ହିଂସାର ରୂପ ନେଲା ବିରୋଧ: ସାମ୍ବାଦିକଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

0

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ବିବାଦ:
କୋଚି: ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ବିରୋଧ କ୍ରମଶଃ ହିଂସା ରୂପ ନେଇଛି। ମୁଖାଧାରୀ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଦୁଇ ଜଣ ମହିଳା ସାମ୍ବାଦିକ ଆହତ ହୋଇଛନ୍ତି। ସେମାନଙ୍କ ଗାଡ଼ିକୁ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି।
ସୂଚନାଯୋଗ୍ୟ, ଶାବରିମାଳା ମନ୍ଦିରରେ ସବୁ ବର୍ଗର ଓ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦ ଓ ପ୍ରତିବାଦ ଜୋର ଧରିଛି। ସ୍ଥାନୀୟ ସଂଗଠନ, ମନ୍ଦିରର ପୂଜକ ଏପରିକି କିଛି ମହିଳା ସଂଗଠନ ମଧ୍ୟ ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାରର ପ୍ରତିବାଦ କରିଛନ୍ତି। ରାୟର ପୁନର୍ବିଚାର ପାଇଁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଦାବି କରୁଥିବା ବେଳେ ଯେ କୌଣସି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି।
ବୁଧବାର ଶାବରିମାଳା ମନ୍ଦିର ଖୋଲିବାକୁ ଥିବା ବେଳେ ଏହି ବିବାଦ କ୍ରମଶଃ ତୀବ୍ର ହେବାରେ ଲାଗିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସକାଳୁ ମନ୍ଦିର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ମନ୍ଦିର ଦିଗକୁ ଯାଉଥିବା ମହିଳାଙ୍କୁ ଅଧାବାଟରୁ ଅଟକାଯାଇଥିଲା। ଏପରିକି ସବୁ ଗାଡ଼ିକୁ ଯାଞ୍ଚ କରି ମହିଳାଙ୍କୁ ଓହ୍ଲାଇ ଦିଆଯାଉଥିଲା। ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଚାରିଟି ଗଣମାଧ୍ୟମ ସଂସ୍ଥାର ମହିଳା ସାମ୍ବାଦିକମାନଙ୍କୁ ବିକ୍ଷୋଭକାରୀମାନେ ବିରୋଧ କରିଥିଲେ। ପୁଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇନ ଥିଲା। ରିପବ୍ଲିକ ଟିଭି, ଆଜ ତକ, ନ୍ୟୁଜ୍‍ ୧୮ ଓ ନ୍ୟୁଜ ମିନିଟ୍‍ ର ସାମ୍ବାଦିକଙ୍କୁ ଅଟକା ଯାଇଥିଲା। ସାମ୍ବାଦିକମାନେ ଯାତ୍ରୀଙ୍କୁ ନେଇ ଯାଉଥିବା ସରକାରୀ ବସ୍‍ରେ ଖବର ସଂଗ୍ରହ ପାଇଁ ଯାଇଥିଲେ। ତେଣୁ ସେମାନଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି କୁହାଯାଉଛି।

Leave A Reply