୭୩ ବର୍ଷରେ ପଞ୍ଚମ ଶ୍ରେଣୀର ଛାତ୍ର

0

ଆଇଜଲ : ବୟସ ୭୩ । କିନ୍ତୁ ଶ୍ରେଣୀ ପଞ୍ଚମ । ବିଶ୍ବାସ ନ ହେଲେ ମଧ୍ୟ ସତ। ଆଉ ଏହି ବୟସ୍କ ଛାତ୍ର ଜଣଙ୍କ ହେଉଛନ୍ତି ଲାଲରିଙ୍ଗ ଥାରା। କଥାରେ ଅଛି ପାଠ ପଢିବାର କୌଣସି ବୟସ ନ ଥାଏ। କେବଳ ଇଚ୍ଛା ଆଉ ଆଗ୍ରହ ଥିବା ଦରକାର। ତେବେ ୭୫ ବର୍ଷ ବୟସରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଏହି ବୟସ୍କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଲାଲରିଙ୍ଗ ଥାରା। ବହି ବସ୍ତାନୀ ନେଇ ନା କେବଳ ସେ ସ୍କୁଲ ଯାଉଛନ୍ତି ବରଂ ପିଲାମାନଙ୍କ ସହିତ ଲାଇନରେ ଠିଆ ହୋଇ ବ୍ୟାୟାମ କରୁଛନ୍ତି। ନିଜଠାରୁ ୬୦ ବର୍ଷରୁ କମ୍‍ ବୟସର ପିଲାଙ୍କ ସହିତ ବସି ପାଠ ବଢିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ମିଜୋରମର ଚମ୍ଫାଇ ଜିଲ୍ଲାର ନ୍ୟୁ ରୁଆଇଫାନ ଗାଁର ଏହି ବୟସ୍କ ଛାତ୍ର ଜଣଙ୍କ ନିୟମିତ ସ୍କୁଲ ଯାଉଛନ୍ତି। ସେ ମଧ୍ୟ ଭଲ ପାଠ ପଢୁଛନ୍ତି। ପରିଣତ ବୟସରେ ସେ ନିଜର ପାଠ ପଢିବାର ସ୍ୱପ୍ନକୁ ସାକାର କରିବାରରେ ଲାଗିପଡିଛନ୍ତି।
ଲାଲରିଙ୍ଗ ଥାରା ୧୯୪୫ ମସିହାରେ ଭାରତ-ମିଆଁମାର ସୀମାନ୍ତ ଖୁଆଙ୍ଗାଲେଙ୍ଗ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ଦୁଇ ବର୍ଷ ହୋଇଥିବା ବେଳେ ସେ ନିଜର ପିତାଙ୍କୁ ହରାଇଥିଲେ। ସେ ନିଜ ପିତାମାତାଙ୍କର ଏକମାତ୍ର ସନ୍ତାନ। ତେଣୁ ବୟସ ବଢିବା ସହିତ ନିଜ ମାଆ ଓ ପରିବାର ବୋଝ ତାଙ୍କ ଉପରେ ପଡିଲା। ମାଆଙ୍କ ଦେଖାଶୁଣା କରିବା ଓ ପରିବାର ଚଳାଇବା ମଧ୍ୟରେ ସେ ପାଠ ପଢା ଛାଡିଦେଲେ। ପିଲାଦିନରୁ ସେ ଘର ଚଳାଇବାର ଦାୟିତ୍ୱ ନେଲେ। ତେଣୁ ପାଠ ପଢିବାର ବୟସ ଅତିକ୍ରମ କରିଗଲେ ଏବଂ ପଢିବାର ଇଚ୍ଛା ମନ ଭିତରେ ହିଁ ରହିଗଲା। ପରେ ସେ ଚାକିର ଖୋଜି ଖୋଜି ନିଜ ଗାଁ ଛାଡି ନ୍ୟୁ ରୁଆଇଫାନ ଗାଁକୁ ଚାଲିଗଲେ। ସେଠାରେ ଏକ ଚର୍ଚ୍ଚରେ ଜଗୁଆଳି ଭାବେ କାମ ମିଳିଗଲା। ହେଲେ ଚର୍ଚ୍ଚ ପାଖରେ ଗୋଟିଏ ସ୍କୁଲ ଥିଲା। ପିଲାମାନେ ସ୍କୁଲକୁ ପାଠ ପଢିବା ପାଇଁ ଆସୁଥିଲେ। ତାକୁ ଦେଖି ଲାଲରିଙ୍ଗଙ୍କର ପାଠ ପଢିବାକୁ ଇଚ୍ଛା ହେଲା। ସେ ଯାଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସବୁ କହିଲେ ଏବଂ ପାଠ ପଢିବା ପାଇଁ ନିଜ ନାମ ଲେଖାଇଲେ। ଏବେ ସେ ପଞ୍ଚମ ଶ୍ରେଣୀର ପିଲାଙ୍କ ସହିତ ବସି ପାଠ ପଢୁଛନ୍ତି। ସେ ଭଲ ପାଠ ପଢୁଥିବା ଜଣାପଡିଛି। ଇଂରାଜୀ ତାଙ୍କର ପ୍ରିୟ ବିଷୟ। ଇଂରାଜୀରେ କଥା ହେବା ଓ ଭଲ ଭାବେ ଲେଖିବା ପାଇଁ ସେ ଆଶା ରଖିଛନ୍ତି।

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି।

Leave A Reply