ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ଭାରତ

0

 ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି-୨୦

କଲମ୍ବୋ : ଶ୍ରୀଲଙ୍କାକୁ କ୍ରମାଗତ ୭ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ ହରାଇବା ପରେ ଏହି ଦଳଠାରୁ ପରାସ୍ତ ହୋଇଛି ଭାରତ। ତେବେ ଭାରତ ତା’ର ପ୍ରମୁଖ ଖେଳାଳିଙ୍କ ବିନା ମଙ୍ଗଳବାର ନିଦାହାସ୍‌ ଟ୍ରଫିର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିଲା। କୁଶଳ ପରେରାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଗୁରୁବାର ଟୁର୍ଣ୍ଣାମେଣ୍ଟର ୩ୟ ଦଳ ବାଂଲାଦେଶ ବିପକ୍ଷରେ ୨ୟ ମ୍ୟାଚ୍‌ ଖେଳିବ ଭାରତ । ଏହା ସତ ଯେ ଶ୍ରୀଲଙ୍କାଠାରୁ ବାଂଲାଦେଶର ସାମର୍ଥ୍ୟ କମ୍‌ ଏବଂ ଭାରତ ଏହି ମ୍ୟାଚ୍‌ରେ ଫେଭରିଟ୍‌। ଏହାସହ ସ୍ୱୀକାର କରିବାକୁ ପଡ଼ିବ ଯେ ଅନଭିଜ୍ଞ ଭାରତୀୟ ବୋଲିଂ ଆକ୍ରମଣର ଫାଇଦା ଉଠାଇବାର ସାମର୍ଥ୍ୟ ବାଂଲାଦେଶ ଦଳର ନିଶ୍ଚୟ ରହିଛି। ତେବେ ପ୍ରଥମ ମ୍ୟାଚ୍‌ ହାରିଥିବା ଭାରତ ପଏଣ୍ଟ ଖାତାରେ ୨ ପଏଣ୍ଟ ଚଢ଼ାଇବାକୁ ସମସ୍ତ ପ୍ରୟାସ କରିବ।
୪/୫ ଜଣ ନିୟମିତ ଖେଳାଳି ନ ଥିଲେ ହେଁ ଶ୍ରୀଲଙ୍କାରେ ଥିବା ଭାରତୀୟ ଖେଳାଳିଙ୍କର ଟ୍ୱେଣ୍ଟି୨୦ ଖେଳିବାରେ ବେଶ୍‌ ଅଭିଜ୍ଞତା ରହିଛି। ତଥାପି ଦଳ ବ୍ୟାଟିଂରେ ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ବେଶ୍‌ ନିର୍ଭରଶୀଳ। ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ରୋହିତ ବିଫଳ ହୋଇଥିଲେ ହେଁ ଧାୱନଙ୍କ ବିସ୍ଫୋରକ ୯୦ ରନ୍‌ ଯୋଗୁଁ ହିଁ ସମ୍ମାନଜନକ ସ୍କୋର୍‌ କରି ପାରିଥିଲା ଭାରତ। ଆଉ ଜଣେ ବ୍ୟାଟ୍‌ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ବୋଧହୁଏ ଭାରତ ୨ ଶହ ରନ୍‌ ଅତିକ୍ରମ କରି ପାରିଥାଆନ୍ତା। ଏହି ବ୍ୟାଟିଂ ପିଚ୍‌ରେ ମନୀଷ ପାଣ୍ଡେ ଓ ଋଷଭ ପନ୍ଥ ଦ୍ରୁତ ରନ୍‌ ସ୍କୋର୍‌ କରିବାରେ ବିଫଳ ହୋଇଥିଲେ। ଫଳରେ ଧାୱନ ୧୮ ଓଭର ଖେଳି ୯୦ ରନ୍‌ କରିଥିବା ବେଳେ ଅନ୍ୟପଟୁ ମାତ୍ର ୭୪ ରନ୍‌ ହୋଇଥିଲା। ତେଣୁ ବଡ଼ ସ୍କୋର୍‌ ପାଇଁ ରୋହିତ ଓ ଧାୱନଙ୍କ ସହ ସୁରେଶ ରୈନାଙ୍କୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। ଯୁବ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଶ୍ରୀଲଙ୍କା ବିରୋଧରେ ସଫଳତମ ବୋଲର ହେବା ଭାରତକୁ ଉତ୍ସାହିତ କରିଛି। ତେବେ ୩ୟ ପେସ୍‌ ବୋଲରଙ୍କ ସ୍ଥାନ ପୂରଣ ପାଇଁ ବିଜୟ ଶଙ୍କରଙ୍କ ସ୍ଥାନରେ ଭାରତ ମହମ୍ମଦ ସିରାଜ୍‌ଙ୍କୁ ସୁଯୋଗ ଦେଇପାରେ। ପୁଣି କାର୍ତ୍ତିକ କିମ୍ବା ପନ୍ଥଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ସୁଯୋଗ ମିଳିପାରେ। ମୋଟଉପରେ ଭାରତକୁ ବୋଲିଂରେ ଉନ୍ନତି କରିବାକୁ ପଡ଼ିବ।
ନିକଟରେ ଶ୍ରୀଲଙ୍କାଠାରୁ ଟି-୨୦ ସିରିଜ୍‌ ହାରିଥିବା ବାଂଲାଦେଶ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ତେବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ସାକିବ୍‌ ଅଲ୍‌ ହାସନ୍‌ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ପଡ଼ିବା ବାଂଲାଦେଶ ପାଇଁ ଶକ୍ତ ଧକ୍କା ପରି ହୋଇଛି। ବାଂଲାଦେଶ ବ୍ୟାଟିଂ ଅପେକ୍ଷା ବୋଲିଂରେ ଅଧିକ ଶକ୍ତିଶାଳୀ ରହିଛି। ମୁସ୍ତାଫିଜୁର ରେହ୍‌ମାନ, ରୁବେଲ ହୋସେନ୍‌ ଓ ମେହ୍‌ଦି ହାସନ୍‌ ଭଲ ବୋଲର। ବ୍ୟାଟିଂରେ ବାଂଲାଦେଶ ଓପ୍‌ନର ସୌମ୍ୟ ସରକାରଙ୍କ ସହ ପୂର୍ବତନ ଅଧିନାୟକ ମୁସ୍‌ଫିକୁର ରେହ୍‌ମାନ, ଅଧିନାୟକ ମହମ୍ମଦୁଲ୍ଲା, ତମିମ୍‌ ଇକ୍‌ବାଲ ଓ ସାବିର ରେହ୍‌ମାନଙ୍କ ଉପରେ ନିର୍ଭରଶୀଳ। ଭାରତୀୟ ଓପ୍‌ନିଂ ଯୋଡ଼ି ପରି ବାଂଲାଦେଶର ତମିମ୍‌-ସୌମ୍ୟ ଯୋଡ଼ି ବଡ଼ ସ୍କୋର୍‌ କରିବାକୁ ସମର୍ଥ। ଭାରତ ପରି ମଧ୍ୟ ମଧ୍ୟକ୍ରମରେ ବାଂଲାଦେଶ ସାମାନ୍ୟ ଦୁର୍ବଳ। ଏହାର
ଫାଇଦା ନେବାକୁ ଭାରତ ପ୍ରୟାସ କରିବ। ଏହାସହ ମୁସ୍ତାଫିଜୁରଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ କର୍ଟନୀ ୱାଲ୍‌ସ ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶର ପ୍ରଶିକ୍ଷକ ହେବାକୁ ଯାଉଥିବା ବେଳେ ତାଙ୍କ ଦିଗ୍‌ଦର୍ଶନ ଦଳକୁ ଫାଇଦା ଦେବ। ମୋଟଉପରେ ଏହି ମ୍ୟାଚ୍‌ରେ ଭାରତ ହିଁ ଫେଭରିଟ୍‌। ତେବେ ରୋହିତଙ୍କ ଦଳକୁ ଚକିତ କରିବାର ସାମର୍ଥ୍ୟ ବାଂଲାଦେଶ ଦଳର ରହିଛି।

Leave A Reply