ଅକ୍ଟୋବର ଶେଷ ସୁଦ୍ଧା ୭୯୩୩ ନୂତନ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ

ସମ୍ବଲପୁର : ଗତ ସେପ୍ଟେମ୍ବର ୧ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ମୋଟର ଯାନ ନିୟମ (ସଂଶୋଧିତ) ୨୦୧୯ ଲାଗୁ କରାଯିବା ଏବଂ ରାଜ୍ୟରେ ଏହାକୁ କଡାକଡି ଲାଗୁ କରିବା ପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି । ତେବେ ସେପ୍ଟେମ୍ବର ୭ ତାରିଖରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜମହଲ ଛକ ଠାରେ ପ୍ରଶାସନ ଓ ଜନତା ମଧ୍ୟରେ ଟ୍ରାଫିକ ଫାଇନକୁ ନେଇ ହୋଇଥିବା ଖଣ୍ଡଯୁଦ୍ଧ ପରେ ଅଚାନକ ମୁଖ୍ୟମନ୍ତ୍ରୀ ୯ ତାରିଖରେ ଏହି ନିୟମକୁ ରାଜ୍ୟରେ ଲାଗୁ କରିବା ପାଇଁ ତିନି ମାସର କୋହଳ ସମୟର ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟର ସମସ୍ତ ଯାନବାହାନ ମାଲିକ ସେମାନଙ୍କର କାଗଜପତ୍ରକୁ ଠିକ କରିନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଣୁ ଏବେ ରାଜ୍ୟବ୍ୟାପୀ ପରିବହନ କାର୍ଯ୍ୟାଳୟ ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଏହି କ୍ରମରେ ସମ୍ବଲପୁର ପରିବହନ କାର୍ଯ୍ୟାଳୟରେ ଏବେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଲଳିତ ବେହେରାଙ୍କ କହିବାନୁଯାୟୀ, ଏବେ ସବୁଠାରୁ ବେଶି ଭିଡ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ହେଉଛି। ଏଣୁ ଏବେ ନୂତନ ଲାଇସେନ୍ସ ପାଇଁ ପ୍ରତିଦିନ ସ୍ଲଟ ସଂଖ୍ୟା ୬୦୦କୁ ବୃଦ୍ଧି ପାଇଛି । ଆବଶ୍ୟକୀୟ କର୍ମଚାରୀ ଅଭାବ ସତ୍ୱେ ଗତ ସେପ୍ଟେମ୍ବର ମାସରେ ୧୬୪୭ ଜଣଙ୍କୁ ଓ ଚଳିତ ମାସ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ୬୨୮୬ ଜଣଙ୍କୁ ନୂତନ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇ ସାରିଛି । କାର୍ଯ୍ୟାଳୟ ପରିସରରେ ବ୍ୟାପକ ଭିଡକୁ ଦେଖି ପୁଲିସ ମୃତୟନ କରାଯାଇଛି। ଏବେ ସମ୍ବଲପୁର ପରିବହନ କାର୍ଯ୍ୟାଳୟରେ ସୋମବାର, ବୁଧବାର, ଗୁରୁବାର ଓ ଶନିବାର ଦିନକୁ ମିଶାଇ ସମୁଦାୟ ୪ ଦିନ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଫଟୋ ଉଠାଇବା, ଦସ୍ତଖତ କରିବା, ଫିସ ଜମା, ପରୀକ୍ଷା ଦେବା ଆଦି କାର୍ଯ୍ୟ କରାଯାଉଛି। ସେହିଭଳି ମଙ୍ଗଳବାର ଓ ଶୁକ୍ରବାର ଦିନକୁ ମିଶାଇ ସମୁଦାୟ ୨ ଦିନ ଡ୍ରାଇଭିଂ ଲାଇସେନ୍ସ ଦିଆଯାଉଛି। ଏହା ସହିତ ପ୍ରବଳ ଭିଡକୁ ଲକ୍ଷ୍ୟ କରି ଜିଲାର ରେଢ଼ାଖୋଲ ଓ କୁଚିଣ୍ଡା ଠାରେ କ୍ୟାମ୍ପ ମାନ ଆୟୋଜିତ ହୋଇଯାଇଛି। ରେଢ଼ାଖୋଲ ଠାରେ ଗତ ୧ ରୁ ୪ ତାରିଖ ଓ କୁଚିଣ୍ଡାରେ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପ କରାଯାଇଥିଲା। ସେହିଭଳି ୯୫୮ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରାଯାଇଥିବା ବେଳେ ୯୮୦ଟି ଗାଡି ମାନଙ୍କର ପଞ୍ଜିକରଣ ମଧ୍ୟ ନବୀକରଣ କରାଯାଇଛି। ଏହା ସହିତ ଗତ ସେପ୍ଟେମ୍ବର ମାସରେ ୩୪୯୭ଟି ପେଟ୍ରୋଲ ଓ ୩୯୩୫ ଟି ଡିଜେଲ ଗାଡି ଗୁଡିକଙ୍କ ସମେତ ସମୁଦାୟ ୭୪୩୨ଟି ଗାଡି ମାନଙ୍କୁ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଯାଇ ସାରିଛି। ସେହିଭଳି ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ୧୪୧୫୫ ଟି ପେଟ୍ରୋଲ ଓ ୨୧୧୨ଟି ଡିଜେଲ ଗାଡି  ସମେତ ସମୁଦାୟ ୧୬୨୬୭ ଟି ଯାନବାହାନକୁ  ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଯାଇସାରିଛି ବୋଲି ଅଧିକାରୀ ଲଳିତ କହିଛନ୍ତି।

