ଆସନ୍ତାକାଲି ପବିତ୍ର ଅଁଳା ନବମୀ : ସାକ୍ଷିଗୋପୀନାଥ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ

ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ପବିତ୍ର ଅଁଳା ନବମୀ ଅବସରରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ପୁରୀଜିଲ୍ଲା ସାକ୍ଷିଗୋପାଳସ୍ଥିତ ସାକ୍ଷିଗୋପୀନାଥ ଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହେବ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ବର୍ଷସାରା ମା’ ଶ୍ରୀରାଧାଙ୍କ ପଦ ଯୁଗଳ ଲୁଗାରେ ଘୋଡ଼ାଇ ହୋଇ ରହିଥିବା ବେଳେ ମହାକାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ତିଥିରେ ଭକ୍ତମାନେ ମା’ଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଶ୍ରୀରାଧା ବିଭିନ୍ନ ରତ୍ନାଦି ଅଳଙ୍କାରରେ ଭୂଷିତ ହୋଇ ଓଡିଆଣୀ ବେଶରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଭକ୍ତମାନେ ମନ୍ଦିରର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରି ପଶ୍ଚିମ ଓ
ଉତ୍ତର ଦ୍ୱାର ରାସ୍ତାଦେଇ ପ୍ରସ୍ଥାନ କରିବାଲାଗି ସ୍ଥିର କରାଯାଇଛି। ଏଥିଲାଗି ମନ୍ଦିର ସମ୍ମୁଖରେ ଛାମୁଣ୍ଡିଆ ବନ୍ଧାଯିବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ୍‍, ପାନୀୟଜଳ, ଦମକଳ, ଆମ୍ବୁଲାନ୍ସ ଆଦି ସେବା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବା ସହିତ ଗମନାଗମନ ଲାଗି ସ୍ୱତନ୍ତ୍ର ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମନ୍ଦିରରୁ ସୂଚନା ଅନୁଯାୟୀ ସୋମବାର ରାତି ଗୋଟାଏ ବେଳେ ମନ୍ଦିରର ଦ୍ୱାର ଫିଟାଯାଇ ସକାଳ ସାଢ଼େ ୫ଟା ସୁଦ୍ଧା ମଙ୍ଗଳ
ଆରତୀ, ମର୍ଦ୍ଦନ, ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳଧୂପ, ବାଳଧୂପ ଓ ମଦନମୋହନ ଦେବଙ୍କ ଭୋଗ ଶେଷ ହେବ। ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନରେ ସର୍ବସାଧାରଣ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।

Comments are closed.