ସମ୍ବଲପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

‘ଦାୟିତ୍ୱ ବଢ଼ିଛି, ସମନ୍ୱୟ ଦରକାର’

0

ସମ୍ବଲପୁର:ପରିବର୍ତ୍ତିତ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ରାଷ୍ଟ୍ରୀୟ ଦାୟିତ୍ୱ ଓ କାର୍ଯ୍ୟଭାର ବହୁଗୁଣ ବୃଦ୍ଧି ପାଇଛି। ତେବେ ଏହାର ଛାମୁଆ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ହିଁ ଏହାର ଏକ ମାତ୍ର ସମାଧାନ ପନ୍ଥା ବୋଲି ଆରଏସଏସ ମୁଖ୍ୟ ତଥା ସର ସଂଘ ଚାଳକ ମୋହନ ଭାଗବତ ସୋମବାର ଏଠାରେ କହିଛନ୍ତି। ସମ୍ବଲପୁର ଶାସନସ୍ଥିତ ବେଦିକ ସ୍କୁଲ ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସାଙ୍ଗଠାନିକ ତାଲିମ ଶିବିରରେ ସେ ଏହି ମର୍ମରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି।
ଏହି ସମ୍ମିଳନୀରେ ହୋଇଥିବା ଆଲୋଚନାରେ ପୁରୀ ମଠ ଉଚ୍ଛେଦ ଓ ବିଜେପିର ସାଙ୍ଗଠାନିକ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଥିଲା ଓ ମୋହନ ଭାଗବତ ଏହା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେବେ ଆରଏସଏସର ଓଡ଼ିଶା ସହପ୍ରାପ୍ତ ମହେଶ୍ୱର ବେହେରା ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମିଳନୀରେ ହୋଇଥିବା ଆଲୋଚନାରେ କୌଣସି ରାଜନୈତିକ ପ୍ରସଙ୍ଗ ସ୍ଥାନ ପାଇ ନଥିଲା। ମୋହନ ଭାଗବତଜୀ ତାଙ୍କ ବାର୍ତ୍ତାରେ କେବଳ ଆନ୍ତଃବିଭାଗୀୟ ସମନ୍ୱୟ ରକ୍ଷା ଉପରେ ହିଁ ଗୁରୁତ୍ୱ ଦେଇଥିଲେ ବୋଲି ସେ କହିଛନ୍ତି। ଆରଏସଏସର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଆରଏସଏସର ଓଡ଼ିଶା ପଶ୍ଚିମ ଓ ଓଡ଼ିଶା ପୂର୍ବ ପ୍ରାନ୍ତର କର୍ମକର୍ତ୍ତାଙ୍କ ସହିତ ବିଶ୍ୱ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ରାଷ୍ଟ୍ରୀୟ ସେବିକା ସମିତି, ଶିକ୍ଷା ବିକାଶ ସମିତି ଓ ବିଜେପିର ୩୦୦ କର୍ମକର୍ତ୍ତା ଯୋଗ ଦେଇଥିଲେ। ମୋହନ ଭାଗବତ ରବିବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଲା ପରେ କର୍ମକର୍ତ୍ତାମାନଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ। ସୋମବାର ଦୁଇଟି ଅଧିବେଶନକୁ ସେ ସମ୍ବୋଧିତ କଲା ପରେ ସନ୍ଧ୍ୟା ୬ଟା ସମୟରେ ଏଠାରୁ ଫେରି ଯାଇଛନ୍ତି।

Leave A Reply