ଏବେ ମଧ୍ୟ ପରଦା ପଛରେ ଚାଲିଛି ଦଲାଲରାଜୁତି

ଦଲାଲରାଜ ଗ୍ରାସ କରିଥିବା ପରିବହନ କାର୍ଯ୍ୟାଳୟକୁ ଆସୁଥିବା ଯାନବାହନ ମାଲିକ ମାନେ ଏବେ ମଧ୍ୟ ଦଲାଲ ମାନଙ୍କର ଜାଲରେ ଫସିଯାଇ ନିଷ୍ଠୁର ଭାବରେ ଲୁଣ୍ଠନର ଶିକାର ହେଉଛନ୍ତି। ଦଲାଲ ମାନେ ଲୁଚାଛୁପା ଭାବରେ ଏବେ ମଧ୍ୟ ସେମାନଙ୍କର କାର୍ଯ୍ୟ କରି ଚାଲିଛନ୍ତି। ପୂର୍ବରୁ ସର୍ବସମ୍ମୁଖରେ ଯେଭଳି ଦଲାଲ ମାନେ କାର୍ଯ୍ୟ କରୁଥିଲେ ତାହା ଏବେ ବିଭିନ୍ନ ପ୍ରକାରର ଟେକନିକ ବ୍ୟବହାର କରି ପୂର୍ବବତ କାର୍ଯ୍ୟ କରିଚାଲିଛନ୍ତି। କିଛି ଦଲାଲ ମାନେ ଓକିଲ ମାନଙ୍କ ଭଳି ଡ୍ରେସ ପରିଧାନ କରୁଥିବା ବେଳେ ଆଉ କିଛି କାର୍ଯ୍ୟାଳୟ ଆଖାପାଖରେ ଥିବା ବିଭିନ୍ନ ଦୋକାନ ମାନଙ୍କ ମଧ୍ୟରୁ ଅପରେଟ କରୁଛନ୍ତି।

