ପୁଲିସ ସେବାର ମାନ ବଢ଼ାଅ

0

-୨୦ରୁ ଏବେ ମାତ୍ର ୨ ଜିଲାରେ ସୀମିତ ମାଓହିଂସା, -ସିଟିଜେନ୍‌ ପୋର୍ଟାଲ୍‌ର ସହାୟତା ଆପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର  : “୨୦୦୦ ମସିହାରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ଥିଲା। ଏବେ ଓଡ଼ିଶା ଏକ ବଳକା ରାଜ୍ୟରେ ପରିଗଣିତ ହୋଇଛି। ଏକଦଶନ୍ଧିରେ ରାଜ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଗରିବ ପରିବାରକୁ ୧.୫ ନିୟୁତ ପକକ୍କା ଘର ଓ ଖାଦ୍ୟ ନିରାପତ୍ତା ଆଇନରେ ବିପିଏଲ୍‌ ପରିବାରକୁ ଟଙ୍କିକିଆ ଚାଉଳ ଆଯାଉଛି। ଓଡ଼ିଶା ଶିଳ୍ପାୟନର ଏକ ଲକ୍ଷ୍ୟସ୍ଥଳ ହୋଇଛି। ଏସବୁ ଦୃଷ୍ଟିରୁ ରାଜ୍ୟରେ ପୁଲିସ ସେବାର ମାନବୃଦ୍ଧି କରିବାର ସମୟ ଆସିଛି” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ୬୦ତମ ତିନି ଦିନିଆ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ-୨୦୧୮ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଗତିର ଏହି ଅନୁକୂଳ ବାତାବରଣ ରକ୍ଷା ଦିଗରେ ପୁଲିସର ଦାୟିତ୍ୱ ରହିଛି। ମାଓ ଦମନ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଯୋଗୁଁ ଏବେ ଏହା ୨୦ ଜିଲାରୁ ୨ ଜିଲାକୁ ହ୍ରାସ ପାଇଛି। ସାଧାରଣ ଲୋକଙ୍କ ପାଇଁ ପୁଲିସ ଆନ୍ତରିକତାର ସହ କାର୍ଯ୍ୟ କରିବା ଦରକାର। ଫଳରେ ଲୋକଙ୍କ ଆଗରେ ପୁଲିସର ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଓଡ଼ିଶା ସିଟିଜେନ୍‌ ପୋର୍ଟାଲ୍‌’ ୱେବ୍‌ସାଇଟ୍‌ର ଏକ ଆପ୍‌ ‘ସହାୟତା’କୁ ଉଦ୍ଘାଟନ କରିବା ସହିତ ଓଡ଼ିଶା ପୁଲିସର ରାଜ୍ୟ ଅପରାଧ ନଥି ବ୍ୟୁରୋ(ଏସ୍‌ସିଆର୍‌ବି) ପ୍ରସ୍ତୁତ ‘ଓଡ଼ିଶାରେ ଅପରାଧ’ ଶୀର୍ଷକ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ରାଜ୍ୟର ପୁଲିସ ଭିତ୍ତିଭୂମିର
ଅନେକ ପରିବର୍ତ୍ତନ ହୋଇଛି। କମିଶନରେଟ୍‌ ବ୍ୟବସ୍ଥା ସହ ଅର୍ଥନୈତିକ ଅପରାଧ ଶାଖା, ସାଇବର ସେଲ୍‌, ତଟରକ୍ଷୀ ବାହିନୀ, ଆଧୁନିକ ଡିଏନ୍‌ଏ ଫୋରେନ୍ସିକ୍‌ ଲାବୋରେଟୋରି, ବିପିଏସ୍‌ପିଏ ଭଳି ଉତ୍ତମ ପ୍ରଶିକ୍ଷଣ କେନ୍ଦ୍ର ଆଦି ପ୍ରତିଷ୍ଠା କରାଯାଇଛି। ତେବେ ସାଧାରଣଲୋକଙ୍କର ନିକଟତର ହେବା ଲାଗି ପୁଲିସକୁ ଉପରସ୍ତରକୁ ଯାଇ କାର୍ଯ୍ୟ କରିବାକୁ ହେବ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
ଏହି ସମ୍ମିଳନୀରେ ସିସିଟିଏନ୍‌ଏସ୍‌ ପ୍ରକଳ୍ପକୁ ନିଜ ଜିଲାରେ ସଫଳ ରୁପାୟନ କରିଥିବାରୁ ଭଦ୍ରକ ଏସ୍‌ପି ଅନୁପ ସାହୁ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଅନୁଗୁଳ ଏସ୍‌ପି ଦିନେଶ ରାୟଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସିଟିଜେନ୍‌ ପୋର୍ଟାଲ୍‌ ବ୍ୟବହାର ଲାଗି କଟକ ଜିଲା ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ କଳାହାଣ୍ଡି ଦ୍ୱିତୀୟ ସ୍ଥାନ, ଗଞ୍ଜେଇ ଚାଷ ନଷ୍ଟ କରିବାରେ କନ୍ଧମାଳ ଓ ବୌଦ୍ଧ ଜିଲା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
ଆଜିର ଉତ୍ସବରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଆର୍‌.ବାଲ୍‌କ୍ରିଷ୍ଣନ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ବି.କେ. ପାଣ୍ଡେ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply