ନକ୍ସଲ ମୁକାବିଲା କରିବେ ମହିଳା କମାଣ୍ଡୋ

0

କୋରାପୁଟରେ ସରିଲା ପ୍ରଥମ ବ୍ୟାଚ୍‌ ତାଲିମ

କୋରାପୁଟ : ଛତିଶଗଡ଼ର ସୁକୁମା ଜିଲା ଅନ୍ତର୍ଗତ ବସ୍ତର ଅଞ୍ଚଳରେ ମଙ୍ଗଳବାର ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୯ ଯବାନ ସହିଦ ହେବା ଘଟଣାରେ ବ୍ୟଥିତ ଓ ଚିନ୍ତିତ ଥିବା ରାଜ୍ୟ ପୁଲିସର ମନୋବଳ ବଢ଼ାଇଛନ୍ତି ଦୁଇ ଶହରୁ ଊର୍ଦ୍ଧ୍ବ ଯୁବତୀ। ମାଓପ୍ରବଣ ଇଲାକାରେ ଜୀବନକୁ ବାଜି ଲଗାଇ ପ୍ରାଣବଳି ଦେଇଥିବା ଭେଣ୍ଡିଆ ପୁଅଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ମାଆମାନଙ୍କୁ ବୀରପ୍ରସବିନୀର ସାନ୍ତ୍ୱନା ଦେଇ ସେମାନଙ୍କୁ ଅଧିକ ଧୈର୍ଯ୍ୟବାନ ହେବାକୁ ଶକ୍ତି ଜୁଟାଇଛନ୍ତି ଏମାନେ। ପୁଅ ଚାଲିଗଲେ କ’ଣ ହେଲା, ଆମେ ବି ସଶସ୍ତ୍ର ସଂଗ୍ରାମ କରି ଦେଶ ଓ ଜାତିର ଟେକରଖିବା ସହ ଭ୍ରାତୃହତ୍ୟାର ପ୍ରତିଶୋଧ ନେଇପାରିବୁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ଏହି ଝିଅମାନେ। ନକ୍ସଲପ୍ରବଣ କୋରାପୁଟ ସମେତ ପୁରୀ, କଟକ, ଭଦ୍ରକ, ଜଗତସିଂହପୁର ଜିଲାର ଏହି ଉତ୍ସାହୀ ଯୁବତୀମାନେ ରାଜ୍ୟ ଏସ୍‌ଓଜି ବାହିନୀର ପ୍ରଥମ ମହିଳା କମାଣ୍ଡୋ ଭାବେ କୃତିତ୍ୱର ସହ ତାଲିମ ଶେଷ କରିଛନ୍ତି।
ଦିନକ ପରେ ବିଭିନ୍ନ ମାଓପ୍ରବଣ ଜିଲାରେ ମୁତୟନ ହେବେ ଏମାନେ। ଲୋକଙ୍କୁ ଶାନ୍ତିରେ ନିଦ୍ରା ଯିବାର ସୁଯୋଗ ଦେବା ସହ ସମାଜକୁ ସୁରକ୍ଷା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ହାତରେ ଧରିଛନ୍ତି ବନ୍ଧୁକ। ଜଣେ କିି ଦୁଇଜଣ ନୁହେଁ; ପ୍ରାୟ ଅଢ଼େଇଶହ ଝିଅ ଏଭଳି ନିଷ୍ପତ୍ତି ନେଇ ଆଜି ସାଜିଛନ୍ତି ମହିଳା କମାଣ୍ଡୋ। ଘରୁ ପାଦ କାଢ଼ି ଆସିଥିବା ଏହି ଝିଅମାନେ ପଣ କରିଛନ୍ତି ସମାଜରେ ଶାନ୍ତି ପ୍ରତିଷ୍ଠା ସହ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ। ଅପହଞ୍ଚ ଓ ମାଓପ୍ରବଣ ଅଞ୍ଚଳରେ ଶିକ୍ଷା, ସଚେତନତା ସୃଷ୍ଟି କରାଇବା ସହ ସେବା ମନୋଭାବ ରଖି ଲୋକଙ୍କୁ ମାଓବାଦୀମୁହାଁ
ନ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରାଇବା ପାଇଁ ଏମାନେ ଉପଯୁକ୍ତ ତାଲିମ ମଧ୍ୟ ନେଇଛନ୍ତି। ଦୀର୍ଘ ତିନିମାସ ହେଲା ଏଭଳି କଠିନ ତାଲିମ ନେଇ ସେମାନେ ନିଜକୁ ଲେଡି କମାଣ୍ଡୋ ( ମହିଳା କମାଣ୍ଡୋ) ଭାବେ ପ୍ରସ୍ତୁତ କରିସାରିଛନ୍ତି। ଅଳ୍ପ ଦିନ ମଧ୍ୟରେ ସେମାନେ ମାଓପ୍ରବଣ ଅଞ୍ଚଳ ଓ ରାଜ୍ୟର ବିଭିନ୍ନ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ମୁତୟନ ହେବାକୁ ଯାଉଛନ୍ତି।
