ମହିଳା ଟିଟି ଦଳକୁ ଐତିହାସିକ ସ୍ୱର୍ଣ୍ଣ

0

ଗୋଲ୍‍ଡ କୋଷ୍ଟ : ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମହିଳା ଟେବୁଲ ଟେନିସ୍‍ର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଭାରତ ମାନିକା ବାତ୍ରାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସିଙ୍ଗାପୁରକୁ ଭାରତୀୟ ଦଳ ୩-୧ ମ୍ୟାଚ୍‍ରେ ପରାସ୍ତକରି ଭାରତକୁ ଏହି ସ୍ୱର୍ଣ୍ଣିମ ସଫଳତା ଦେଇଛି। ଭାରତର ଏହା ୭ମ ସ୍ୱର୍ଣ୍ଣପଦକ। ରବିବାର ସକାଳେ ମହିଳା ଦଳଗତ ସେମିଫାଇନାଲରେ ଭାରତ ୩-୦ ମ୍ୟାଚ୍‍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।
ଫାଇନାଲରେ ଭାରତ ପଥରେ କଣ୍ଟା ଥିଲେ ମହିଳା ସିଙ୍ଗଲ୍‍ସରେ ବିଶ୍ୱର ୪ନଂ ଖେଳାଳି ସିଙ୍ଗାପୁରର ତିଆନ୍‍ୱେଇ ଫେଙ୍ଗ୍‍। ପ୍ରଥମ ସିଙ୍ଗଲ୍‍ସ ମ୍ୟାଚ୍‍ରେ ଭାରତର ମାନିକା ବାତ୍ରା କଡ଼ା ମୁକାବିଲା ପରେ ୧୧-୮, ୮-୧୧, ୭-୧୧, ୧୧-୯, ୧୧-୭ରେ ପରାସ୍ତକରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ଏହି ବିଜୟ ଯୋଗୁଁ ଭାରତୀୟ ଦଳର ସ୍ୱର୍ଣ୍ଣପଦକ ଜିତିପାରିବ ବୋଲି ବିଶ୍ୱାସ ସୃଷ୍ଟି ହୋଇଥିଲା। ତେବେ ୨ୟ ସିଙ୍ଗଲ୍‍ସ ମାଚ୍‍ରେ ଭାରତର ମାଧୁରିକା ପାଟ୍‍କରଙ୍କୁ ସିଙ୍ଗାପୁରର ମେନ୍‍ଗ୍ୟୁ ୟୁ ୧୩-୧୧, ୧୧-୨, ୧୧-୬ ଗେମ୍‍ରେ ପରାସ୍ତକରି ସ୍କୋର୍‍କୁ ୧-୧ କରିଥିଲେ। ପରେ ଭାରତୀୟ ଡବଲ୍‍ସ ଯୋଡ଼ି ଦଳକୁ ଆଗୁଆ କରିଥିଲେ। ମୌମା ଦାସ ଓ ମାଧୁରିକା ପାଟ୍‍କର ସିଙ୍ଗାପୁରର ୟିହାନ୍‍ ଝୌ ଓ ମେନ୍‍ଗ୍ୟୁ ୟୁଙ୍କୁ ୧୧-୭, ୧୧-୬, ୮-୧୧, ୧୧-୭ରେ ପରାସ୍ତକରି ସ୍କୋର୍‍କୁ ୨-୧ କରିଥିଲେ। ପରେ ସିଙ୍ଗଲ୍‍ସ ମ୍ୟାଚ୍‍ରେ ମାନିକା ବାତ୍ରା ପୁଣି ଚମତ୍କାର ପ୍ରଦର୍ଶନ କରିଥିଲେ। ସିଙ୍ଗାପୁରର ୟିହାନ୍‍ ଝୌଙ୍କୁ ମାନିକା ୧୧-୭, ୧୧-୪, ୧୧-୭ରେ ପରାସ୍ତ କରିଥିଲେ।

ପୂର୍ବରୁ ଆଜି ଭାରତ ୨ଟି ସ୍ବର୍ଣ୍ଣ ପଦକ ଜିତି ଥିଲା। ମହିଳା ଭାରୋତ୍ତୋଳନ ୬୯ କେଜି ବର୍ଗରେ ପୁନମ ଯାଦବ ଏବଂ ୧୦ ମି ମହିଳା ବନ୍ଧୁକ ଚାଳନାରେ ମାନୁ ଭାକର  ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି।

Leave A Reply