ଶ୍ରୀକାନ୍ତ ଓ ସିନ୍ଧୁ ୨ୟ ରାଉଣ୍ଡରେ; ସାଇନା ପରାସ୍ତ

0

ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ

ଲଣ୍ଡନ : ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରଥମଦିନରେ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ବିଶ୍ୱ ଚମ୍ପିଆନ୍‌ସିପ୍‌ ଓ ଅଲିମ୍ପିକ୍‌ସ ପଦକ ବିଜୟିନୀ ସାଇନା ନେହୱାଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତେବେ ମହିଳା ସିଙ୍ଗଲ୍‌ସରେ ପି.ଭି. ସିନ୍ଧୁ ଓ ପୁରୁଷ ସିଙ୍ଗଲ୍‌ସରେ ୩ୟ ସିଡ୍‌ କିଦାମ୍ବି ଶ୍ରୀକାନ୍ତ ବିଜୟୀହୋଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ମହିଳା ସିଙ୍ଗଲ୍‌ସ ପ୍ରଥମ ରାଉଣ୍ଡରେ ଅଣସିଡେଡ୍‌ ସାଇନାଙ୍କୁ ଟପ୍‌ ସିଡ୍‌ ତଥା ଗତବର୍ଷର ଚମ୍ପିଆନ୍‌ ତାଇ ଜୁ-ୟିଙ୍ଗ୍‌ ପରାସ୍ତ କରିଛନ୍ତି। ଚାଇନିଜ୍‌ ତାଇପେର ଜୁ-ୟିଙ୍ଗ୍‌ ୨୧-୧୪, ୨୧-୧୮ ଗେମ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ୩୮ ମିନିଟରେ ଶେଷ ହୋଇଥିଲା। ପ୍ରଥମ ଗେମ୍‌ରେ ସ୍କୋର୍‌ ୧୪-୧୪ ଥିବା ବେଳେ ତାଇ ଜୁ-ୟିଙ୍ଗ କ୍ରମାଗତ ୭ ପଏଣ୍ଟ ନେଇ ଗେମ୍‌ ଜିତିଥିଲେ। ୨ୟ ଗେମ୍‌ରେ ସାଇନା ୧୧-୮ ଓ ୧୬-୧୧ରେ ଆଗୁଆ ଥିଲେ ହେଁ ପୁଣି ଜୁ-ୟିଙ୍ଗ୍‌ ଶେଷଆଡ଼କୁ ଲଢ଼ୁଆ ପ୍ରଦର୍ଶନ କରି କ୍ରମାଗତ ୨ୟ ଗେମ୍‌ ଜିତିଥିଲେ। ୩ୟ ସିଡ୍‌ କେ. ଶ୍ରୀକାନ୍ତ ୩ଟି ଗେମ୍‌ରେ ଫ୍ରାନ୍‌ସର ବ୍ରାଇନ୍‌ ଲିଭର୍ଡେଜ୍‌ଙ୍କୁ ୭-୨୧, ୨୧-୧୪, ୨୨-୨୦ରେ ପରାସ୍ତକରି ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ପ୍ରଥମ ଗେମ୍‌କୁ ୨୧-୭ରେ ଜିତି ସମସ୍ତଙ୍କୁ ଚକିତ କରିଥିଲେ ଲିଭର୍ଡେଜ୍‌। ତେବେ ୨ୟ ଗେମ୍‌ରୁ ଶ୍ରୀକାନ୍ତ ଲୟରେ ଆସିଥିଲେ ଏବଂ ଚମତ୍କାର ସଟ୍‌ସବୁ ଖେଳି ପରବର୍ତ୍ତୀ ୨ଟିଯାକ ଗେମ୍‌ରେ ଆଗୁଆରହି ଜିତି ନେଇଥିଲେ। ୪ର୍ଥ ସିଡ୍‌ ତଥା ବିଶ୍ୱ ଅଲିମ୍ପିକ୍‌ସ ଓ ବିଶ୍ୱ ଚମ୍ପିଆନ୍‌ସିପ ରନର୍ସଅପ୍‌ ପି.