ପ୍ଲାଜାଙ୍କ ଡବଲ ଗୋଲ୍‌ ; ମୁଖ୍ୟ ପର୍ଯ୍ୟାୟରେ ଚର୍ଚ୍ଚିଲ ବ୍ରଦର୍ସ

0

ଭୁବନେଶ୍ୱର : ୱିଲିୟସ ଡି ପ୍ଲାଜାଙ୍କ ଡବଲ ଗୋଲ ବଳରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ସୁପର କପ୍‌ ଫୁଟ୍‌ବଲର ମୁଖ୍ୟ ପ୍ରତିଯୋଗିତା ଖେଳିବାକୁ ଯୋଗ୍ୟତା ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଦିଲ୍ଲୀ ଡାଇନାମୋଜ୍‌କୁ ପରାସ୍ତ କରି ମୁଖ୍ୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଛି।
ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ଖେଳ ବରାବର ରହିବାରୁ ଅତିରିକ୍ତ ହୋଇଥିଲା। ଏଥିରେ ଚର୍ଚ୍ଚିଲ ବ୍ରଦର୍ସ ବିଜୟ ହାସଲ କରିଥିଲା। ଖେଳ ପ୍ରାରମ୍ଭରୁ ଡାଇନାମୋଜ୍‌ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୫ ମିନିଟ୍‌ରେ ଦିଲ୍ଲୀ ଡାଇନାମୋଜ୍‌ ଅଧିନାୟକ ତଥା ନାଇଜେରିଆନ୍‌ ଫରୱାର୍ଡ କାଲୁଚେ ଏକ ସୁନ୍ଦର ପାସ୍‌କୁ ଗୋଲରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ପରେ ଚର୍ଚ୍ଚିଲ ବ୍ରଦର୍ସ ମ୍ୟାଚକୁ ଫେରିବା ଲାଗି ଉଦ୍ୟମ କରିଥିଲା। ଚର୍ଚ୍ଚିଲ ବ୍ରଦର୍ସ ରଣନୀତି ବଦଳାଇ ବିପକ୍ଷ ଦଳ ଉପରେ ଆକ୍ରମଣ କରିଥିଲା। ୩୦ ମିନିଟ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ଗୋଲ ଦେଇଥିଲେ ମଧ୍ୟ ରେଫରୀ ଅଫସାଇଡ୍‌ ଘୋଷଣାକରି ଏହାକୁ ନାକଚ କରିଦେଇଥିଲେ। ୩୪ ମିନିଟ୍‌ରେ ଚର୍ଚ୍ଚିଲ ବ୍ରଦର୍ସର ଫରୱାର୍ଡ ୱିଲିୟସ ଡୋନ ପ୍ଲାଜା ପେନାଲ୍‌ଟି ଏରିଆ ମଧ୍ୟରେ ଏକ ପାସ୍‌କୁ ଗୋଲରେ ପରିଣତ କରି ସ୍କୋର୍‌ ୧-୧ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ୧-୧ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ ହୋଇନଥିଲା। ୮୮ ମିନିଟ୍‌ରେ ଦିଲ୍ଲୀ ଡାଇନାମୋଜ୍‌ର ଫର୍ଣ୍ଣାଣ୍ଡିଜ୍‌ ସଟ୍‌ ଗୋଲପୋଷ୍ଟକୁ ସଟ୍‌ ମାରିଥିଲେ ମଧ୍ୟ ଚର୍ଚ୍ଚିଲ ବ୍ରଦର୍ସ ଗୋଲକିପର ରିକାର୍ଡୋ କାର୍ଡୋଜୋ ରୋକି ଦେଇଥିଲେ। ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ପରେ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା। ଏହାର ପ୍ରଥମାର୍ଦ୍ଧ ୧୫ ମିନିଟ୍‌ ଖେଳ ମଧ୍ୟ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ୧୦୬ ମିନିଟ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ପକ୍ଷରୁ ୱିଲିୟସ୍‌ ଡି ପ୍ଲାଜା ବିପକ୍ଷ ଦଳର ରକ୍ଷଣାପନ୍ଥୀକୁ ଭେଦକରି ଗୋଲ୍‌ଦେବାରେ ସକ୍ଷମ ହୋଇଥିଲେ। ଡି ପ୍ଲାଜା ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ମ୍ୟାଚ ଆରମ୍ଭ ପୂର୍ବରୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ମୁଖ୍ୟ ପରାମର୍ଶଦାତା ତଥା ଓଡ଼ିଶା ଆଥ୍‌ଲେଟିକ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା ଖେଳାଳିଙ୍କ ସହିତ ପରିଚିତ ହେଇଥିଲେ।

Leave A Reply