ଏହା ସହିତ ବହୁ ଦଲାଲ ରିଙ୍ଗ ରୋଡ, ମ୍ୟୁନିସିପାଲିଟୀ ଛକ, କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖ ଆଦି ସ୍ଥାନ ମାନଙ୍କରୁ ଲାଇସେନ୍ସ, ଗାଡିର ନୂତନ ପଞ୍ଜିକରଣ, ନବୀକରଣ ଆଦି ବିଭିନ୍ନ କାଗଜପତ୍ର ନେଉଥିବାର ଦେଖାଯାଉଛି। ଦଲାଲ ମାନଙ୍କ ପ୍ରାର୍ଦୁଭାବ ଏବେ ମଧ୍ୟ ଏଭଳି ଅଛି ଯେ, କିଛି ଦିନ ତଳେ ଜଣେ ଦଲାଲଙ୍କ ଗ୍ରାହକ ବାରମ୍ବାର ଦୁଇ ଥର ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଦେଇ ଫେଲ ହେବା ପରେ ଟେଷ୍ଟ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦୁର୍ବବ୍ୟବହାର କରିଥିଲେ। ଏଣୁ କର୍ମଚାରୀ ମାନେ ଦିନ ପ୍ରାୟ ୧ଟା ସମୟରେ ଲମ୍ବା ଲାଇନ ଥିବା ସତ୍ୱେ ଦଲାଲଙ୍କ ଦୁର୍ବବ୍ୟହାରର ପ୍ରତିବାଦରେ ସେନ୍ଟରରେ ତାଲା ଦେଇ ଚାଲଯାଇଥିଲେ। ଏଣୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଲାଗିଥିବା ଲୋକ ମାନେ ଉତ୍ତେଜିତ ହେବାରୁ ବହୁ କଷ୍ଟରେ ଅପରାହ୍ନ ୩ଟା ପରେ କର୍ମଚାରୀ ମାନଙ୍କୁ ବୁଝାସୁଝା କରି ପୁଣି ଟେଷ୍ଟିଂ ସେନ୍ଟରକୁ ଚାଲୁ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ହଙ୍ଗାମା କରିଥିବା ଦଲାଲ ଜଣକଙ୍କର ଗ୍ରାହକ ପୂର୍ବରୁ ଥରେ ଟେଷ୍ଟ ଦେଇ ଫେଲ ହୋଇଥିବାରୁ କିଛି ଦିନ ପରେ ଅନ୍ୟ ଜଣକୁ ବସାଇ ଟେଷ୍ଟ କରାଇଥିଲେ। କିନ୍ତୁ ପୁଣି ଥରେ ତାଙ୍କର ଗ୍ରାହକ ଫେଲ ହେବାରୁ ସେ ପୁଲିସର ଉପସ୍ଥିତି ସତ୍ୱେ ଟେଷ୍ଟି ସେନ୍ଟର ମଧ୍ୟକୁ ପ୍ରବେଶ କରି କର୍ମଚାରୀ ମାନଙ୍କୁ ଦୁର୍ବବ୍ୟହାର କରି ଟେଷ୍ଟ ପାସ କରିବା ପାଇଁ ଚାପ ପକାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏବେ ମଧ୍ୟ ପରିବହନ କାର୍ଯ୍ୟାଳୟ ଦଲାଲ ମୁକ୍ତ ହୋଇ ନ ଥିବା ବେଳେ ପୂର୍ବରୁ ଯେଉଁଭଳି ଭାବରେ କାର୍ଯ୍ୟାଳୟ କର୍ମଚାରୀ ଓ ଦଲାଲ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲୁ ରହିଥିଲା, ସେଥିରେ ଏବେ ପୁଲିସ ମଧ୍ୟ ସାମିଲ ହୋଇ ମଲାଇ ଖାଇବାରେ ବ୍ୟସ୍ତ। ରାଜ୍ୟ ସରକାର ୫ଟିକୁ ଗୁରୁତ୍ୱ ଦେଉଥିବା ବେଳେ ସମ୍ବଲପୁର ଠାରେ ଆଇନକୁ କୋଣଠେସା କରିଦିଆଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

