ମିଶନ୍ ୨୦୧୯ ,ଓଡିଶାରେ ସାମ୍ଭବ୍ୟ ପ୍ରାର୍ଥୀଙ୍କ  ବିଷୟରେ ଆଲୋଚନା କରିବେ ଶାହ !

0

ଭୁବନେଶ୍ୱର:  ଆସନ୍ତା ନିର୍ବାଚନରେ ଓଡିଶା ସହ ଦକ୍ଷିଣ ଭାରତର ତଟବର୍ତ୍ତୀ ରାଜ୍ୟ ଉପରେ ବିଜେପି ନଜର ରଖିଛି । ଏହାର ଶୁଭାରମ୍ଭ କରିବା ପାଇଁ ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସୁଛନ୍ତି । ଜୁଲାଇ ଏକ ତାରିଖରେ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେ ବିଜେପିର କୋର ଗ୍ରୁପ ସହ ଆଲୋଚନା କରିବା ସହ  ବିଧାନସଭା ନିର୍ବାଚନ ପାଇଁ ସାମ୍ଭବ୍ୟ ପ୍ରାର୍ଥୀଙ୍କ  ବିଷୟରେ ଆଲୋଚନା କରିବେ । ଏଥର ଜନ ସଭାର କୌଣସି ସେମିତି କାର୍ଯ୍ୟକ୍ରମ ନଥିବା ସୂଚନା ମିଳିଛି ।

ଏହାପୂର୍ବରୁ ଅମିତ ଶାହ ୨୦୧୫ ମସିହା ଜୁଲାଇ ୬ ତାରିଖରେ  ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ, ୨୦୧୬ ମସିହା ନଭେମ୍ବର ୨୫ ତାରିଖରେ ଦ୍ୱିତୀୟ ଥର, ୨୦୧୭ ମସିହା ଜାନୁଆରୀ ୨୦ ତାରିଖରେ ତୃତୀୟ ଥର ଆସିଥିଲେ । ସେହିପରି ୨୦୧୭ ମସିହା ଏପ୍ରିଲ ମାସରେ ଭୁବନେଶ୍ୱରରେ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକରେ ଯୋଗ ଦେଇଥିଲେ । ଏହାପରେ ଜୁଲାଇ ୪ ରୁ ୬ ତାରିଖରେ ୨୦୧୭ ମସିହାରେ ଅମିତ ଶାହା ଓଡିଶାରେ ରୋଡ ସୋ କରିଥିଲେ । ୬ରୁ ୮ ସେପ୍ଟେମ୍ବର ୨୦୧୭ ମସିହାରେ ବି ଆସିଥିଲେ । ୨୦୧୮ ମସିହା ଏପ୍ରିଲ ୪ ଓ ୫ ତାରିଖରେ କାଳାହାଣ୍ଡି ଓ ବଲାଙ୍ଗୀର ଜିଲାରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ପୁଣି ଜୁଲାଇ ଏକ ତାରିଖରେ ଓଡିଶା ଆସୁଛନ୍ତି ।

ଉତ୍ତର ଭାରତରେ ଆଶାନୁରୂପକ ଫଳ ମିଳିବାର ଆଶା କମ୍‌ ଥିବାରୁ ଓଡିଶା ସହ ଅନ୍ୟ ରାଜ୍ୟମାନଙ୍କୁ ବିଜେପି ଗୁରୁତ୍ୱ ଦେଉଛି । ଏହା ସହ ଓଡିଶାରେ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମୋଦି ଓ ଶାହ ଦୁଇଜଣଙ୍କୁ ପୁରୀରେ ନିର୍ବାଚନ ଲଢିବାପାଇଁ ରାଜ୍ୟନେତୃତ୍ୱ ନିବେଦନ କରିଥିଲା । ମାତ୍ର ୨ ଜଣ ଏଥିରେ ସମ୍ମତି ପ୍ରକାଶ କରି ନାହାନ୍ତି ।

ମାତ୍ର ବିଜେଡି ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । ମୋଦି ଓ ଶାହଙ୍କର ଓଡିଶା ଗସ୍ତ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି  ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି । ଓଡିଶାର ଲୋକ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି ଓ  ବିଜେଡିକୁ ସଫଳତା ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply