ଫେଡେରରଙ୍କୁ ହରାଇ ଡେଲ୍‍ ପଟ୍ରୋ ଚମ୍ପିଆନ

0

ଇଣ୍ଡିଆନ୍‍ ୱେଲ୍‍ସ (ଆମେରିକା) : ଆର୍ଜେଣ୍ଟିନାର ୟୁଆନ୍‍ ମାର୍ଟିନ୍‍ ଡେଲ୍‍ ପଟ୍ରୋ ଏଠାରେ ରବିବାର ସମାପ୍ତ ହୋଇଥିବା ଇଣ୍ଡିଆନ୍‍ ୱେଲ୍‍ସ ଏଟିପି ଟେନିସ ଚମ୍ପିଆନ୍‍ସିପରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ୍‍ ହୋଇଛନ୍ତି । ବିଶ୍ୱର ୧ନଂ ଖେଳାଳି ସ୍ୱିଜରଲାଣ୍ଡର ରଜର ଫେଡେରରଙ୍କୁ ଫାଇନାଲରେ ପରାସ୍ତକରି ଡେଲ୍‍ ପଟ୍ରୋ ଏହି ଟାଇଟଲ ଜିତିଛନ୍ତି । ଫାଇନାଲ ମ୍ୟାଚ୍‍ରେ ୫ଥର ଏଠାରେ ଚମ୍ପିଆନ୍‍ ହୋଇଥିବା ଫେଡେରର ୩ଟି ମ୍ୟାଚ୍‍ ପଏଣ୍ଟ ପାଇଥିଲେ ହେଁ ଡେଲ୍‍ ପଟ୍ରୋ ଏହାକୁ ବଞ୍ଚାଇ ମ୍ୟାଚ୍‍ ଜିତି ନେଇଥିଲେ । ୨ ଘଣ୍ଟା ୪୨ ମିନିଟ ଚାଲିଥିବା ଏହି ମ୍ୟାଚ୍‍ରେ ଡେଲ୍‍ ପଟ୍ରୋ ୬-୪, ୬-୭, ୭-୬ ସେଟ୍‍ରେ ଜିତି ନେଇଥିଲେ ।
୩ୟ ଗେମ୍‍ରେ ଫେଡେରର ୫-୪ରେ ଆଗୁଆ ଥାଇ ମ୍ୟାଚ୍‍ ପାଇଁ ସର୍ଭିସ କରିଥିଲେ ଏବଂ ୪୦-୧୫ରେ ଆଗୁଆ ରହିଥିଲେ । ତେବେ ଡେଲ୍‍ ପଟ୍ରୋ କ୍ରମାଗତ ୨ଟି ମ୍ୟାଚ୍‍ ପଏଣ୍ଟ ବଞ୍ଚାଇ ସେଟ୍‍କୁ ଟାଇବ୍ରେକରକୁ ନେଇ ଯାଇଥିଲେ । ଟାଇବ୍ରେକରରେ ପ୍ରଥମ ୫ଟି ପଏଣ୍ଟ ଜିତି ନେଇଥିଲେ ଡେଲ୍‍ ପଟ୍ରୋ । ଏହାପରେ ମ୍ୟାଚ୍‍କୁ ଫେରିବା ଫେଡେରରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା । ସୂଚନାଯୋଗ୍ୟ; ୨୦୧୭ ୟୁଏସ୍‍ ଓପନ୍‍ର ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ଫେଡରରଙ୍କୁ ହରାଇ ଚମ୍ପିଆନ୍‍ ହୋଇଥିଲେ ୟୁଆନ୍‍ ମାର୍ଟିନ୍‍ ଡେଲ୍‍ ପଟ୍ରୋ । ପୁଣି ୨୦୧୩ ପରେ ବିଶ୍ୱର ୮ନଂ ଖେଳାଳି ଡେଲ୍‍ ପଟ୍ରୋ ଇଣ୍ଡିଆନ୍‍ ୱେଲ୍‍ସର ଫାଇନାଲରେ ପ୍ରବେଶ କରିଥିଲେ । ଅନ୍ୟପକ୍ଷରେ ୩୬ ବର୍ଷ ବୟସ୍କ ଫେଡେରର ୨୦୧୬ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ ହେଁ କ୍ରମାଗତ ୪ର୍ଥ ବର୍ଷ ଏଠାରେ ଫାଇନାଲ ଖେଳିଥିଲେ । ସୂଚନାଯୋଗ୍ୟ; ରଜର ଫେଡେରରଙ୍କୁ ଚଳିତବର୍ଷ ପରାସ୍ତ କରିବାରେ ଡେଲ୍‍ ପଟ୍ରୋ ହେଉଛନ୍ତି ସର୍ବପ୍ରଥମ ଖେଳାଳି । ଚଳିତବର୍ଷ ୧୮ଟି ମ୍ୟାଚ୍‍ ଖେଳି ଫେଡେରର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

Leave A Reply