ଆଇପିଏଲ୍‍ରୁ ବାଦ୍‍ପଡ଼ିଲେ ଷ୍ଟାର୍କ

0

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣରେ ଖେଳିବାରୁ ବାଦ୍‍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‍ ଷ୍ଟାର୍କ। କଲକାତା ନାଇଟ୍‍ ରାଇଡର୍ସ ଦଳ ତରଫରୁ ଖେଳିବାକୁ ଚୁକ୍ତି କରିଥିବା ଷ୍ଟାର୍କଙ୍କ ଡାହାଣ ଗୋଡର ହାଡରେ ସମସ୍ୟା ଦେଖା ଦେଇଥିବାରୁ ସେ ଆଇପିଏଲ୍‍ରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି।
ଏହି ସମସ୍ୟା ଯୋଗୁଁ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟରୁ ମଧ୍ୟ ବାଦ୍‍ ପଡ଼ିଛନ୍ତି। ଗତବର୍ଷ ଡାହାଣ ପାଦର ହାଡ଼ରେ ସମସ୍ୟା ଦେଖା ଦେଇଥିବାରୁ ଷ୍ଟାର୍କ ଭାରତ ବିରୋଧରେ ଅଷ୍ଟ୍ରେଲିଆ ଖେଳିଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ଶେଷ ଦୁଇଟି ମ୍ୟାଚ୍‍ ଖେଳିନଥିଲେ। କ୍ରିକେଟ୍‍ ଅଷ୍ଟ୍ରେଲିଆର ଟ୍ୱିଟର୍‍ ଆକାଉଣ୍ଟରେ ଦର୍ଶାଯାଇଛି ଷ୍ଟାର୍କଙ୍କ ଡାହାଣ ଗୋଡ଼ ହାଡ଼ର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଚତୁର୍ଥ ଟେଷ୍ଟରୁ ବାଦ୍‍ ପଡ଼ିଛନ୍ତି। ସେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଆସି ଚିକିତ୍ସିତ ହେବେ। ଏହାକୁ ଦୃଷ୍ଟିରେ ରଖି ଷ୍ଟାର୍କ ଚଳିତ ଆଇପିଏଲ୍‍ରେ ଖେଳିବେ ନାହିଁ। ସୂଚନାଯୋଗ୍ୟ; ଜାନୁଆରୀରେ ଷ୍ଟାର୍କଙ୍କୁ କଲକାତା ନାଇଟ୍‍ ରାଇଡର୍ସ ଦଳ ୯.୪ କୋଟି ଟଙ୍କାରେ କିଣିଥିଲା। ଆଇପିଏଲ୍‍ରେ ଷ୍ଟାର୍କ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍‍ ଖେଳି ୩୪ଟି ୱିକେଟ୍‍ ହାସଲ କରିଛନ୍ତି। ପ୍ରତି ଓଭର ପିଛା ସେ ୭.୧୭ ରନ୍‍ ପ୍ରଦାନ କରିଛନ୍ତି। ଆଇପିଏଲ୍‍ର ଚଳିତ ସିଜିନ୍‍ରେ କଲକାତା ଦଳ ନିଜର ପ୍ରଥମ ମ୍ୟାଚ୍‍ ଏପ୍ରିଲ୍‍ ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଖେଳିବ।

Leave A Reply