ଭୁଲ୍‍ ତ୍ରୁଟି ପ୍ରଜାକୋର୍ଟରେ ନୁହେଁ, ନିୟମଗିରିବାସୀ ବିଚାର କରିବେ : ଡ୍ରିଞ୍ଜ ଜାକାସିକା

0
ମାଓବାଦୀଙ୍କ ଧମକ ପରେ ଡ୍ରିଞ୍ଜଙ୍କ ପ୍ରତିକ୍ରିୟା

ରାୟଗଡା : ମୁଁ ନିୟମରାଜାର ଝିଅ। ବେଦାନ୍ତର ନୁହେଁ। ନିୟମଗିରି ମାଟିରେ ମୋର ଜନ୍ମ। ତେଣୁ ମୁଁ ଡଙ୍ଗରିଆଙ୍କ ଶତ୍ରୁ ହେଇପାରିବି ନାହିଁ। ତେବେ ମୋ କାର୍ଯ୍ୟକଳାପରେ ଯଦି ଭୁଲ୍‍ ତ୍ରୁଟି ଥାଏ ତେବେ ପ୍ରଜାକୋର୍ଟ ନୁହେଁ, ନିୟମଗିରିବାସୀ ଏହାର ବିାଚର କରିବେ ବୋଲି ଭାରତର ଶ୍ରେଷ୍ଠ ମହିଳା ସରପଞ୍ଚ ପୁରସ୍କାର ପାଇଥିବା ଡଙ୍ଗରିଆ ମହିଳା ଡ୍ରିଞ୍ଜ ଜାକାସିକା କହିଛନ୍ତି। ବେଦାନ୍ତର ଦଲାଲ ଓ ଡଙ୍ଗରିଆଙ୍କ ଶତ୍ରୁ ବୋଲି ମାଓବାଦୀ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍‍ ବିବୃତ୍ତି ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେ ରାୟଗଡ଼ାଠାରେ ନିଜ ପ୍ରତିକ୍ରିୟା ରଖି ପୁଣି କହିଛନ୍ତି ଯେ, ମୁଁ ମୋ ବସ୍ତିରେ ରହୁଥିବା ଲୋକଙ୍କ ବିକାଶ ପାଇଁ କାମ କରିଆସୁଛି। ଏଥିପାଇଁ ଲୋକଙ୍କ ସମର୍ଥନ ମଧ୍ୟ ରହିଛି। ତେବେ ମୁଁ କେବେ ବି ବେଦାନ୍ତର ସପକ୍ଷରେ ନ ଥିଲି କି ବର୍ତ୍ତମାନ ମଧ୍ୟ ନାହିଁ। ଦୁଇଟି ପର୍ଯ୍ୟାୟରେ ନିର୍ବାଚନରେ ଜିତିବା ପରେ କିଛି ରାଜନୈତିକ ଆକ୍ରୋଶ ରଖି ଏଭଳି କାମ କରିଥାଇପାରନ୍ତି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ମା ସାଥିରେ ସାଥିହୋଇ ଜିତୁ ଜାକାସିକା ମଧ୍ୟ ଲୋକଙ୍କ ପାଇଁ କାମ କରୁଛନ୍ତି। ଆମ ଦୁଇଙ୍କ ମଧ୍ୟରେ ଫାଟ କରିଦିଆଗଲେ ଡ୍ରିଞ୍ଜର ରାଜନୈତିକ ବ୍ୟକ୍ତିତ୍ୱ ହ୍ରାସ ପାଇବ ଭାବି ଏଭଳି ଚକ୍ରାନ୍ତ କରିଥିବା ଅନୁଭବ ହେଉଛି ବୋଲି ସେ କହିଛନ୍ତି। ବେଦାନ୍ତ ସପକ୍ଷରେ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନୀମାନ ଗଢ଼ିଉଠି ଆଦିମ ଜନଜାତିଙ୍କୁ ଦିଆଯାଉଥିବା ନିର୍ଯାତନା ସମ୍ପର୍କିତ ଏକ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ଇଣ୍ଡୋନଏସିଆ ଯାଇଥିଲି। ଏହାର ଯଥେଷ୍ଟ ପ୍ରମାଣ ରହିଛି। ତେବେ ପ୍ରଜାକୋର୍ଟ କ’ଣ ମୁଁ ଜାଣେନାହିଁ। ସେଭଳି ସ୍ଥାନକୁ ମୁଁ ଯିବିନାହିଁ। ତେବେ ମୋ ପଞ୍ଚାୟତବାସୀ ମତଦେଇ ଆଗକୁ ନେଇଛନ୍ତି। ଏହି ପରିସ୍ଥିତିରେ ନିୟମଗିରିବାସୀ ଯାହା ନିଷ୍ପତ୍ତି  ନେବେ ତାହା ମୁଁ ସ୍ୱୀକାର କରିବି। ଆଉ ପଞ୍ଚାୟତକୁ ଆସି ଯାହା ପଚାରିବେ ତାହାର ଉତ୍ତର ନିଶ୍ଚୟ ଦେବି ବୋଲି ସେ କହିଛନ୍ତି।  ମୁଁ ଡଙ୍ଗରରେ ଜନ୍ମହୋଇ ବଢ଼ିଛି । ମୁଁ ସବୁବେଳେ ଡଙ୍ଗରିଆଙ୍କର। ବେଦାନ୍ତର ନୁହେଁ ବୋଲି ଗଣାମାଧ୍ୟମ ସମ୍ମୁଖରେ ଡ୍ରିଞ୍ଜ ପ୍ରତିକ୍ରିୟା ରଖିଛନ୍ତି। ଅପରପକ୍ଷରେ ଡ୍ରିଞ୍ଜଙ୍କ ସହଯୋଗୀ କୁହାଯାଉଥିବା ଜିତୁ ଜାକାସିକାଙ୍କୁ ମଧ୍ୟ ଏକା ଚେତାବନୀ ଦିଆଯାଇଥିବାବେଳେ ସେ କହିଛନ୍ତି ଯେ, ବହୁ ସମସ୍ୟା ଭିତରେ ଡଙ୍ଗରିଆ ବସ୍ତି ବୁଡ଼ି ରହିଛି। ତାହା ଦୂର କରିବା ପାଇଁ ସରପଞ୍ଚଙ୍କ ସହ ହାତରେ ହାତ ମିଶାଇ କାମ କରୁଛି। ବେଦାନ୍ତ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇ ଜନଆନ୍ଦୋଳନକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗକୁ ସେ ଭତ୍ତିହୀନ ବୋଲି କହିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ଅଭିଯୋଗ ଆମ ନାମେରେ ଆସିଛି। ସରପଞ୍ଚ ଡ୍ରିଞ୍ଜ ଜାକାସିକା ଓ ମୁଁ ଉଭୟେ ବିଦେଶ ଯାଇଥିଲୁ। କିନ୍ତୁ ବେଦାନ୍ତର ସପକ୍ଷରେ କାମ କରିବାକୁ ନାହିଁ। ସେଠାରେ ହୋଇଥିବା ଏକ ମହୋତ୍ସବରେ ଖଣିଜ ସମ୍ପଦ ରହିଥିବା ଇଲାକା ଯେପରି କାଶୀପୁର, ନିୟମଗିରି, ନାଲକେ ଭଳି ସ୍ଥନରେ କିଭଳି ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଛି। ସୋମାନଙ୍କୁ କିଭଳି ଜେଲ୍‍ ଦଣ୍ଡ ଭୋଗିବାକୁ ପଡୁଛି, ଆଦିବାସୀ କିପରି ମାଡ଼ ଖଉଛନ୍ତି ସେ ସମ୍ପର୍କିତ ଏକ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେଇଥିଲୁ। ତେବେ ପ୍ରଜାକୋର୍ଟରୁ ଡାକରା ଆସିନାହିଁ। ଜନସେବା କରୁଛୁ। ଶିକ୍ଷା ଓ ଅନ୍ଧବିଶ୍ୱାସ ଦୂର କରିବାକୁ ଉଦ୍ୟମ ଚାଲିଛି। କଥାଟା ବର୍ତ୍ତମାନ ପଞ୍ଚାୟତବାସୀଙ୍କ ନଜରକୁ ନିଆଯିବ। ଏକଥା ଲୋକେ ବିଚାର କରିବେ ବୋଲି ଜିତୁ ଜାକାସିକା କହିଛନ୍ତି।

Leave A Reply