ଦିଲ୍ଲୀକୁ ସହଜରେ ହରାଇଲା ପଞ୍ଜାବ

0

ମୋହାଲି : ଆଇପିଏଲ୍‍-୧୧ର ପ୍ରଥମ ମ୍ୟାଚ୍‍ ରୋମାଞ୍ଚକର ହୋଇଥିବା ବେଳେ ୨ୟ ମ୍ୟାଚ୍‍ରେ ସହଜ ବିଜୟ ହାସଲ କରିଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। କେ.ଏଲ୍‍. ରାହୁଲଙ୍କ ରେକର୍ଡ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ ୬ ୱିକେଟରେ ଦିଲ୍ଲୀ ଡେୟାରଡେଭିଲ୍‍୍‍ସକୁ ପରାସ୍ତ କରିଛି। ଘରୋଇ ସହରର ଦଳ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ଫେରି ଏହାର ନେତୃତ୍ୱ ନେଇଥିବା ଗୌତମ ଗମ୍ଭୀର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୭ ୱିକେଟରେ ୧୬୬ ରନ୍‍ କରିଥିଲା। ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‍୍‍ସମ୍ୟାନ୍‍ କେ.ଏଲ୍‍. ରାହୁଲ ଓ କରୁଣ ନାୟାର ଅର୍ଦ୍ଧଶତକ ମାରିବାରୁ ୧୭.୨ ଓଭରରେ ୪ ୱିକେଟ ହରାଇ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଜିତିଥିଲା।
ଟସ୍‍ ଜିତି କିଙ୍ଗ୍‍ସ ଏକାଦଶ ପଞ୍ଜାବ ଫିଲ୍‍ଡିଂ ନେବା ପରେ ଦିଲ୍ଲୀର କଲିନ୍‍ ମନ୍‍ରୋ ୪ ରନ୍‍କରି ଆଉଟ ହୋଇ ଯାଇଥିଲେ। ତେବେ ଅନ୍ୟପଟେ ଗୌତମ ଗମ୍ଭୀର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ଶେୟାସ ଆୟର ୧୧ ଓ ବିଜୟ ଶଙ୍କର ୧୩ ରନ୍‍କରି ବିଦାୟ ନେଇଥିଲେ। ତେବେ ଦିଲ୍ଲୀର ବାମହାତି ଋଷଭ ପନ୍ତ କ୍ରିଜ୍‍କୁ ଆସିବା ମାତ୍ରେ କିଛି ଆକ୍ରମଣାତ୍ମକ ସଟ୍‍ ଖେଳିଥିଲେ। ଗମ୍ଭୀର ଓ ପନ୍ତ୍‍ ୪ର୍ଥ ୱିକେଟ ପାଇଁ ୧୯ ବଲ୍‍ରୁ ୩୪ ରନ୍‍ ଯୋଡ଼ିଥିଲେ। ପନ୍ତ୍‍ ୧୩ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍‍ କରିଥିଲେ। ୩୬ତମ ଆଇପିଏଲ୍‍ ଅର୍ଦ୍ଧଶତକ ହାସଲ କରିଥିବା ଗମ୍ଭୀର ୪୨ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୫ ରନ୍‍ କରିଥିଲେ। ରାହୁଲ ତିୱାତିଆ ୯ ରନ୍‍ କରିଥିଲେ। ଶେଷ ୨୭ ବଲ୍‍ରୁ କ୍ରିସ୍‍ ମରିସ୍‍ ଓ ଡାନିଏଲ୍‍୍‍ କ୍ରିଷ୍ଟିଆନ୍‍ ୪୧ ରନ୍‍ ଯୋଡ଼ିଥିଲେ। କ୍ରିଷ୍ଟିଆନ୍‍ ୧୩ ରନ୍‍ କରିଥିବା ବେଳେ ମରିସ୍‍ ୧୬ ବଲ୍‍ରୁ ୨୭ ରନ୍‍କରି ଅପରାଜିତ ଥିଲେ। ମୋହିତ ଶର୍ମା ଓ ଆଫ୍‍ଗାନିସ୍ତାନର ମୁଜିବ୍‍ ଉର୍‍ ରେହ୍‍ମାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସମ୍ମୁଖରେ ୧୬୭ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ରାଜା ପରି ଇନିଂସ ଆରମ୍ଭ କରିଥିଲା। ପ୍ରଥମ ୩ ଓଭରରେ ସ୍କୋର୍‍ ୫୮ ରନ୍‍ ହୋଇଥିଲା ଏବଂ ସେଥିରୁ କେ.ଏଲ୍‍. ରାହୁଲ ଏକା ୫୧ ରନ୍‍ କରିଥିଲେ। ମୟଙ୍କ ଅଗ୍ରୱାଲ ୭ ରନ୍‍କରି ବିଦାୟ ନେଇଥିବା ବେଳେ ରାହୁଲ ୧୬ ବଲ୍‍ରୁ ୪ଟି ଛକା ଓ ୬ଟି ଚୌକା ସହ ୫୧ ରନ୍‍ କରିଥିଲେ। ୧୦ମ ଓଭରରେ ୯୭ ରନ୍‍ ସ୍କୋର୍‍ରେ ଯୁବରାଜ ସିଂହ ୧୨ ରନ୍‍କରି ଆଉଟ ହେବା ବେଳକୁ ମ୍ୟାଚ୍‍ ପଞ୍ଜାବ କବ୍‍ଜାରେ ଥିଲା। ପରେ ନାୟାର ଓ ଡେଭିଡ୍‍ ମିଲର ୪୧ ରନ୍‍ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ନାୟାର ୩୩ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୦ ରନ୍‍ କରିଥିଳେ। ମିଲର ୧୯ ବଲ୍‍ରୁ ୧୯ ଓ ମାର୍କସ ଷ୍ଟୋଇନିସ୍‍ ୧୩ ରନ୍‍କରି ଅପରାଜିତ ଥିଲେ। ରାହୁଲ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

