ତେଜିବ ମହାନଦୀ ଲଢ଼େଇ

0

ଟ୍ରିବ୍ୟୁନାଲ୍‌ କାର୍ଯ୍ୟ ବିଳମ୍ବ ନେଇ କେନ୍ଦ୍ର ଉପରେ ଆରୋପ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ନେଇ ଆଗକୁ ଲଢ଼େଇ ତୀବ୍ରତର ହେବାକୁ ଯାଉଛି। ଏ ପ୍ରସଙ୍ଗକୁ ନେଇ ଦୁଇ ଦିନ କାଳ ବିଧାନସଭା ହୁଲସ୍ତୁଲ ହେବା ପରେ ଶେଷରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ତେବେ ଆସନ୍ତାକାଲି କଲକାତାଠାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ନଦୀ ବିବାଦ ଉପରେ ଆଲୋଚନା ହେବାକୁ ଥିବାବେଳେ ଏଥିରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ସରକାରଙ୍କ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଉ ନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଓଡ଼ିଶା ମହାନଦୀ ପ୍ରସଙ୍ଗକୁ ଉଠାଇବ ବୋଲି ସ୍ଥିର ହୋଇଛି।
ବିଜେଡ଼ି ଅଭିଯୋଗ କରିଛି ଯେ ଉପରମୁଣ୍ଡରେ ଛତିଶଗଡର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣକୁ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛି। ଇତିମଧ୍ୟରେ ଇବ୍‌ ନଦୀର ଜଳ ପ୍ରବାହକୁ ବ୍ୟାହତ କରିବା ପାଇଁ ଏହାର ଉପନଦୀ ମଇନା ନଦୀ ଉପରେ ପୁଣି ପ୍ରକଳ୍ପ ନିର୍ମାଣ ହେଲାଣି। ହୀରାକୁଦକୁ ଜଳପ୍ରବାହ କମିଯାଉଛି। କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌କୁ ଛତିଶଗଡ଼ ସରକାର ବନ୍ଦ କରିଦେଇଥିବାରୁ ତଳ ମୁଣ୍ଡରେ ଦାରୁଣ ସମସ୍ୟା ସୃଷ୍ଟି ହେଲାଣି। ଏ ସମସ୍ତ ବିଷୟରେ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ତୀବ୍ରତର କରିବା ଲାଗି ଚଳିତ ମାସ ୨୨ ତାରିଖରେ ବିଜୁ ଜନତା ଦଳ ମହାନଦୀ ପାଇଁ ମହାସମ୍ମିଳନୀ ତଥା ଏକ ବୃହତ କର୍ମଶାଳାର ଆୟୋଜନ କରୁଛି।
କର୍ମଶାଳାର ବିସ୍ତୃତ ରୂପରେଖ ଏବଂ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡି ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦଳୀୟ ନେତାମାନେ ମହାନଦୀ ଜଳ ସଂକଟ, ଏହାର ଆଇନଗତ, ବୈଷୟିକ ଓ ରାଜନୈତିକ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାନଦୀ ଜଳ ସଂକଟ ଦିନକୁ ଦିନ ଘନେଇବାରେ ଲାଗିଛି। ଅନେକଗୁଡିଏ ବ୍ୟାରେଜ୍‌ ମହାନଦୀର ଉପର ମୁଣ୍ଡରେ ତିଆରି କରିଥିବା ଛତିଶଗଡ଼ ସରକାରଙ୍କ ଶେଷ ବ୍ୟାରେଜ୍‌ ଥିଲା କଲମା। ଏହି ବ୍ୟାରେଜ୍‌ର ମୋଟ ୬୬ଟି ଗେଟ୍‌ରୁ ଦିନକୁ ଗୋଟିଏ ଗେଟ୍‌ ମଧ୍ୟ ଖୋଲାଯାଉ ନାହିଁ। କଲମା ବ୍ୟାରେଜ୍‌ ଉପରମୁଣ୍ଡ ଛତିଶଗଡ଼ରେ ଜଳର ଉତ୍ତାଳ ତରଙ୍ଗ ଦେଖିବାକୁ ମିଳୁଥିବା ବେଳେ ତଳ ମୁଣ୍ଡରେ ମହାନଦୀ ଶୁଷ୍କ ମରୁଭୂମି ପାଲଟିଗଲାଣି। ନଦୀ ପାର୍ଶ୍ବବତ୍ତୀ ମତ୍ସ୍ୟଜୀବୀ ଗାଁ ଛାଡ଼ି ଚାଲିଗଲେଣି। ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଟ୍ରାଇବୁନାଲ କାର୍ଯ୍ୟକୁ ବିଳମ୍ବିତ କରିବା ପାଇଁ ଏ ପର୍ଯ୍ୟନ୍ତ ଟର୍ମସ୍‌ ଅଫ୍‌ ରେଫରେନ୍ସ ଦିଆଯାଇ ନାହିଁ। ଏଥିପାଇଁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଛତିଶଗଡ଼ ପ୍ରତି ଥିବା ଅନ୍ଧ ସମର୍ଥନ ପ୍ରତିପାଦିତ ହେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମହାନଦୀ ଲାଗି ଆମେ ସଂଗ୍ରାମ ଜାରି ରଖିବୁ। ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଆମେ ମହାନଦୀ ସୁରକ୍ଷା ପାଇଁ ଓଡ଼ିଶାର ଲଢ଼େଇକୁ ଏକ ନିର୍ଣ୍ଣାୟକ ଅବସ୍ଥାକୁ ନେବୁ। ଏହା କେବଳ ଗୋଟିଏ ଦଳର ଲଢ଼େଇ ନୁହେଁ, ସମଗ୍ର ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କର ଭବିଷ୍ୟତ ପାଇଁ ଲଢ଼େଇ। ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶଶିଭୂଷଣ ବେହେରା, ଶ୍ରୀମତୀ ଉଷା ଦେବୀ, ବିଧାୟକ ପଦ୍ମନାଭ ବେହେରା, ବିଜେଡି ଆଇନଜୀବୀ ସେଲ୍‌ର ଆବାହକ ମିଲନ୍‌ କାନୁନ୍‌ଗୋ ଓ ମୁଖପାତ୍ର ଆଇନ୍‌ଜୀବୀ ଅସିମ୍‌ ଅମିତାଭ ଦାସ, ଜଳ ସଂପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ ଶ୍ରୀଧର ବେହେରା ପ୍ରମୁଖ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତ ରଖିଥିଲେ। ୨୨ ତାରିଖ ବୃହତ କର୍ମଶାଳା ଦଳୀୟ କାର୍ଯ୍ୟାଳୟରେ ପୂର୍ବାହ୍ଣ ୯.୩୦ରୁ ଆରମ୍ଭ ହୋଇ ସାରାଦିନ ଚାଲିବ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଶାଳାରେ ଯୋଗଦେଇ ମହାନଦୀ ଅବବାହିକା ୧୫ଟି ଜିଲାରୁ ଆସିଥିବା ବିଧାୟକ,ବିଧାୟକ ପ୍ରାର୍ଥୀ, ସାଂସଦ, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ପୌର ପରିଷଦ ଓ ଏନ୍‌ଏସିର ଅଧ୍ୟକ୍ଷ, ଜିଲା ସଭାପତି, ବ୍ଲକ ଓ ନଗର ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ଓ ଛାମୁଆ ସଂଗଠନର ରାଜ୍ୟ ସଭାପତିମାନଙ୍କ ସହିତ ବିଚାରବିମର୍ଶ କରିବେ। ଆଜିର ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ନିଜର ମତାମତ ପ୍ରଦାନ କରିଥିଲେ।

Leave A Reply