କଂଗ୍ରେସ ପଣତରେ ଲାଗିଛି ମୁସଲମାନଙ୍କ ରକ୍ତ ଛିଟା : ସଲମାନ ଖୁର୍ସିଦ

0

ଅଲିଗଡ଼ : କଂଗ୍ରେସ ପଣତରେ ମୁସଲମାନଙ୍କ ରକ୍ତ ଛିଟାର ଦାଗ ରହିଥିବା ଭଳି ବୟାନ ଦେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଚର୍ଚ୍ଚାକୁ ଆସିଛନ୍ତି । ଅଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ରେ ଡ. ବିଆର ଆମ୍ବେଦକର କକ୍ଷରେ ରବିବାର ଆୟୋଜିତ ବାର୍ଷିକୋତ୍ସବରେ ଛାତ୍ରଙ୍କ ସହ ବାର୍ତ୍ତାଳପ ସମୟରେ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏହି ବିବାଦୟୀ ବୟାନ ଦେଇଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। କଂଗ୍ରେସକୁ ଘେରିବା ପାଇଁ ବିଜେପିକୁ ଏକ ସୁଯୋଗ ମିଳିଥିବାବେଳେ ଏହା କଂଗ୍ରେସର ଚିନ୍ତା ବଢାଇ ଦେଇଛି । ଏଏମ୍‌ୟୁର ଜଣେ ପୂର୍ବତନ ଛାତ୍ର ଦ୍ୱାରା କଂଗ୍ରେସ ଶାସନ କାଳରେ ବାବ୍ରି ମସଜିଦ୍‌ ଭଙ୍ଗା ଏବଂ ବିଭିନ୍ନ ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସଲମାନ ଖୁର୍ସିଦ କଂଗ୍ରେସ ପଣତରେ ମୁସଲମାନଙ୍କ ରକ୍ତର ଛିଟାର ଦାଗ ରହିଥିବା ସ୍ୱୀକାର କରିଥିଲେ । ଏହାପରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବାସ ନକବୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଶାସନକାଳରେ ୫୦୦୦ ଦଙ୍ଗା ହୋଇଛି। ନିଜକୁ ଧର୍ମନିରପେକ୍ଷ ବୋଲି କହୁଥିବା କଂଗ୍ରେସ ନେତାମାନେ ନିର୍ଦୋଷ ଲୋକଙ୍କ ହତ୍ୟାକୁ ଆଖି ଆଗରେ ଦେଖିଛନ୍ତି । କଂଗ୍ରେସ ଶାସନକାଳରେ ସଂଗଠିତ ଦଙ୍ଗା ପାଇଁ ଯଦି ନେତାମାନେ କ୍ଷମା ମାଗୁଛନ୍ତି ତେବେ ସେମାନେ ବିଳମ୍ବରେ ବୁଝିଲେ ବୋଲି ଧରାଯିବ । ଉଲ୍ଲେଖ ଯେ ଏଏମ୍‌ୟୁର ନିଲମ୍ବିତ ଛାତ୍ର ଅମିର ସଲମାନଙ୍କୁ ପ୍ରଶ୍ନ କରିଥିଲେ ଯେ ୧୯୪୭ ଦେଶ ସ୍ୱାଧୀନ ହେବା ପରବର୍ତ୍ତୀ ଦଙ୍ଗା, ୧୯୪୮ରେ ଏଏମ୍‌ୟୁ ଆକ୍ଟରେ ପ୍ରଥମ ସଂଶୋଧନ, ୧୯୫୦ରେ ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ମୁସଲିମ ଦଳିତଙ୍କଠାରୁ ଏସ୍‌ସି/ଏସ୍‌ଟି ସଂରକ୍ଷଣ ଉଠାଇନିଆଯିବାକୁ ଆପଣ କେମିତି ଦେଖୁଛନ୍ତି । ଏହାସହ ହାସିମପୁର, ମାଲିୟାନା, ମେରଠ, ମୁଜଫରନଗର, ମୁରାଦାବାଦ, ଭାଗଲପୁର, ଅଲିଗଡ଼ ଅଞ୍ଚଳରେ ମୁସଲମାନଙ୍କ ନରସଂହାର, ବାବ୍ରି ମସଜିଦ୍‌ ଦ୍ୱାର ଖୋଲାଯିବା ଓ ଭଙ୍ଗାଯିବା ଘଟଣା କଂଗ୍ରେସ ଶାସନ କାଳରେ ସଂଗଠିତ ହୋଇଥିଲା । ଏହି ସବୁ ଘଟଣାରେ କଂଗ୍ରେସ ପଣତରେ ଲାଗିଥିବା ମୁସଲମାନଙ୍କ ରକ୍ତକୁ ଆପଣ କଣ କଥାରେ ଧୋଇବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସଲମାନ ଖୁର୍ସିଦ କହିଥିଲେ ଯେ କଂଗ୍ରେସ ପଣତରେ ମୁସଲମାନଙ୍କ ରକ୍ତ ଛିଟାର ଦାଗ ରହିଛି । କଂଗ୍ରେସର ଜଣେ ନେତା ହୋଇଥିବାରୁ ମୁସଲମାନଙ୍କ ରକ୍ତର ଛିଟା ମୋ ପଣତରେ ବି ଲାଗିଛି ।

Leave A Reply