ଭି. ସିନ୍ଧୁ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସିନ୍ଧୁ ମହିଳା ସିଙ୍ଗଲ୍‌ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଥାଇଲାଣ୍ଡର ପର୍ନପାୱି ଚୋଚୁୱଙ୍ଗ୍‌ଙ୍କୁ ୨୦-୨୨,୨୧-୧୭, ୨୧-୯ ଗେମ୍‌ରେ ପରାସ୍ତ କରିଛନ୍ତି। ୫୬ ମିନିଟ ଧରି ଚାଲିଥିବା ଏହି କଡ଼ା ମୁକାବିଲାର ପ୍ରଥମ ଗେମ୍‌ରେ ସିନ୍ଧୁ ପରାସ୍ତ ହୋଇଥିଲେ ହେଁ ୨ୟ ଗେମ୍‌କୁ କଡ଼ା ସଂଘର୍ଷ ପରେ ଜିତିଥିବା ବେଳେ ୩ୟ ଗେମ୍‌କୁ ସହଜରେ ଜିତିଥିଲେ। ଗୁରୁବାର ୨ ରାଉଣ୍ଡରେ ସିନ୍ଧୁ ଥାଇଲାଣ୍ଡର ନିଚାଓଁ ଜିନ୍ଦାପଲଙ୍କ ମୁକାବିଲା କରିବେ।
ପୁରୁଷ ସିଙ୍ଗଲ୍‌ସରେ ଭାରତର ବି. ସାଇ ପ୍ରଣିତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସାଇ ପ୍ରଣିତଙ୍କୁ ୫ମ ସିଡ୍‌ କୋରିଆର ସୋନ୍‌ ୱାନ୍‌ ହୋ ୩ଟି ଗେମ୍‌ର କଡ଼ା ମୁକାବିଲା ପରେ ୧୩-୨୧, ୨୧-୧୫, ୨୧-୧୧ ଗେମ୍‌ରେ ପରାସ୍ତ କରିଛନ୍ତି। ସାଇ ପ୍ରଣିତ ପ୍ରଥମ ଗେମ୍‌ ଜିତିବା ପରେ ପରବର୍ତ୍ତୀ ୨ଟି ଗେମ୍‌କୁ ୱାନ୍‌ ହୋ ଜିତି ନେଇଥିଲେ। ମିକ୍ସଡ ଡବଲ୍‌ସରେ ଭାରତର ପ୍ରଣବ ଜେରି ଚୋପ୍ରା ଓ ଏନ୍‌. ସିକ୍କି ରେଡ୍‌ଡୀ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ପ୍ରଣବ-ସିକ୍କି ଜର୍ମାନୀର ଯୋଡ଼ି ମାର୍ଭିନ୍‌ ସିଡେଲ ଓ ଲିଣ୍ଡ ଏଫ୍‌ଲରଙ୍କୁ ୨୧-୧୯, ୨୧-୧୩ରେ ପରାସ୍ତ କରିଛନ୍ତି। ତେବେ ମହିଳା ଡବଲ୍‌ସରେ ଭାରତକୁ ଡବଲ୍‌ ଝଟ୍‌କା ଲାଗିଛି। ଭାରତର ଅଶ୍ୱିନ ପୋନ୍ନାପ୍ପା ଓ ଏନ୍‌. ସିକ୍କି ରେଡ୍‌ଡୀଙ୍କୁ ୨ୟ ସିଡ୍‌ ଜାପାନର ମିସାକି ମାତ୍‌ସୁମୋଟୋ ଓ ଆୟାକା ତାକାହାସି ୨୧-୧୪, ୨୧-୧୩ରେ ପରାସ୍ତ କରିଛନ୍ତି। ସେହିପରି ମହିଳା ଡବଲ୍‌ସରେ ଜେ. ମେଘନା ଓ ପୂର୍ବିଶା ରାମ୍‌ଙ୍କୁ ୫ମ ସିଡ୍‌ ଜାପାନୀ ଯୋଡ଼ି ସିହୋ ଟାନାକା ଓ କୋହାରୁ ୟୋନେମୋଟୋ ୨୧-୧୪, ୨୧-୧୧ରେ ପରାସ୍ତ କରିଛନ୍ତି।

Leave A Reply