ଦେବଦୂତ ସାଜିଲେ, ରୋଜା ଭାଙ୍ଗି ରକ୍ତ ଦେଲେ

0

ଫୁଲବାଣୀ/କନ୍ଧମାଳ : ମାନବିକତା ଆଗରେ ସବୁ କିଛି ହାର୍‌ ମାନେ। ଜାତି ଓ ଧର୍ମ ଠାରୁ ମଣିଷପଣିଆ ହିଁ ଶ୍ରେଷ୍ଠ। ଜଣେ ଅନ୍ୟ ଜଣଙ୍କ ସେବାରେ ଆସିଲେ ହିଁ ମାନବ ଜୀବନ ହୁଏ ସାର୍ଥକ। ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପ୍ରତିପାଦିତ କରିଛନ୍ତି ଫୁଲବାଣୀ ପିଅନପଡ଼ାର ଶେଖ୍‌ ସାତ୍ତାରଙ୍କ ପୁଅ ଶେଖ ସାକୀର। ରମଜାନ ମାସର ପବିତ୍ର ରୋଜା (ଉପବାସ) ଭାଙ୍ଗି ଜଣେ ଗୁରୁତର ଅସୁସ୍ଥ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ତାଙ୍କର ଜୀବନ ବ|ଞ୍ଚାଇଛନ୍ତି। ଫଳରେ ଗର୍ଭସ୍ଥ ଶିଶୁଟିକୁ ମଧ୍ୟ ପ୍ରକାରାନ୍ତରେ ରକ୍ଷା କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ୧୪୨ ନମ୍ବର ଶଯ୍ୟାରେ ତିନି ଦିନ ଧରି ଚିକିତ୍ସିତ ହେଉଛନ୍ତି ଟିକାବାଲି କଇଁଝର ପଞ୍ଚାୟତ ଡଗୁପଦର ଗାଁର ଧର୍ମେନ୍ଦ୍ର ମଲିକଙ୍କ ଗର୍ଭବତୀ ପତ୍ନୀ ଅଞ୍ଜଳି। ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ଏବି ପଜିଟିଭ ହୋଇଥିବା ବେଳେ ଦୁଇ ଦିନ ଧରି ରକ୍ତ ଖୋଜା ଯାଉଥିଲେ ହେଁ ରକ୍ତ ମିଳିପାରୁ ନ ଥିଲା। ଇତିମଧ୍ୟରେ ମଧ୍ୟରେ ତାଙ୍କର ହେମୋଗ୍ଲୋବିନ
ପରିମାଣ କମିବା ସହିତ ଗୁରୁତର ହେବାରେ ଲାଗିଥିଲେ ଅଞ୍ଜଳି। ପରିବାରଲୋକେ ସମସ୍ତ ଆଶା ହରାଇ ଦେଇଥି​‌େ​‌ଲ। ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ ମାମାଙ୍କ ଠାରୁ ଖବର ପାଇ ତୁରନ୍ତ ମେଡିକାଲରେ ଆସି ଗୁରୁବାର ଅପରାହ୍ନରେ ପହଞ୍ଚିଥିଲେ ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଶେଖ ସାକୀର। ରୋଗୀଙ୍କୁ ଭେଟିବା ପରେ ସବୁ ଦ୍ୱନ୍ଦ୍ୱକୁ ଭୁଲି ଯାଇଥିଲେ ଏବଂ ତୁରନ୍ତ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ। ଉପବାସ ଯୋଗୁଁ ସାକୀର ଗତ ୧୪ଦିନ ଧରି ଦିନବେଳା କିଛି ଖାଦ୍ୟ କିମ୍ବା ପାଣି ମଧ୍ୟ ଗ୍ରହଣ କରି ନ ଥିବାରୁ ରକ୍ତ ନେବାକୁ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ ରାଜି ହୋଇ ନ ଥିଲେ। ତେବେ ଜଣଙ୍କ ଜୀବନ ବଞ୍ଚାଇବାକୁ ନିଜର ଉପବାସକୁ ନ୍ୟୂନ ମଣିଥିଲେ ଏବଂ ତୁରନ୍ତ କିଛି ପାନୀୟ ପିଇ ସାକୀର ଉପବାସ ଭାଙ୍ଗିବା ସହିତ ରକ୍ତଦାନ କରିଥିଲେ। ରକ୍ତ ଗ୍ରହଣ କରିବା ପରେ ଅଞ୍ଜଳି ସୁସ୍ଥ ଅନୁଭବ କରୁଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ସାକୀର ରକ୍ତଦାନ କରି ଆମକୁ ଜଣେ ଦେବଲୋକ ପରି ସହାୟତା କରିଛନ୍ତି ବୋଲି କହିଛନ୍ତି ଅଞ୍ଜଳିଙ୍କ ସ୍ୱାମୀ ଧର୍ମେନ୍ଦ୍ର।
ଉପବାସ ଭାଙ୍ଗିଥିବାରୁ ଟିକେ ମନରେ ଦୁଃଖ ଥିଲା; ତଥାପି ଜୀବନ ନିକଟରେ ସବୁକିଛି ନ୍ୟୂନ ଭାବିଲି। ରକ୍ତଦାନ କରି ତାଙ୍କୁ ବଞ୍ଚାଇଥିବାରୁ ମୋତେ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ସାକୀର। ଚଳିତ ଥରକୁ ମିଶାଇ ସାତ ଥର ରକ୍ତଦାନ କରିସାରିଲିଣି ଏବଂ ଆଗକୁ ଏପରି ରକ୍ତଦାନ କରୁଥିବି; କିନ୍ତୁ ଏଥରର ରକ୍ତଦାନ ତାଙ୍କୁ ଅଧିକ ଆନନ୍ଦ ଦେଇଛି ବୋଲି କହିଛନ୍ତି ସାକୀର। ସ୍ୱେଚ୍ଛାକୃତ ରକ୍ତଦାତା ଲୋକନାଥ ରାଜୁଙ୍କ ପ୍ରେରଣାରେ ରକ୍ତଦାନ କରୁଥିବା କହିଛନ୍ତି ସାକୀର। ଏବି ପଜିଟିଭ୍‌ ଏକ ବିରଳ ରକ୍ତ ଗ୍ରୁପ ଏବଂ ରକ୍ତଦାନ ପରେ ରୋଗୀଙ୍କୁ ରକ୍ତ ଦିଆସରିଛି ବୋଲି କହିଛନ୍ତି ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ ଲକ୍ଷ୍ମୀଧର ମଣ୍ଡଳ। ରକ୍ତଦାନ ଏକ ମହତ ଓ ପୁଣ୍ୟ କାର୍ଯ୍ୟ ହୋଇଥିବା ବେଳେ ସାକୀରଙ୍କ ମହନୀୟତା ନିଶ୍ଚିତ ଭାବେ ଅଞ୍ଜଳି ଓ ତାଙ୍କ ଗର୍ଭସ୍ଥ ସନ୍ତାନକୁ ନୂଆ ଜୀବନ ଦେଇପାରିଛି ବୋଲି କହିଛନ୍ତି ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ତଥା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କରୁଣାକର ପ୍ରଧାନ। ଫୁଲବାଣୀ ସ୍ୱେଚ୍ଛାକୃତ ରକ୍ତଦାତା ସୋସାଇଟି ଓ ବହୁ ମାନବବାଦୀ ସଂଗଠନ ସାକୀରଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି।

Leave A Reply