ବୈଜ୍ଞାନିକମାନେ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ଶହେ ଘଣ୍ଟା ସମୟ ଦିଅନ୍ତୁ ; ମୋଦି

0

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ସେମାନଙ୍କ ଗବେଷଣାଲବ୍ଧ ଜ୍ଞାନକୁ ପରୀକ୍ଷାଗାର ମଧ୍ୟରେ ସୀମିତ ନରଖି ଲୋକଙ୍କ ଉପକାର ପାଇଁ କ୍ଷେତ୍ରରେ ପ୍ରୟୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଜଣାଇଛନ୍ତି। ଇମ୍ଫାଲଠାରେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୫ତମ ଅଧିବେଶନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସମୟରେ ‘ଆର୍‌ ଆଣ୍ଡ ଡି’ ଅର୍ଥାତ ବିକାଶ ପାଇଁ ଗବେଷେଣା, ରିସର୍ଚ୍ଚ ଫର ଡେଭଲପମେଣ୍ଟ ଅଫ ଦି ନେସନ ବା ଦେଶର ବିକାଶ ପାଇଁ ଗବେଷଣା ଭାବେ ବିବେଚନା କରାଯିବ ଆବଶ୍ୟକ। ଶ୍ରୀ ମୋଦି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଦ୍ଭାବନ ଓ ଏହାର ବ୍ୟବହାର ନେଇ ଭାରତର ଇତିହାସ ସମୃଦ୍ଧ।

ବର୍ଷକୁ ଶହେ ଘଣ୍ଟା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀର ୧୦୦ଜଣ ଛାତ୍ରଛାତ୍ରୀଙ୍କ ସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି। ଏହା ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବିକାଶ କରିବାରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ୱାନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବା ଆବଶ୍ୟକ। ଦେଶର ଉନ୍ନତି ଓ ପ୍ରଗତି ପାଇଁ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ସର୍ବଦା ଆମ ଅନୁଷ୍ଠାନ ଓ ପରୀକ୍ଷାଗାର ଉନ୍ମୁକ୍ତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ସ୍କୁଲ ପିଲାମାନଙ୍କ ସହ ଆଲୋଚନା କରିବା ପାଇଁ ଏକ ମେକାନିଜିମ୍‌ ବିକଶିତ କରିବା ନିମନ୍ତେ ଶ୍ରୀ ମୋଦି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ସେ ପରଲୋକଗମନ କରିଥିବା ଦେଶ ବିଦେଶର ଖ୍ୟାତନାମା ବୈଜ୍ଞାନିକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତିନିଜଣ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକଙ୍କ ସମେତ ଦେଶ ବିଦେଶରୁ ୫୦୦୦ବୈଜ୍ଞାନିକ ଭାରତୀୟ ବିଜ୍ଞାନ କଂଗ୍ରେସର ଯୋଗ ଦେଇଛନ୍ତି। ଆସନ୍ତ ୨୦ ତାରିଖରେ ଏହା ଉଦ୍‌ଯାପିତ ହେବ।

Leave A Reply