ଜିଓର୍ଜିନାଙ୍କୁ ବିବାହ କରିବେ ରୋନାଲଡୋ

0

ଲିସ୍‍ବନ : ପର୍ତ୍ତୁଗାଲର ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଖୁବଶୀଘ୍ର ତାଙ୍କର ବାନ୍ଧବୀ ଜିଓର୍ଜିନା ରୋଡ୍ରିଗ୍ୱେଜ୍‍ଙ୍କୁ ବିବାହ କରିବେ ବୋଲି ପର୍ତ୍ତୁଗୀଜ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିଗତ ଦୁଇ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିବାବେଳେ ସେମାନେ ବର୍ତ୍ତମାନ ପତିପତ୍ନୀଭାବେ ଏକାଠି ରହୁଛନ୍ତି। ଜିଓର୍ଜିନା ଗତବର୍ଷ ନଭେମ୍ବରରେ ଆଲାନା ମାର୍ଟିନା ନାମରେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ଝିଅର ଜନ୍ମଦିନ ପାଳନ କରିବାକୁ ରୋନାଲଡୋ ଓ ଜିଓର୍ଜିନା ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି।
୩୩ ବର୍ଷୀୟ ଏହି ମହାନ ଫୁଟବଲ ତାରକା ବିବାହ କରିନଥିଲେ ସୁଦ୍ଧା ଏହି ପ୍ରସଙ୍ଗ ନେଇ ଦୀର୍ଘ ଆଠ ବର୍ଷ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି। ୨୦୧୦ ଜୁନରେ ସେ ଏକ ପୁତ୍ରସନ୍ତାନର ଜନକ ହୋଇଥିଲେ ସୁଦ୍ଧା ବ୍ୟକ୍ତିଗତ କାରଣରୁ ଶିଶୁପୁତ୍ରର ମାଆଙ୍କ ନାମ ସାର୍ବଜନୀନ କରିନଥିଲେ। ରୁଷୀୟ ମଡେଲ ଇରିନା ସ୍ୟାକ୍‍ଙ୍କ ସହ ରୋନାଲଡୋ ପାଞ୍ଚବର୍ଷ ସମ୍ପର୍କ ରଖିବାପରେ ୨୦୧୫ରେ ଏହାର ଯବନିକା ପଡିଥିଲା। ୨୦୧୭ ଜୁନରେ ସରୋଗେସି ପଦ୍ଧତିରେ ରୋନାଲଡୋ ଯମଜ ସନ୍ତାନର (ପୁଅ-ମାତିଓ, ଝିଅ-ଇଭା) ପିତା ହେବାର ସୌଭାଗ୍ୟଲାଭ କରିଥିଲେ। ଏ କ୍ଷେତ୍ରରେ ମଧ୍ୟ ରୋନାଲଡୋ ସଂପୃକ୍ତ ମହିଳାଙ୍କ ନାମ ଗୋପନ ରଖିଥିଲେ। ରୋନାଲଡୋ ୨୦୦୩ରୁ ପତ୍ତୁଗାଲ ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୮୫ଟି ଗୋଲ ସ୍କୋର କରିଛନ୍ତି। ଏହାବ୍ୟତୀତ ସେ ମାଞ୍ଚେଷ୍ଟର ୟୁନାଇଟେଡ ପକ୍ଷରୁ ୧୯୬ ଓ ରିଏଲ ମାଦ୍ରିଦ ପକ୍ଷରୁ ୨୯୨ଟି ମ୍ୟାଚ ଖେଳିଥିବାବେଳେ ସଂପ୍ରତି ଇଟାଲୀର ଜୁଭେଣ୍ଟସ କ୍ଲବକୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ପାଞ୍ଚଥର ଶ୍ରେଷ୍ଠ ଫିଫା ଫୁଟବଲର ପୁରସ୍କାର ହାସଲ କରିସାରିଛନ୍ତି।

Leave A Reply