ବିଶାଖାପାଟଣା ଟେଷ୍ଟରେ ରୋହିତଙ୍କ ଶତକ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ବିଶାଖାପାଟଣା : ୬ ବର୍ଷ ତଳେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳି ଶତକ ହାସଲ କରିଥିବା ରୋହିତ ଶର୍ମା ଏହାପରେ ଟେଷ୍ଟ ଦଳକୁ ଫେରିବା ଲାଗି ସଂଘର୍ଷ କରିଥିଲେ। ଦିନିକିଆର ଓପ୍‌ନର ଭାବେ ବେଶ୍ ସଫଳତା ହାସଲ କରିଥିବା ରୋହିତ ପ୍ରଥମଥର ପାଇଁ ​ଟେଷ୍ଟ ମ୍ୟାଚ୍‌ରେ ଇନିଂସ ଓପନ୍‌ କରିବା ସୁଯୋଗ ପାଇବା ପରେ ଏହି ସୁଯୋଗ ଛାଡ଼ିନାହାନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିରୋଧରେ ଘରୋଇ ଭାରତର ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ରୋହିତ ଅପରାଜିତ ଶତକ ମାରିଛନ୍ତି। ତେବେ ଅପରାହ୍‌ଣରେ ବର୍ଷା ହେବାରୁ ମାତ୍ର ୫୯.୧ ଓଭର ଖେଳ ସମ୍ଭବ ହୋଇପାରିଛି। ରୋହିତଙ୍କ ସାଥୀ ଓପ୍‌ନର ମୟଙ୍କ ଅଗ୍ରୱାଲ ମଧ୍ୟ ୮୪ ରନ୍‌ର ଇନିଂସ ଖେଳି ପ୍ରଥମଦିନରୁ ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରାଧାନ୍ୟ ଜାହିର କରି ପାରିଛନ୍ତି। ଫଳରେ ପ୍ରଥମଦିନ ଶେଷରେ ଭାରତ ପ୍ରଥମ ଇନିଂସରେ କୌଣସି ୱିକେଟ୍‌ ନ ହରାଇ ୨୦୨ ରନ୍‌ କରିଛି।
ଏପରି ସ୍କୋର୍‌ କରିବା ପରେ ଭାରତ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହେଉଛି । ଏହି ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଓପନର୍‌ ଭାବେ ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ପ୍ରଥମ ଅଧଘଣ୍ଟା ରୋହିତ ଓ ମୟଙ୍କ ଜଗିରଖି ଖେଳିଥିଲେ ଏବଂ ପରେ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ଓ କାଗିସୋ ରାବାଡ଼ା ଭାରତୀୟ ଓପନର୍‌ଙ୍କ ବିପକ୍ଷରେ ପ୍ରଭାବହୀନ ଲାଗିଥିଲେ। ଦକ୍ଷିଣ ଆଫ୍ରିକା ଏହି ପିଚ୍‌ରେ ୩ ଜଣ ସ୍ପିନର- କେଶବ ମହାରାଜ୍‌, ଡେନ୍ ପିଡ୍‌ଟ ଓ ସେନୁରାମ ମୁଥୁସ୍ବାମୀଙ୍କୁ ଖେଳାଇଥିଲା। ତେବେ ୩ଜଣ ଯାକ ସ୍ପିନର ମୟଙ୍କ ଓ ରୋହିତଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ। ଭୋଜନ ବିରତି ପରେ ରୋହିତ ଓ ମୟଙ୍କ ଅଧିକ ଷ୍ଟ୍ରୋକ୍ ଖେଳିଥିଲେ। ରୋହିତ ୧୨ଟି ଚୌକା ଓ ୫ଟି ଛକା ସହ ୧୧୫ ରନ୍‌କରି ଅପରାଜିତ ରହିଛନ୍ତି। ମୟଙ୍କ ଅଗ୍ରୱାଲ୍‌ ୧୧ଟି ଚୌକା ଓ ୨ଟି ଛକା ସହ ୮୪ ରନ୍‌କରି ଅପରାଜିତ ଅଛନ୍ତି। ୯ମ ମାସ ପରେ ଟେଷ୍ଟ କ୍ରିକେଟ ଖେଳୁଥିବା ରୋହିତ ୪ର୍ଥ ଟେଷ୍ଟ ଶତକ ହାସଲ କରିଛନ୍ତି।

Comments are closed.