ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୨ ଘଣ୍ଟା ପାଇଁ ବନ୍ଦ

0
 ରବିବାର ସକାଳ ୭ଟା ୩୦ରେ  ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ  ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ରବିବାର ସକାଳ ୭ଟା ୩୦ରେ ଶ୍ରୀମନ୍ଦିରକୁ ଯାଇ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ଏଥିପାଇଁ ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ୨ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ। ପାଳିଆ ସେବକ, ସୁରକ୍ଷାକର୍ମୀ ଏବଂ ସେବକ ନିଯୋଗ କର୍ମକର୍ତ୍ତାଙ୍କ ବ୍ୟତୀତ ଅନ୍ୟକେହି ସେତେବେଳେ ମନ୍ଦିର ଭିତରେ ରହିପାରିବେ ନାହିଁ। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପ୍ରାୟ ୪୫ମିନିଟ ଶ୍ରୀମନ୍ଦିରରେ ରହି ସେ ସକାଳ ୮ଟା ୧୫ରେ ବାହାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ରାଜ୍ୟ ଆଇନ ସଚିବ ବିଭୁପ୍ରସାଦ ରାଉତରାୟ, ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଅରବିନ୍ଦ ଅଗ୍ରୱାଲ ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଫେରିବା ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଖଣ୍ଡୁଆପାଟ ସମେତ ଆକର୍ଷଣୀୟ ପଟ୍ଟଚିତ୍ର ଉପହାର ଦିଆଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସେବାପୂଜା ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବାକୁ ଛତିଶାନିଯୋଗ ବୈଠକରେ ସ୍ଥିର କରାଯାଇଛି।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଶନିବାର ଅପରାହ୍ଣ ୫ଟା ୨୦ରେ ସେନାବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ରାଜ୍ୟପାଳ ଡଃ ଏସ.ସି ଜମିର, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ତାଙ୍କୁ ସ୍ୱାଗତ କରିବେ। ବୁଲେଟ୍‌ ପ୍ରୁଫ୍‌ କାର୍‌ଯୋଗେ ଶ୍ରୀ କୋବିନ୍ଦ ତାଳବଣିଆରୁ ପେଣ୍ଠକଟା ଓ ଚକ୍ରତୀର୍ଥ ରୋଡଦେଇ ସ୍ୱତନ୍ତ୍ର ସର୍କିଟ ହାଉସ ଯିବେ। ସେଠାରେ ପରିବାର ସହ ରାତ୍ରିଯାପନ କରିବେ। ୧୮ତାରିଖ ସକାଳେ ଶ୍ରୀଜୀଉଙ୍କ ଦର୍ଶନ ପରେ ସର୍କିଟ ହାଉସ ଫେରି ଶ୍ରୀ କୋବିନ୍ଦ ଜଳପାନ କରିବେ। ଦିନ ୯ଟା ୫୦ରେ ସେଠାରୁ ବାହାରି ୧୦ଟାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀସଦାଶିବ ପରିସର ଶତବାର୍ଷିକୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ୯ଜଣ ସଂସ୍କୃତ ବିଦ୍ୱାନଙ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ। ଦିନ ୧୦ଟା ୪୫ରେ ସଭାସ୍ଥଳ ଛାଡି ୧୦ଟା ୫୦ରେ ସେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ଦିନ ୧୧ଟା ସୁଦ୍ଧା ରାଷ୍ଟ୍ରପତିଙ୍କ ହେଲିକପ୍ଟର ପୁରୀରୁ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଶୁକ୍ରବାର ସ୍ୱତନ୍ତ୍ର ସର୍କିଟ ହାଉସ ଦଖଲକୁ ନେଇଛନ୍ତି। ୧୧୬ ନମ୍ବର କୋଠରିରେ ରାଷ୍ଟ୍ରପତି ଅବସ୍ଥାନ କରିବେ। ସୁରକ୍ଷା ଦାୟିତ୍ୱରେ ୩୮ପ୍ଲାଟୁନ ଫୋର୍ସ, ୩ଜଣ ଏସ୍‌ପି, ୯ ଅତିରିକ୍ତ ଏସ୍‌ପି, ୧୫ ଡିଏସ୍‌ପି ଏବଂ ୬୫ଜଣ ପୁଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଶ୍ରୀ ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ତାଳବଣିଆ ହେଲିପ୍ୟାଡ, ସ୍ୱତନ୍ତ୍ର ସର୍କିଟ ହାଉସ, ଶ୍ରୀମନ୍ଦିର, ବଡ଼ଦାଣ୍ଡ ଏବଂ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଭାସ୍ଥଳ ସୁରକ୍ଷା ବଳୟରେ ରହିବ।

Leave A Reply