୧୫ରେ ନୂଆ ଦଳ ଘୋଷଣା କରିବେ ଦିନାକରନ୍

0

ଚେନ୍ନଇ : ଏଆଇଏଡିଏମକେର ବିଦ୍ରୋହୀ ଗୋଷ୍ଠୀ ନେତା ଟି.ଟି.ଭି.ଦିନାକରନ୍ ଆସନ୍ତା ୧୫ରେ ନୂତନ ଦଳ ଗଠନ ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡିଛି। ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେରେ ନେତୃତ୍ୱ ପ୍ରସଙ୍ଗକୁ କେନ୍ଦ୍ରକରି ଗୋଟିଏ ପଟେ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା, ଦିନାକରନ ଓ ଅନ୍ୟପଟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ.ପନିରସେଲଭାମ ମଧ୍ୟରେ ତୀବ୍ର ବିବାଦର ସୂତ୍ରପାତ ହୋଇଥିଲା। ଶଶିକଳା ବର୍ତ୍ତମାନ ଜେଲରେ ଥିବାବେଳେ ଦିନାକରନ ତାଙ୍କ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଚିହ୍ନ ଓ ନାମ ହାସଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ହାଇକୋର୍ଟ ଚଳିତମାସ ୯ରେ ଦିନାକରନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଗତବର୍ଷ ନଭେମ୍ବରରେ ନିର୍ବାଚନ କମିଶନ ଏଆଇଏଡିଏମ୍‌କେର ମୂଳ ଚିହ୍ନ ‘ଯୋଡି ପତ୍ର’କୁ ପନିରସେଲଭାମ-ପାଲାନିସ୍ୱାମୀ ଗୋଷ୍ଠୀକୁ ପ୍ରଦାନ କରିବାପରେ ଶଶିକଳା-ଦିନାକରନ ଗୋଷ୍ଠୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିବାଦର ସୂତ୍ରପାତ ପରେ ଦିନାକରନ ଗତବର୍ଷ ଡିସେମ୍ବରରେ ସ୍ୱାଧୀନ ପ୍ରାର୍ଥୀଭାବେ ଆର.କେ.ନଗର ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଜୟଲଳିତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲିପଡିଥିଲା। ଏହି ଉପନିର୍ବାଚନରେ ଦିନାକରନ୍ ‘ପ୍ରେସର କୁକର’ ଚିହ୍ନ ବ୍ୟବହାର କରିଥିଲେ। ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ସ୍ୱତନ୍ତ୍ର ଦଳୀୟ ନାମ ଓ ଚିହ୍ନ ଜରୁରୀ ହୋଇପଡିଥିବା ଦର୍ଶାଇ ଦିନାକରନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଇତିମଧ୍ୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର କମଲ ହାସାନ ତାମିଲନାଡୁରେ ‘ମକ୍କଲ ନିଧି ମୈୟମ’ ନାମରେ ଏକ ନୂଆ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିଥିବାବେଳେ ଅନ୍ୟତମ ସୁପରଷ୍ଟାର ରଜୀନିକାନ୍ତ ନୂଆ ଦଳ ଗଠନ କରିନଥିଲେ ସୁଦ୍ଧା ରାଜନୀତିକୁ ଆସିବେ ବୋଲି ଘୋଷଣା କରିସାରିଛନ୍ତି।

Leave A Reply