ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ : ସାମିଙ୍କୁ ତଦନ୍ତ ପରିସରଭୁକ୍ତ କଲା ବିସିସିଆଇ

0

ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଲାଗି ସଙ୍କଟ ବଢ଼ିବାରେ ଲାଗିଛି। ସାମି ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ବୋଲି ତାଙ୍କ ପତ୍ନୀ ହସିନ୍‌ ଜାହାଁ କିଛିଦିନ ତଳେ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସାମିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
ଇତିମଧ୍ୟରେ ସାମିଙ୍କ ବିରୋଧରେ ଆସିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗର ତଦନ୍ତ ପାଇଁ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ତରଫରୁ ବିସିସିଆଇର ଦୁର୍ନୀତି ନିବାରଣ ଓ ନିରାପତ୍ତା ସଂସ୍ଥା (ଏସିଏସ୍‌ୟୁ)କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏସିଏସ୍‌ୟୁର ମୁଖ୍ୟ ନୀରଜ କୁମାରଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ। ହସିନ୍‌ କରିଥିବା ଅଭିଯୋଗ ଅନୁଯାୟୀ ସାମି ଜଣେ ପାକିସ୍ତାନୀ ମହିଳା ଅଲିସ୍‌ବାଙ୍କଠାରୁ ଅର୍ଥ ନେଇ ମ୍ୟାଚ୍‌ ଫିକ୍ସିଂ କରିଥିଲେ। ଇଂଲଣ୍ଡରେ ରହୁଥିବା ବ୍ୟବସାୟୀ ‘ମହମ୍ମଦ ଭାଇ’ ଏହି ମ୍ୟାଚ୍‌ ଫିକ୍ସିଂର ମୁଖ୍ୟ ସୂତ୍ରଧର। ସାମିଙ୍କ ବିରୋଧରେ ଆସିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସିଓଏ ତରଫରୁ ନୀରଜ କୁମାରଙ୍କୁ ନିର୍ଦେଶ ଦିଆଯାଇଛି। ଖୁବ୍‌ ଶୀଘ୍ର ସାମି ଏସିଏସ୍‌ୟୁ ମୁଖ୍ୟ ନୀରଜ କୁମାରଙ୍କୁ ଭେଟି ତାଙ୍କ ପକ୍ଷ ରଖିବେ।
ସିଓଏ ତରଫରୁ ମୁଖ୍ୟତଃ ୩ଟି ବିଷୟକୁ ନେଇ ତଦନ୍ତ କରିବାକୁ ନୀରଜ କୁମାରଙ୍କୁ କୁହାଯାଇଛି। ଏଗୁଡ଼ିକ ହେଲା ମହମ୍ମଦ ଭାଇ ଓ ଅଲିସ୍‌ବା କିଏ; ସେ ସଂପର୍କରେ ତଥ୍ୟ ସଂଗ୍ରହ କରିବା; ସାମିଙ୍କୁ ମହମ୍ମଦ ଭାଇ ଓ ଅଲିସ୍‌ବା ଟଙ୍କା ପ୍ରଦାନ କରିଛନ୍ତି କି ନାହିଁ, ଯଦି ଟଙ୍କା ପ୍ରଦାନ କରିଛନ୍ତି ତେବେ ଏହା ପଛର କାରଣ କ’ଣ। ସାମି ଓ ମହମ୍ମଦ ଭାଇଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହୋଇଥିବା ହସିନ୍‌ ଦର୍ଶାଇଥିବାରୁ ଏହି ବାର୍ତ୍ତାଳାପର ମଧ୍ୟ ତଦନ୍ତ ହେବ ବୋଲିି ଜଣାପଡ଼ିଛି। ସାମିଙ୍କ ବିରୋଧରେ ପତ୍ନୀ ହସିନ୍‌ ଜାହାଁନ ହତ୍ୟା ଉଦ୍ୟମ, ପାରିବାରିକ ହିଂସା ଆଦି ଅଭିଯୋଗ ଆଣିଥିଲେ ମଧ୍ୟ ଏଗୁଡ଼ିକ ସାମିଙ୍କ ବ୍ୟକ୍ତିଗତ ମାମଲା। ଏହାକୁ ତଦନ୍ତ ପରିସରଭୁକ୍ତ ନ କରିବାକୁ ନୀରଜଙ୍କୁ ସିଓଏ ତରଫରୁ କୁହାଯାଇଛି। ନୀରଜଙ୍କଠାରୁ ରିପୋର୍ଟ ମିଳିବା ପରେ ସାମି ମ୍ୟାଚ୍‌ ଫିକ୍ସିଂରେ ସଂପୃକ୍ତ କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି ସିଓଏର ମୁଖ୍ୟ ବିନୋଦ ରାୟ କହିଛନ୍ତି। ସୂଚନାଯୋଗ୍ୟ; ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶ ଫେରୁଥିବା ବେଳେ ସାମି ଗୋଟିଏ ଦିନ ଦୁବାଇରେ ବିତାଇଥିଲେ। ଏହାକୁ ନେଇ ହସିନ୍‌ ଜାହାଁନ୍‌ ପ୍ରଶ୍ନ ଉଠାଇଛନ୍ତି। ତେବେ ସାମିଙ୍କ ସହ ଅନ୍ୟ ଖେଳାଳି ଯାତ୍ରା କରୁଥିଲେ ଏବଂ ଦୁବାଇରେ ରାତିରେ ପହଞ୍ଚିବା ପରେ ଗୋଟିଏ ଦିନ ରହି ପରଦିନ ରାତିରେ ଭାରତ ଅଭିମୁଖେ ଖେଳାଳି ବିମାନରେ ଚଢିଥିଲେ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ସାମିଙ୍କୁ ବାର୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ କରାଯିବା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣକ କହିଥିଲେ ତାଙ୍କ ବିରୋଧରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିବାରୁ ସାମିଙ୍କୁ ବାର୍ଷିକ ଚୁକ୍ତିରେ ସାମିଲ କରାଯାଇ ନାହିଁ। ସାମିଙ୍କ ସଂପର୍କରେ ନୀରଜ କୁମାରଙ୍କ ତଦନ୍ତ ସରିବା ପରେ ଯଦି ସେ ମ୍ୟାଚ୍‌ ଫିକ୍ସିଂରେ ସଂପୃକ୍ତ ନ ଥିବା ରିପୋର୍ଟ ମିଳେ; ତେବେ ତାଙ୍କୁ ବାର୍ଷିକ ଚୁକ୍ତିରେ ସାମିଲ କରାଯିବା ସହ ଆଇପିଏଲ୍‌ରେ ଖେଳିବାର ସୁଯୋଗ ମିଳିବ। ଇତିମଧ୍ୟରେ ସାମି ଓ ହସିନ୍‌ଙ୍କ ମଧ୍ୟରେ ଆପୋଷ ମିଳାମିଶା ପାଇଁ ସମ୍ପର୍କୀୟଙ୍କ ତରଫରୁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।ତତ

Leave A Reply