁ କର୍ମଚାରୀ ଖୁସିରେ ରହି ନିଷ୍ଠାପର ଭାବେ କାମ କରିବାର ସୁଯୋଗ ପାଇଛନ୍ତି। ଉତ୍ତମ ବେତନ ସହ ଉତ୍ତେଜନାମୁକ୍ତ ପରିବେଶରେ ସ୍ୱାଧୀନ ଭାବେ କାମ କରିବା ବୋଧହୁଏ ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀ ସବୁଠୁ ବେଶୀ ଆଶା କରନ୍ତି। ‘ସମାଜ’ କର୍ତ୍ତୃପକ୍ଷ ସେଥିରେ କାର୍ପଣ୍ୟ ହୋଇନାହାନ୍ତି। କହିବା ବାହୁଲ୍ୟ ଯେ କର୍ମଚାରୀ ଯେକୌଣସି ଅନୁଷ୍ଠାନର ସବୁଠୁ ବଡ଼ ସମ୍ପଦ। ‘ସମାଜ’ ସେହି ସମ୍ପଦର ଉପଯୁକ୍ତ ବିନିଯୋଗ କରିଆସିଛି। ଏହା ଉତ୍ତମ ପରିଚାଳନାର ଏକ ବିଶେଷତ୍ୱ। ସୁଖର କଥା ‘ସମାଜ’ ସବୁବେଳେ ଉତ୍ସର୍ଗୀକୃତ ଓ ନିଷ୍ଠାପର କର୍ମଚାରୀଙ୍କୁ ପାଇ ଆସିଛି।
‘ସମାଜ’ର ଅନେକ ସାଥି ଓ ସମସାମୟିକ ଆଜି ଇତିହାସ ପାଲଟି ଗଲେଣି। ଏକଶହ ବର୍ଷ ଅତିକ୍ରମ କରିବାରେ ‘ସମାଜ’ ବୋଧହୁଏ ଦେଶର ଏକମାତ୍ର ଆଞ୍ଚଳିକ ଦୈନିକ। କେବଳ ତା’ଠାରୁ ବୟସରେ ଯଥେଷ୍ଟ ବଡ଼ ଇଂରାଜୀ ଭାଷାରେ ‘ଟାଇମ୍ସ ଅଫ୍‍ ଇଣ୍ଡିଆ’, ‘ହିନ୍ଦୁ’, ‘ଷ୍ଟେଟସ୍‍ମ୍ୟାନ’ ଆଦି ସଗର୍ବେ ଆଗେଇ ଚାଲି ‘ସମାଜ’କୁ ଉତ୍ସାହିତ କରୁଛନ୍ତି। ଏସବୁ ଖବରକାଗଜ ଶତାୟୁ ପାଲଟିଲେଣି କେବେଠୁ। ‘ସମାଜ’ ସେମାନଙ୍କ ସ୍ୱତନ୍ତ୍ର କ୍ଲବରେ ଯୋଗଦେଇଛି। ପ୍ରକାଶନର ଏକଶତ ବର୍ଷ ପୂରଣ ‘ସମାଜ’ର ଆତ୍ମବିଶ୍ୱାସକୁ ପ୍ରମାଣିତ କରୁଛି। ଖବରକାଗଜଟିଏ ମରେ ମୁଖ୍ୟତଃ ଦୁଇଟି କାରଣ ପାଇଁ। ଗୋଟିଏ ହେଲା – ପରିଚାଳନାଗତ ବିଭ୍ରାଟ ଓ ଅନ୍ୟଟି ପାଠକୀୟ ଅନାଦୃତି ଏବଂ ବିଜ୍ଞାପନର ଅଭାବ। ସୁଖର କଥା ‘ସମାଜ’ କର୍ତ୍ତୃପକ୍ଷ ଏହି ଦୁଇଦିଗ ପ୍ରତି ସର୍ବଦା ଯଥାସମ୍ଭବ ଧ୍ୟାନ ଦେଇଆସିଛନ୍ତି।
ସମଗ୍ର ବିଶ୍ୱରେ ଏବେ ମୁଦ୍ରଣ ଶିଳ୍ପ ସଂକଟରେ ସମ୍ମୁଖୀନ। ବିଶେଷକରି ଛାପା ଗଣମାଧ୍ୟମର ଅବସ୍ଥା ବିଜ୍ଞାପନ ଓ ପାଠକ ସଂଖ୍ୟା ହ୍ରାସ ଯୋଗୁଁ ଟଳମଳ। ବହୁପୁରୁଣା ଓ ପ୍ରତିଷ୍ଠିତ ଖବରକାଗଜ ଦୋକାନ ବନ୍ଦ କରିଦେଲେଣି କିମ୍ବା କରିବା ଉପରେ। ଇଣ୍ଟରନେଟ ଭଳି ‘ନ୍ୟୁ ମିଡିଆ’ ଛାପା ଗଣମାଧ୍ୟମ ପାଇଁ ବିପଦ ଆଣିଛି। ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଏହି ସଙ୍କଟକୁ ଉତ୍କଟ କରିଛି। ଭାରତ ଓ ଓଡ଼ିଶାରେ ମଧ୍ୟ ପରିସ୍ଥିତି ସେତେ ଉତ୍ସାହଜନକ ନୁହେଁ। ତା’ସତ୍ତ୍ବେ ‘ସମାଜ’ ଚାଲିଛି। ପରିସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛି।
ସମୟର ମୁକାବିଲା ଓ ପରିବର୍ତ୍ତନ ସହ ତାଳ ମିଳାଇ ଚାଲିବା ଅପରିହାର୍ଯ୍ୟ। ସେଥିପାଇଁ ‘ସମାଜ’ ପରିପାଟି, ଅଳଙ୍କରଣ ଓ ଆହୁରି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ଏହା ସହିତ ପୋର୍ଟାଲ ଓ ଇ-ପେପର ଯୋଡ଼ି ହୋଇଛି। ଖର୍ଚ୍ଚ ହ୍ରାସ ସହ ଉତ୍ପାଦନ ବ୍ୟୟ କମାଇବା ପାଇଁ ବଡ଼ବଡ଼ ସମ୍ବାଦପତ୍ର ସେମାନଙ୍କର କଳେବର ହ୍ରାସ କରି ‘ଟାବଲଏଡ଼୍‍’ ଫର୍ମକୁ ଆସିଲେଣି। ଇଣ୍ଟରନେଟ୍‍ ଏଡିସନ ଉପରେ ଅଧିକ ଗୁରୁତ୍ୱ ଦେଲେଣି। ‘ସମାଜ’ ବାସ୍ତବବାଦୀ ପରିବର୍ତ୍ତନକୁ ସବୁବେଳେ ଅଗ୍ରାଧିକାର ଦେଇଛି। ଆବଶ୍ୟକ ପଡ଼ିଲେ ନୂଆ ରୂପରେ ନୂଆ ଢଙ୍ଗରେ ଯେ ପାଠକଙ୍କ ପାଖକୁ ନ’ ଆସିବ ତାହା କୁହାଯାଇନପାରେ। ତେବେ ଏ ପରିବର୍ତ୍ତନ ମଧ୍ୟରେ ‘ସମାଜ’ର ମୌଳିକତା ଓ ଆଦର୍ଶରେ ପରିବର୍ତ୍ତନର ସମ୍ଭାବନା କ୍ଷୀଣ। ସେଇ ମୌଳିକତାଗୁଡ଼ିକ ହେଲା ନିରପେକ୍ଷତା, ନିର୍ଭୀକତା, ସ୍ପଷ୍ଟବାଦିତା, ସତ୍ୟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ। ଯେଉଁ ପରିକଳ୍ପନା ୧୦୦ବର୍ଷ ତଳେ ହୋଇଥିଲା ତାହା ଏବେ ନିରବରେ ନିରଳସ ଭାବେ ଆଗେଇ ଚାଲିଛି। ଏହି ପ୍ରତିଶ୍ରୁତିବଦ୍ଧତା ‘ସମାଜ’କୁ ଏକ ଜାତୀୟ ଅନୁଷ୍ଠାନର ମର୍ଯ୍ୟାଦା ଦେଇଛି, ଯାହା ବିରଳ। ସେ ଯାତ୍ରା ଅନେକ କଥା କହୁଛି, ବହୁ ସ୍ମୃତିକୁ ପଖାଳୁଛି। ଓଡ଼ିଶା ଇତିହାସରେ ଏକ ଅକ୍ଷରଧାରା ଆଙ୍କିଆଙ୍କି ଚାଲିଛି। ସାମାଜିକ, ଆର୍ଥିକ, ସାଂସ୍କୃତିକ, ସାହିତ୍ୟିକ, ରାଜନୈତିକ ଓ ସାମଗ୍ରିକ ଇତିହାସର ପଞ୍ଜିକାର ଭାବେ ଆଗେଇ ଚାଲିଛି।

 

ତପନ କୁମାର ମିଶ୍ର

ବାର୍ତ୍ତା ସମ୍ପାଦକ, ‘ସମାଜ’, କଟକ

Comments are closed.