୨୦୧୭ ଡିସେମ୍ବରରେ କୋରାପୁଟର ଏକ ଅଜଣା ସ୍ଥାନରେ ପହଞ୍ଚିଥିଲେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ମହିଳା ଏସଆଇ ଏସଓଜି ୱିଙ୍ଗର ପ୍ରଥମ ବ୍ୟାଚ୍‌ ଭାବେ ମହିଳା କମାଣ୍ଡୋ ଭାବେ ତାଲିମ ନେବା ପାଇଁ। ୧୩ ସପ୍ତାହର ତାଲିମ ନେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ଏହି ମହିଳା ଏସଆଇମାନଙ୍କୁ ଏକ ସ୍ଥାନରେ ରଖାଯାଇ ତାଲିମ ପ୍ରଦାନ କରାଯାଇଥିଲା। ବିଜୁ ପଟ୍ଟନାୟକ ଷ୍ଟେଟ ପୁଲିସ ଏକାଡେମୀରେ ଏକବର୍ଷ ଧରି ତାଲିମ ନେବା ପରେ ଆଡ୍‌ଭାନ୍ସ ତାଲିମ ନେବା ପାଇଁ ଏମାନେ ଏଠାରେ ପହଞ୍ଚିଥିଲେ। ଆରମ୍ଭ ହୋଇଥିଲା ତାଲିମ। ଏଠାରେ ସେମାନଙ୍କୁ ଜଙ୍ଗଲରେ କିଭଳି ସମ୍ମୁଖ ଲଢ଼େଇ କରାଯିବ, ବନ୍ଧୁକ ଚାଳନା, ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅତ୍ୟାଧୁନିକ କୌଶଳରେ ବନ୍ଧୁକ ଚାଳନା, ମାଓବାଦୀଙ୍କ ବିରୋଧରେ ଲଢ଼ିବାର ସ୍ୱତନ୍ତ୍ର କୌଶଳ ଆଦି ବିଭିନ୍ନ ପ୍ରକାର କଠିନ ତାଲିମ ଦିଆଯାଇଥିଲା। ତାଲିମ ନେବା ସମୟରେ ରାଜ୍ୟ ପୁଲିସ ମହାନିର୍ଦେଶକ ଡଃ ଆର ପି ଶର୍ମା, ଏଡିଜି ଅପରେସନ ଆର ପି କୋଚେ, ଗୁଇନ୍ଦା ନିର୍ଦେଶକ ସୁନୀଲ ରୟ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଡାକ୍ତର କନୱର ବିଶାଲ ସିଂଙ୍କ ସମେତ ବିଏସଏଫ ଓ କୋବ୍ରାର ବରିଷ୍ଠ ପଦାଧିକାରୀମାନେ ପର୍ଯ୍ୟାୟକ୍ରମେ ବିଭିନ୍ନ ସମୟରେ ଆସି ଏହି ଝିଅମାନଙ୍କୁ ପ୍ରତ୍ୟକ୍ଷ ଭାବେ ଦିଆଯାଉଥିବା ତାଲିମ ବ୍ୟବସ୍ଥାର ତଦାରଖ କରିବା ସହ ସେମାନଙ୍କ ସହ ମତ ବିନିମୟ କରି ପ୍ରୋତ୍ସାହନ ଓ ଉତ୍ସାହ ଭରି ଦେଇଥିଲେ। ଏପରିକି ଏହି ଅଧିକାରୀମାନେ କମାଣ୍ଡୋମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ। ପାଖାପାଖି ତିନିମାସର କଠିନ ଅଭ୍ୟାସ ପରେ ଆଜି ସେମାନେ ଏକପ୍ରକାର ପ୍ରସ୍ତୁତ ହୋଇସାରିଛନ୍ତି। ମାଓବାଦୀଙ୍କ ସହ ସମ୍ମୁଖ ଯୁଦ୍ଧ ପାଇଁ ଏମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତଙ୍କ ମନୋବଳ ଦୃଢ଼ ରହିଛି ଓ ସମାଜରେ ଶାନ୍ତି ଓ ସୁରକ୍ଷା ପାଇଁ ସମସ୍ତେ ବଜ୍ର ଶପଥ ନେଇଛନ୍ତି। କିଏ ଘର ଓ ପିତାମାତା, ଭାଇ ଭଉଣୀଙ୍କ ଠାରୁ ବହୁ ଦୂରରେ ରହିଛି ତ କିଏ ସ୍ୱାମୀ ଓ ଶାଶୂ -ଶଶୁରଙ୍କ ସ୍ନେହ ଛାଡ଼ି ଏଠାରେ ତାଲିମ ନେଉଛି କେବଳ ସମାଜକୁ ସୁରକ୍ଷା ଦେବା ପାଇଁ। ଜୀବନକୁ ବାଜି ଲଗାଇ ଆଗକୁ ବଢ଼ି ଆସିଥିବା ଏହି ମହିଳା କମାଣ୍ଡୋ ଏବେ ସମ୍ମୁଖ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
Leave A Reply