କିନ୍ତୁ ପ୍ରବଳ ଭିଡ ହେଉଥିବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ରହିବାକୁ ପଡୁଛି। ଏକ ବିଭାଗୀୟ ଅଧିକାରୀ ନାମ ନ କହିବା ସର୍ତ୍ତ କରି କହିଛନ୍ତି ଯେ, ଏବେ ମଧ୍ୟ ଲୋକଙ୍କୁ ଠିକ ଭାବରେ ସୁବ୍ୟବସ୍ଥିତ ଭାବରେ ସେବା ଯୋଗାଇ ଦିଆଯାଇ ପାରୁ ନାହିଁ। ହେଲ୍ପ ଡେସ୍କ ଯାହାକି ବାହାରେ ରହିବା କଥା ତାହା କାଉଣ୍ଟରର ସହିତ ସଂଲଗ୍ନ ହୋଇ ରହିଛି। ଯାହା ଫଳରେ ହେଲ୍ପ ଡେସ୍କ ବିଷୟରେ ଲୋକେ ଜାଣି ପାରୁ ନ ଥିବା ବେଳେ ଯଦି ଜାଣୁଛନ୍ତି ସେଠାକୁ ଯିବା ପାଇଁ ହେଲେ କାଉଣ୍ଟର ସମ୍ମୁଖରେ ଥିବା ଶହ ଶହ ଲୋକଙ୍କ ମଧ୍ୟରେ ଝାଳନାଳ ହୋଇ ବହୁ କଷ୍ଟରେ ଯିବାକୁ ପଡୁଛି। ଏ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ପାଇଁ ସେଭଳି କୌଣସି ସୁବିଧା କରାଯାଇ ପାରି ନାହିଁ। ସବୁ କାଉଣ୍ଟର ମାନଙ୍କୁ କ୍ରମିକ ଭାବରେ ସୁବ୍ୟବସ୍ଥିତ ନ ଥିବାରୁ ପ୍ରତି କାର୍ଯ୍ୟ ପାଇଁ ଲୋକଙ୍କୁ ଅଯଥାରେ ଘଣ୍ଟା ଘଣ୍ଟା ଲାଇନ ଲାଗିବାକୁ ପଡୁଛି। ଯାହା ଦ୍ୱାରା ଲୋକେ ହଇରାଣ ହରକତ ହେଉଛନ୍ତି। ଏଣୁ ବ୍ୟବସ୍ଥାକୁ ସୁଧାରିବା ପାଇଁ ବାରମ୍ବାର ବିଭାଗର ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କୁ ଏ ସର୍ମ୍ପକରେ ଜଣାଇବା ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଧିକାରୀଜଣକ କହିଛନ୍ତି। ଏହା ସହିତ କାର୍ଯ୍ୟାଳୟ ପରିସରରେ ଜନତାଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ଅପେକ୍ଷା କରିବା ପାଇଁ ଚୌକି ଆଦିର ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରି ନିର୍ଯ୍ୟାତିତ ହେବା ପାଇଁ ବାଧ୍ୟ ହେଉଛନ୍ତି। ଅହେତୁକ ଫାଇନ ବୃଦ୍ଧି ଯୋଗୁଁ ଲୋକେ ପରିବହନ କାର୍ଯ୍ୟାଳୟରେ ସକାଳ ପହରରୁ ଲାଇନରେ ଲାଗି ନିଜର ଯାନବାହାନର କାଗଜପତ୍ର ଠିକ କରାଇ ନେବା ପାଇଁ ପ୍ରୟାସରତ ଥିବା ବେଳେ କିନ୍ତୁ ପ୍ରଶାସନ ଯେଭଳି ଭାବରେ ଲୋକ ମାନଙ୍କୁ ସେବା ଯୋଗାଇ ଦେବାର ଦାବୀ କରୁଛି, ତାହା ପ୍ରକୃତ କ୍ଷେତ୍ରରେ ଦେଖାଯାଉ ନାହିଁ। ମାତ୍ର ଏକ ମାସ କୋହଳ ସମୟ ଅବଧି ଥିବାରୁ ଆଗକୁ ଆହୁରୀ ଭିଡ ହେବ ବୋଲି ଆକଳନ କରାଯାଉଥିବା ବେଳେ ଲୋକଙ୍କର ସୁବିଧା ପ୍ରଶାସନ କରୁ ବୋଲି ସାଧାରଣରେ ଦାବୀ ହେଉଛି।

 

Comments are closed.