ରାହୁଲଙ୍କ ଦ୍ରୁତତମ ଆଇପିଏଲ୍‍ ଅର୍ଦ୍ଧଶତକ
ମୋହାଲି : ଆଇପିଏଲ୍‍ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ହାସଲ କରିଛନ୍ତି କିଙ୍ଗ୍‍ସ ଏକାଦଶ ପଞ୍ଜାବର ଓପ୍‍ନର କେ.ଏଲ୍‍. ରାହୁଲ। ମାତ୍ର ୧୪ ବଲ୍‍ରେ ରାହୁଲ ଅର୍ଦ୍ଧଶତକ ପୂରଣକରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ କଲକାତା ନାଇଟ ରାଇଡର୍ସର ୟୁସୁଫ୍‍ ପଠାନ୍‍ ଓ ସୁନୀଲ ନାରାୟଣଙ୍କ ନାମରେ ଥିଲା। ଦୁହେଁ ୧୫ଟି ଲେଖାଏଁ ବଲ୍‍ରେ ଅର୍ଦ୍ଧଶତକ ମାରିଥିଲେ। ସୁରେଶ ରୈନା ୧୬ଟି ବଲ୍‍ରେ ଆଇପିଏଲ୍‍ ଅର୍ଦ୍ଧଶତକ ମାରିଥିଲେ। ରବିବାର ଦିଲ୍ଲୀ ଡେୟାରଡେଭିଲ୍‍ସ ବିରୁଦ୍ଧ ମ୍ୟାଚ୍‍ରେ ରାହୁଲ ମାତ୍ର ୧୪ ବଲ୍‍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪ଟି ଛକା ଓ ୬ଟି ଚୌକା ମାରିଥିଲେ। ମାତ୍ର ୨.୫ ଓଭରରେ ରାହୁଲ ଅର୍ଦ୍ଧଶତକ ପୂରଣ କରିଥିଲେ।

Leave A Reply