୪୯ ଡିଗ୍ରୀରେ ସୁଟିଂ କରୁଛନ୍ତି ସଲମାନ୍

0

ବଲିଉଡର ସୁଲତାନ୍ ଭାବେ ଜଣାଯାଉଥିବା ସଲମାନ୍‌ଙ୍କ ଉଦାରତା ସମସ୍ତଙ୍କୁ ଜଣା। ଗତ କିଛି ମାସ ହେଲା ସେ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ସୁଟିଂରେ ଖୁବ୍ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ଏହାର ଇଉରୋପ ସୁଟିଂ, ପରେ ମୁମ୍ବଇ ଓ ଏବେ ଆବୁଧାବିରେ ଶେଷ ପର୍ଯ୍ୟାୟ ସୁଟିଂ ଚାଲିଥିବାର ପ୍ରକାଶ। ଏକ କୋରିଆ ଚଳଚ୍ଚିତ୍ରର ରିମେକ୍ ଭାରତର ନିର୍ଦେଶନା ଦାୟିତ୍ବରେ ଅଲ୍ଲୀ ଅବବାସ୍ ଜାଫର୍ ଅଛନ୍ତି। ଆବୁଧାବିର ସୀମାରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି। ସ୍ଥାନୀୟ ସୁରକ୍ଷାବାହିନୀ ମଧ୍ୟ ଭାରତୀୟ ଅଭିନେତା ଓ ୟୁନିଟ୍‌ ଦଳଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରିଛନ୍ତି। ଏବେ ସେଠାରେ ତାପମାତ୍ରା ୪୯ ଡିଗ୍ରୀ। ଅସହ୍ୟ ଗୁଳୁଗୁଳି ସହ ମାତ୍ର ଦୁଇଟି ଦୃଶ୍ୟର ସୁଟିଂ ପରେ ସମସ୍ତେ ଝାଳରେ ଗାଧୋଇ ପଡ଼ୁଛନ୍ତି। କାହାଣୀର ଆବଶ୍ୟକତା ଅନୁସାରେ ଏଇ ପରିବେଶ ଜରୁରୀ। ସଲମାନ୍ ଓ କ୍ୟାଟ୍ରିନା ମଧ୍ୟ ଆବୁଧାବିର ଜଳବାୟୁରେ ଅତିଷ୍ଠ, କିନ୍ତୁ ଦୁହେଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ସୁଟିଂରେ ଯେପରି କୌଣସି ହେଳା ନ ହେଉ। କଳାକାରଙ୍କ ଅସହ୍ୟତାକୁ ଜାଣିପାରି ନିର୍ଦେଶକ ଅଲ୍ଲୀ ସ୍ଥିର କରିଥିଲେ ଆବୁଧାବିର ସୁଟିଂକୁ ବାତିଲ କରିବା ନିମନ୍ତେ। ସଲମାନ୍‌ ଏ କଥା ଜାଣିବା ପରେ ବିରକ୍ତ ହୋଇଥିଲେ ଓ ସୁଟିଂ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟପାଖେ ସଲମାନ୍‌ଙ୍କ ମା’ ବ୍ୟତିବ୍ୟସ୍ତ ଯେ ପୁଅ ଏତେ ଗରମରେ ସୁଟିଂ କରୁଛି, ତା’ ସ୍ବାସ୍ଥ୍ୟ ଯେପରି ଖରାପ ନ ହେଉ। ଖାନ୍ ପରିବାରର ଜଣେ ସଦସ୍ୟ ଏହା ପ୍ରକାଶ କରିଛନ୍ତି।

Leave A Reply