ମୋଦୀ ସରକାରଙ୍କୁ ମୋହନ ଭାଗବତଙ୍କ ପ୍ରଶଂସା ; ଭିଡ୍ ହିଂସା ପଛରେ ରହିଛି ଷଡଯନ୍ତ୍ର

ଆରଏସଏସର ପଥ ସଂଚାଳନ ବା ସ୍ଥାପନା ଦିବସ କାର୍ଯ୍ୟକ୍ରମ

ନାଗପୁର : ପବିତ୍ର ବିଜୟା ଦଶମୀ ମଙ୍ଗଳବାର ସାରା ଦେଶରେ ଆନନ୍ଦ ଉଳ୍ଲାସର ସହ ପାଳନ କରାଯାଉଛି । ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପଥ ସଂଚାଳନ ବା ସ୍ଥାପନା ଦିବସ ପାଳନ କରାଯାଇଛି। ଏହି ଅବସରରେ ନାଗପୁରଠାରେ ସ୍ବୟଂ ସେବକଙ୍କୁ ସମ୍ବୋଧନ କରି ଆରଏସଏସର ପ୍ରମୁଖ ତଥା ସର ସଂଘ ସଂଚାଳକ ମୋହନ ଭାଗବତ, ମୋଦୀ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ମୋଦୀ ସରକାରଙ୍କୁ ପ୍ରଶଂସା କରି ଶ୍ରୀ ଭାଗବତ କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର ହେଉଛନ୍ତି ଏକ ସୁଦୃଢ ସରକାର ଯିଏକି ଅନେକ ଗୁଡିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଜାମ୍ମୁ କାଶ୍ମୀରରୁ ୩୭୦ ଧାରାର ଉଚ୍ଛେଦ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।

ଆରଏସଏସର ପ୍ରମୁଖ ମୋହନ ଭାଗବତଙ୍କ ନେତୃତ୍ବରେ ଆୟେଜିତ ଏହି  ପଥ ସଂଚାଳନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପ୍ରମୁଖ ଯୋଗ ଦେଇଥିଲେ। ଏଚସିଏଲ ପ୍ରତିଷ୍ଠାତା ଶିବ ନାଡର ଏଥିରେ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନିଜ ଅଭିଭାଷଣରେ ଶ୍ରୀ ଭାଗବତ ସଂଘବଦ୍ଧ ଆକ୍ରମଣ ବା ଭିଡ ହିଂସାକୁ ନିନ୍ଦା କରିବା ସହ ଏହା ମାଧ୍ୟମରେ ଭାରତକୁ ବଦନାମ କରାଯାଉଛି ବୋଲି କହିଛନ୍ତି। ଆମ ପରମ୍ପରାରେ ଏହି ଶବ୍ଦ ନାହିଁ। ଏହି ଘଟଣା ସହିତ ସଂଘ ନାମକୁ ଯୋଡି ବଦନାମ କରାଯାଉଛି ବୋଲି ସେ କହିଛନ୍ତି । ସ୍ବୟଂ ସେବକଙ୍କର ଏହା ସହିତ କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି। ଏହା ପଛରେ ଏକ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।

Comments are closed.